spot_img
Home Blog Page 2364

ରୋଗ ହେବାରୁ ପୁଅକୁ ଘରୁ ତଡ଼ି ଦେଲେ ବାପାମାଆ

ସମ୍ବଲପୁର: ପୁଅର ରୋଗ ଭଲ କରିବାକୁ ବାପାମାଆ କେତେ ଚିକିତ୍ସା, କେତେ ଓଷା  ଆଉ କେତେ ବ୍ରତ କରିବା କଥା ଆପଣ ଶୁଣିଥିବେ । ହେଲେ ଏ ଯୁବକ ଜଣଙ୍କୁ ଦେଖିଲେ ଆପଣ ବି କହିବେ, ଦୁନିଆଁରେ କ’ଣ ଏମିତି ବି ବାପାମାଆ ଅଛନ୍ତି ? ହଁ ଆଜ୍ଞା, ପୁଅକୁ ଫାଇଲେରିଆ ହେଲା ବୋଲି ଘରୁ ବାହାର କରିଦେଲେ ବାପାମାଆ । ଶେଷରେ ନିରାଶ ଓ ଅସହାୟ ଅବସ୍ଥାରେ ବୁର୍ଲା ଭିମସାରରେ ବୁଲୁଛି ୧୮ ବର୍ଷୀୟ ତ୍ରିଲୋଚନ ମାଝୀ ।

୫ ବର୍ଷ ତଳେ ତାଙ୍କୁ ଫାଇଲେରିଆ ରୋଗ ହୋଇଥିଲା । ପରେ ଏହା ବୃଦ୍ଧି ହେବା ସହିତ ଗୁପ୍ତାଙ୍ଗକୁ ଅଧିକ ଭାବରେ ସଂକ୍ରମିତ ହୋଇଥିଲା । ବାପାମାଆ ପୁଅର ଚିକିତ୍ସା କ’ଣ କରାଇବେ, ପୁଅକୁ ଘୃଣା କରି ଘରୁ ବାହାର କରିଦେଲେ । ତେବେ ତ୍ରିଲୋଚନଙ୍କର ଘର କେଉଁଠି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଏବେ ବୁର୍ଲା ଭିମସାରରେ ତ୍ରିଲୋଚନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହେଲେ ତାଙ୍କ ପାଖରେ ନା ବାପାମାଆ ଅଛନ୍ତି ନା ସମ୍ପର୍କୀୟ । ଡାକ୍ତରଙ୍କ କହିବା ଅନୁସାରେ ପ୍ଲାଷ୍ଟିକ ସର୍ଜରୀ କରାଯିବା ପରେ ତ୍ରିଲୋଚନଙ୍କର ସ୍ବାସ୍ଥ୍ୟବସ୍ଥା ସୁଧୁରିପାରିବ ।

‘ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ’ ପୁସ୍ତକ ଉନ୍ମୋଚିତ

ପୁରୀ: ଉନ୍ମୋଚିତ ହେଲା ପୁସ୍ତକ ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ । ଡ. ପୀତବାସ ମିଶ୍ରଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଆଜି ପୁରୀ ୟୁଥ ହଷ୍ଟେଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ଏହି ପୁସ୍ତକ ରଚନା କରାଯାଇଛି । ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଭାଗ୍ୟ ଡୋରି ସମ୍ଭାଳିଥିବା ନବୀନ ରାଜ୍ୟ ଶାସନର ସର୍ବମୟ କର୍ତ୍ତା ଭାବେ ସାଢେ ୪ କୋଟି ଓଡ଼ିଆଙ୍କ ମନ ଜିଣିଛନ୍ତି । ଓଡିଶାକୁ ବିକାଶ ମାର୍ଗରେ ଆଗକୁ ନେବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କୁ ପ୍ରଭାବିତ କରିଛି । ଏହାକୁ ପାଥେୟ କରି ରଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର ।

୨୫ ପୌରସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ଆପ୍

ଭୁବନେଶ୍ବର: ରାଜ୍ୟର ୨୫ଟି ପୌରସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ଆପ୍ । ଓ୍ବେବ୍ ଆଧାରିତ ଆପ୍ କାର୍ଯ୍ୟକ୍ରମ ରୂପାୟନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ବା ‘ମୁକ୍ତା’ ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ । ୧୧୫ଟି ପୌର ସଂସ୍ଥାରେ ସହରାଞ୍ଚଳ ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଶ୍ରମିକଙ୍କୁ ସଠିକ ସମୟରେ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଓ୍ବେବ୍ ଆଧାରିତ ଆପ୍ ‘ମୁକ୍ତା ସଫ୍ଟ‘ କାର୍ଯ୍ୟକାରୀ କରୁଛନ୍ତି ।

