ଜୀବନ ଅପେରାର ଅଭୁଲା ଚରିତ୍ର ବରମୁଣ୍ଡା ବସଷ୍ଟାଣ୍ଡ

1 min read

ଭୁବନେଶ୍ବର: ବସନ୍ତ ଆଉ ଆମ୍ବ ବଉଳ, ବର୍ଷା ଆଉ ସାଧବ ବୋହୂ ।‌ ଏମାନେ ଯେମିତି ବରମୁଣ୍ଡା ଆଉ ଭୁବନେଶ୍ୱର ଠିକ୍ ସେମିତି ।‌ ତ୍ୟାଗ, ତିତିକ୍ଷା, ଦାନ ଓ ବଡ଼ପଣିଆରେ ବରମୁଣ୍ଡାକୁ କେହି ବଳିଯାଇପାରିବେନି ।‌ ୯୦ ଦଶକର ସେ ଖେଳପଡିଆରେ କେତେ ସ୍ମୃତି ହଜିଛି, କେତେ କାହାଣୀ ଲେଖାହୋଇଛି । ସେବେଠୁ ଆଜି ଯାଏଁ ବରମୁଣ୍ଡାର ଯାତ୍ରା।

ବରମୁଣ୍ଡା ଗୋଟେ କାହାଣୀ, ଗୋଟେ କବିତା, ଗୋଟେ ଗଳ୍ପ, ଗୋଟେ ଏକାଙ୍କିକା । ଜୀବନ ଅପେରାର ଅଭୁଲା ଚରିତ୍ର । ତାକୁ ଲେଖିଦେଲେ ସେ ପୋଥିଟିଏ, ନଲେଖିଲେ ଛାତି ତଳର ସ୍ମୃତିଟିଏ । ଅନେକ ବସନ୍ତ ବିତିଛି, କୃଷ୍ଣଚୁଡାର ରଙ୍ଗ ଛାଡିଛି । ଶ୍ରାବଣ ପିଠିରେ ସାଧବବୋହୂଟି ଚୁପିଚୁପି ଚାଲି ବି ଯାଇଛି । ହେଲେ ବରମୁଣ୍ଡା ପ୍ରେମ, ପ୍ରଣୟ, ପ୍ରୀତି, ପଲ୍ଲବ, ପ୍ରତାରଣା, ବିଦାୟ, ବିଦାର, ମିଳନ, ଆତୁର, ଆହ୍ଲାଦ ଏମିତି ଜୀବନର ଅନେକ ନିଚ୍ଛକ ଶବ୍ବକୁ, ବାସ୍ତବତାର ଚିତ୍ରକୁ ତୋଳି ଧରିଛି, ସ୍ମୃତିପଟରେ ସାଇତି ରଖିଛି, ବୁଢା ବରଗଛ ସାଜି ଇତିହାସ କହୁଛି ।

୧୯୪୮ ମସିହା । ଭୁବନେଶ୍ବର ହୁଏ ଓଡ଼ିଶାର ରାଜଧାନୀ । ବର୍ଷର‌ ସଂଖ୍ୟା ଗଣିତରେ ଧିରେ ଧିରେ ବିସ୍ତାରୀ ହେଉଥିଲା ଭୁବନେଶ୍ବର । ଏତିକିବେଳେ ଦରକାର ପଡେ ରାଜ୍ୟସ୍ତରୀୟ ବିଶାଳ ବସଷ୍ଟାଣ୍ଡ । ୧୯୯୨ ମସିହାରେ ଯେତେବେଳେ ବସଷ୍ଟାଣ୍ଡ ପାଇଁ ଜାଗା ଖୋଜା ହେଉଥାଏ ସେତେବେଳେ ତ୍ୟାଗ, ତିତିକ୍ଷାର ପଣତ ପାରି ଦେଇଥିଲା ବରମୁଣ୍ଡା । ଦେଖାଇଥିଲା ବଡ଼ପଣିଆର ସବୁଠୁ ବଡ଼ ଉଦାହରଣ । ଖଣ୍ଡଗିରି ପାଦଦେଶରେ ୧୫ ଏକର ବିଶିଷ୍ଟ ଖେଳପଡ଼ିଆ ବନିଯାଇଥିଲା ଭୁବନେଶ୍ବରର ଆଉ ଏକ ପରିଚୟ। ଅସ୍ଥାୟୀ ସ୍କୁଲ ଘର ଭାଙ୍ଗି ଠିଆ ହୋଇଥିଲା ଯୋଗାଯୋଗର ବରମୁଣ୍ଡା କୀର୍ତ୍ତିସ୍ତମ୍ଭ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ନିଅଁ ପକାଇଥିବା ବେଳେ ଉଦ୍ଘାଟନ କରିଥିଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ।

ଗାଁଠୁ ସହର, ପିଲାଠୁ ବୁଢା । ରାଜଧାନୀକୁ ଯିଏ ଜାଣିଛି ବରମୁଣ୍ଡାକୁ ସିଏ ଚିହ୍ନିଛି । କୋଟି କୋଟି ହୃଦୟକୁ ୧୫ ଏକରର ଛାତିରେ କୋଳେଇଧରିଥିବା ବିରାଟ ହୃଦୟ ତାର । ସୁଖଦୁଃଖ,ଲୁହ ହସରେ ଫେଣ୍ଟିହୋଇଥିବା ବିଶାଳ ମନ ବି ତାର । ସେ ଶୁଣିଛି ବସ ଭିତରୁ ପ୍ରେମିକର ଗୁମୁରି କାନ୍ଦ, ସେ ଦେଖିଛି ବାପାର କୋକେଇ ଉଠାଇବାକୁ ଯାଉଥିବା ପୁଅର କୋହ । ଭରସାର ସହରରେ ଭଡାଟିଆର ଭାରି ମନକୁ ପଢିଛି, ଚାକିରି ଆଶାରେ ପାଦ ଦେଇଥିବା ଯବାନ ପୁଅର ବିତୃଷ୍ଣା ବି ଅନୁଭବ କରିଛି । ଘରକୁ ଲେଉଟିବାର ଖୁସି ଦେଖିଛି ପୁଣି ଅବୁଝା କୁନି ପିଲାଠୁ ଚକଲେଟ୍ ଆଣିଦେବାଧ ଅଳି ଶୁଣିଛି । ଅଟୋ ବାଲାର ଡାକ, ବାରମଜାର ବେପାର…ପଛକୁ ଚାଲ ପଛକୁ ଚାଲର କୋଳାହଳ, ପେପର ପେପରର ସେ ଶବ୍ଦ ତ ତାରି ଶରୀରରେ ରୁନ୍ଧି ହୋଇ ରହିଛି ।

ଆଜି ବରମୁଣ୍ଡା ନୂଆ ରୂପରେ ଆସିଛି । ଫାଇଭ-ଟି ସ୍ପର୍ଶରେ ସବୁଆଡ଼େ ନୂଆ ଲାଗୁଛି ।  ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍ଜିଟ୍ ସିଷ୍ଟମ ବସ୍ ଟର୍ମିନାଲ ଭାବେ ବରମୁଣ୍ଡାକୁ ବିକଶିତ କରାଯାଇଛି ।  ବିମାନବନ୍ଦରରେ ମିଳୁଥିବା ସୁବିଧା ଏଇଠି ପାଇପାରୁଛନ୍ତି ଜନସାଧାରଣ । ‘ନବୀନ ଓଡ଼ିଶା’ର ନୂଆରୂପ ଭାବେ ଉଭା ହୋଇଛି ଏହି ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ।