ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତୁଳସୀ ଯୋଗାଇବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଅଙ୍ଗକୁ ତୁଳସୀ ମହାଲକ୍ଷ୍ମୀଙ୍କ ପାଇଁ ପଦ୍ମ ଯୋଗାଇବ ଓୟୁଏଟି । ପାରମ୍ପରିକ ବନସ୍ପତିର ଔଷଧୀୟ ଗୁଣ ଓ ଉପଯୋଗିତା ଉପରେ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳାରେ ବୃକ୍ଷଲତାର ଉପଯୋଗିତା ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ଭୁବନେଶ୍ବରରେ ଥିବା ଓୟୁଏଟିର ୧୦୦ ଏକର ପରିମିତ ଭାଟିକାରେ ୧୦୦ ପ୍ରକାର ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ଚାଷ କରାଯାଉଛି । ଆଗାମୀ ଦିନରେ ଆୟୁର୍ବିଜ୍ଞାନରେ ଶରୀରର ବିଭିନ୍ନ ରୋଗ ପାଇଁ ଔଷଧୀୟ ବୃକ୍ଷଲତା ପରୀକ୍ଷାମୂଳକ ଭାବେ ପ୍ରକ୍ରିୟା କରି ଔଷଧ ପାଇଁ କଞ୍ଚାମାଲ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତୁଳସୀ ଯୋଗାଇବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ । ଖାଲିସେତିକି ନୁହେଁ ଶ୍ରୀମନ୍ଦିରରେ ବିରାଜମାନ ମହାଲକ୍ଷ୍ମୀଙ୍କ ପାଇଁ ଓୟୁଏଟି ପ୍ରସ୍ତୁତ କରୁଛି ପଦ୍ମପୋଖରୀ । ସାକ୍ଷୀଗୋପାଳ ସ୍ଥିତ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ରରେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଚାଲିଛି ଜମି ପ୍ରସ୍ତୁତି ।

ଗୁଳୁଚି, ଘି କୁଆଁରି, ଅଶୋକ, ପାନଗଛ, ସର୍ପଗନ୍ଧା । ଏସବୁ ଆୟୁର୍ବିଜ୍ଞାନର ମହୌଷଧୀ । ଶରୀରକୁ ସୁସ୍ଥ ରଖିବା ପାଇଁ ଏବେ ପ୍ରାକୃତିକ ଉପଚାର ଉପରେ ଲୋକଙ୍କ ଆଗ୍ରହ । ଭୁବନେଶ୍ବରରେ ଏପରି ଅର୍ଗାନିକ ପଦ୍ଧତିରେ ଔଷଧୀୟ ବୃକ୍ଷ, ଲତା ଓ ଗୁଳ୍ମ ଉତ୍ପାଦନ କରୁଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓୟୁଏଟି । ବରମୁଣ୍ଡା ସ୍ଥିତ ୧୦୦ ଏକର ପରିମିତ ସ୍ଥାନରେ ଓୟୁଏଟି ଉତ୍ପାଦନ କରୁଛି ୧୦୦ ପ୍ରକାର ଔଷଧୀୟ ଗୁଳ୍ଣ ଓ ଲତା ଭରା ଓୟୁଏଟି ଭାଟିକା ।

ଆଧୁନିକ ଚିକିତ୍ସା ବିଜ୍ଞାନ ଯେତେ ଉନ୍ନତ ହେଲେ ବି ଆୟୁର୍ବେଦ ଚିକିତ୍ସା ଓ ପାରମ୍ପରିକ ବୃକ୍ଷ ଲତାରୁ ମିଳୁଥିବା ଔଷଧୀୟ ଗୁଣର ଉପଯୋଗିତା ଏବେ ବି ପ୍ରାସଙ୍ଗିକ ରଖୁଛି । କୃତ୍ରିମ ରସାୟନ ମୁକ୍ତି ଔଷଧ ପ୍ରସ୍ତୁତି ଉପରେ ଏବେ ଗବେଷକ ଅଧିକ ଗୁରୁତ୍ବ ଦେଇଛନ୍ତି । ବିନା ପାର୍ଶ୍ବ ପ୍ରତିକ୍ରିୟାରେ ବୃକ୍ଷଲତାଙ୍କଠାରୁ ମିଳୁଥିବା ଅର୍କ, ରସ ଓ ପତ୍ରରେ ବିଭିନ୍ନ ଔଷଧ ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ବିଭିନ୍ନ ପାହାଡ଼, ପର୍ବତ ଅଞ୍ଚଳରୁ ଔଷଧୀୟ ବୃକ୍ଷ, ଗୁଳ୍ମ ସଂଗ୍ରହ କରାଯାଇ ଭୁବନେଶ୍ବରରେ ଚାରା ଓ ପ୍ଲାଣ୍ଟେସନ୍ କରାଯାଇଛି । ସରକାରଙ୍କୁ ଆଗାମୀ ଦିନରେ ଆୟୁର୍ବିଜ୍ଞାନରେ ବିଭିନ୍ନ ଔଷଧ ପ୍ରସ୍ତୁତି ନେଇ କଞ୍ଚାମାଲ ଯୋଗାଇବାକୁ ଓୟୁଏଟି ଲକ୍ଷ୍ୟ ରଖିଛି । ସଚେତନତା ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ।