ହସ୍ପିଟାଲକୁ କଲ୍ କଲେ ହ୍ୟାକର ନେଇଯାଉଛି ଟଙ୍କା

ଭୁବନେଶ୍ବର: ହସ୍ପିଟାଲକୁ ଫୋନ କଲେ ଆକାଉଣ୍ଟ ହେଉଯାଉଛି ଗୋଲ । ଗୁଗୁଲରୁ ସର୍ଚ୍ଚ କରି କଲ କଲେ ହ୍ୟାକର ନେଇଯାଉଛି ଟଙ୍କା । ସେପଟେ କ୍ରେଡିଟ କାର୍ଡ ଠକେଇର ଶିକାର ହୋଇଛନ୍ତି ଜଣେ ବିଏସଏଫ ଯବାନ । ଫୋନ ଖୋଲିଲେ ଖାଲି ହୋଇଯାଉଛି ଆକାଉଣ୍ଟ । ହସ୍ପିଟାଲକୁ କଲ କଲେ ହ୍ୟାକର ନେଇଯାଉଛି ଟଙ୍କା । ଯବାନଙ୍କୁ ଚୂନ ଲଗାଇଦେଲେ ସାଇବର ଠକ । ଏ ଯୁବକ ଜଣଙ୍କୁ ଦେଖନ୍ତୁ । ବାପା ବ୍ରେନ ଷ୍ଟୋକରେ ଆକ୍ରାନ୍ତ ହେବା ପରେ ବାଲୁଗାଁରୁ ଆସି ଭୁବନେଶ୍ୱର ଫାୟରଷ୍ଟେସନରେ ଥିବା ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ । କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଡିସଚାର୍ଜ ସାର୍ଟିଫିକେଟ ଓ ଅନ୍ୟ କିଛି ଡକ୍ୟୁମେଣ୍ଟ ପାଇଁ ଯୁବକ ଜଣଙ୍କ ଗୁଗୁଲରୁ ସର୍ଚ୍ଚ କରି ଯେତବେଳେ କଲ କରିଥିଲେ ସେତେବେଳେ ସଂପୃକ୍ତ ନମ୍ବରରୁ କିଛି ଟଙ୍କା ପଠାଇବାକୁ କୁହାଯାଇଥିଲା । ୟୁପିଆଇ ଜରିଆରେ ଟଙ୍କା ପଠେଇବା ବେଳେ ଆକାଉଣ୍ଟରୁ କଟିଥିଲା ୨୩ ହଜାର ଟଙ୍କା । ଏହାକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ହସ୍ପିଟାଲ ରିସେପ୍ସନ ନମ୍ବର ହ୍ୟାକ ହୋଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଅପରପକ୍ଷରେ ଏହି ନମ୍ବରରେ କେହି ଟଙ୍କା ନପଠାଇବା ପାଇଁ ଅନୁରୋଧ କରିଛି ହସ୍ପିଟାଲ ।

ସେପଟେ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ବିଏସ୍ଏଫ୍ ଯବାନ । କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ତାଙ୍କ ଠାରୁ ୪ ଲକ୍ଷ ୭୫ ହଜାରର ଠକେଇ ହୋଇଛି । କାର୍ଡ ବନ୍ଦ କରିବାକୁ କହି ସାଇବର ଠକଙ୍କ ଜାଲରେ ପଡ଼ିଥିଲେ ଯବାନ । କ୍ରେଡିଟ୍ କାର୍ଡର ନମ୍ବର ସହ ସିଭିଭି ନମ୍ବର ମାଗି ନେଇଥିଲେ ଠକ । ଯାହା ଜରିଆରେ ଆକାଉଣ୍ଟ ରୁ ୪ ଲକ୍ଷ ୭୫ ହଜାର ଲୁଟ ହୋଇଥିବା ଜାଣିବାକୁ ପାଇଛି ସାଇବର ଥାନା ପୋଲିସ । ବାରମ୍ବାର ଓଡିଶା ପୋଲିସ, କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର ସଚେତନତା କରାଯାଉଛି । ସାରା ଓଡ଼ିଶାରେ ସଚେତନତା ରଥ ବୁଲିଛି । ତଥାପି ଏଭଳି ଠକେଇର ପୁନରାବୃତ୍ତି ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।