ବାସ୍ତୁଦୋଷ ଦୂର କରିବା ଆଳରେ ଠକେଇ କରୁଥିଲେ ଭଣ୍ଡବାବା

ମାହାଙ୍ଗା: ବାସ୍ତୁଦୋଷ ଦୂର କରିବା ଆଳରେ ସୁନା ଠକେଇ । ଠକକୁ କାବୁ କରି ପୋଲିସରେ ଦେଲେ ଲୋକେ । ଘରର ବାସ୍ତୁ ଦୋଷ ଅଛି ଦୂର ହେଲେ ପରିବାରର ସମସ୍ୟା ଦୂର ହେବ ପରିବାରରେ ଶାନ୍ତି ଫେରିବ । ଏହିଭଳି କଥା କହି ନିରୀହ ଲୋକଙ୍କୁ ପୂଜାପାଠ ଆଳରେ ଘରର ସୁନା ଅଳଙ୍କାର ତରଳାଇ ଚୋରି କରି ନେଇଥିବା ଠକ ବାବାକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଚାହାପଡା ପଞ୍ଚାୟତ ବ୍ରହ୍ମଗଦା ଗ୍ରାମରେ । ଗ୍ରାମର ଚନ୍ଦ୍ରମଣି ପୃଷ୍ଟି, ସୂର୍ଯ୍ୟମଣି ଓ  ଦୁର୍ଯ୍ୟୋଧନ ପୃଷ୍ଟିଙ୍କ ଘରେ ଯାଜପୁର ବ୍ରହ୍ମବରଦା ଅଞ୍ଚଳର ହରିଦାସ ନାମକ ଠକ ବାବା ବାସ୍ତୁ ଦୋଷ ଦୂର ପାଇଁ ପୂଜାପାଠ କରିଥିଲେ।

ପୂଜାପାଠ କରିଥିବା ସମୟର ତିନି ଭାଇଙ୍କ ଘରୁ ସୁନା ଆଣିବାକୁ କହିଥିଲେ । ସେମାନେ ୩ ହଳ ସୁନା କାନଫୁଲ ଦେବା ପରେ ଏହାକୁ ଭାଙ୍ଗି ତରଳାଇ ପୂଜାରେ ଲଗାଇ ଥିବା ବେଳେ ସୂର୍ଯ୍ୟମଣିଙ୍କ ପୁଅର ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ତରଳ ସୁନା କମ୍ ଥିବା ଜାଣିପାରି ଥିଲେ । ଏହାପରେ ହରିଦାସଙ୍କୁ କାବୁ କରି ପୋଲିସରେ ଦେଇଥିଲେ । ପୋଲିସ ତଦନ୍ତ କରି ତାଙ୍କ ନିକଟରୁ ସୁନା ତରଳା ଏସିଡ, ଗ୍ୟାସ, ଓଜନ କଣ୍ଟା, ସହ ବିଭିନ୍ନ ତାବିଜ ଜବତ କରିଛି । ଏହାସହ ତାଙ୍କ ନିକଟରୁ ଏକ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଯେଉଁଥିରେ ତାଙ୍କ ନାମ କେଶବ ସାହୁ ବୋଲି ଲେଖାଅଛି । ନାମ ବଦଳାଇ ସେ ଏପରି ଠକେଇ କରୁଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।