ଢେଙ୍କାନାଳ ଓ ଜଟଣୀରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଇ ସଫଳତା ମିଳିଛି । ଏବେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ ହେବ । ଯାହା ମଧ୍ୟରେ ୫ଟି ମହାନଗର ନିଗମ, ୧୪ଟି ପ୍ରମୁଖ ପୌରପାଳିକା ଓ ୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ଏହାର ସଫଳତା ପାଇଁ ୨୫ଟି ପୌରସଂସ୍ଥାର ମାଷ୍ଟର୍ ଟ୍ରେନରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ମୁକ୍ତା ସଫ୍ଟ ଓ୍ବାନ ପଏଣ୍ଟ ଜିରୋର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର୍ ଟ୍ରେନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ମାଷ୍ଟର ଟ୍ରେନରଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ଶ୍ରମିକଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି ଓ୍ବେବ୍ ଆଧାରିତ ଆପ୍ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦୦ ବ୍ୟକ୍ତିଙ୍କୁ ୫ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।

ଓଡ଼ିଶାର ଗର୍ବ ଓଡ଼ିଶା ପରିବାର: ଅସହାୟ ପ୍ରବାସୀ ଓଡ଼ିଆଙ୍କ ପାଇଁ ଦେବଦୂତ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ଖୁସି ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ପରିବାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ପରିକଳ୍ପନା ଏବେ ରାଜ୍ୟ ବାହାରେ ଓ ବିଦେଶ ମାଟିରେ ଥିବା ଓଡ଼ିଆଙ୍କୁ ନିଜ ମାଟି ସହ ଯୋଡୁଛି । ଯାହା କେବେ ହୋଇ ନଥିଲା ତାହା ଏବେ ସତ ହୋଇଛି । ଦଙ୍ଗା ପ୍ରପୀଡ଼ିତ ରାଜ୍ୟରୁ ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ହେଉ କି ଓଡ଼ିଶାର କଳା ସଂସ୍କୃତି ପାଇଁ ଆମେରିକା ଓ ଇଉରୋପରେ ଆର୍ଥିକ ସହାୟତା ପ୍ରଦାନ । ସବୁଥିରେ ପ୍ରବାସୀ ଓଡ଼ିଆଙ୍କୁ ଖୁସିରେ ରଖିବା ଓଡ଼ିଶା ପରିବାରର ଆଭିମୁଖ୍ୟ ।

ମଣିପୁରରେ ଦଙ୍ଗାରେ ଓଡ଼ିଆ ପିଲା ସଙ୍କଟରେ । ତ୍ରିପୁରାରେ ବାହୁଡ଼ା ଯାତ୍ରାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ରୁ ୭ ଜଣଙ୍କ ମୃତ୍ୟୁ । ହାଇଦ୍ରାବାଦରେ ନିର୍ମାଣଧୀନ କୋଠା ଭୁଶୁଡ଼ି ଯିବାରୁ ମାଲକାନଗିରିର ଶ୍ରମିକଙ୍କ ମୃତ୍ୟୁ । ରାଜ୍ୟ ବାହାରେ ହେଉ କି ବିଦେଶ ମାଟି, ସବୁଠି ପହଞ୍ଚି ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଓଡ଼ିଶା ପରିବାର ।

ବିଦେଶରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ କିପରି ନିଜ ମାଟି ସହ ଯୋଡ଼ି ହେବେ ? ଅସୁବିଧାରେ କିମ୍ବା ଉତ୍ପୀଡନର ଶିକାର ହେଲେ କେମିତି ହେବେ ସୁରକ୍ଷିତ ଉଦ୍ଧାର ? ବିଦେଶ ମାଟିରେ ଥିବା ସବୁ ଓଡ଼ିଆ ମୋ ପରିବାରର ସଦସ୍ୟ । ସମସ୍ତେ କିପରି ଖୁସିରେ ରହିବେ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ପରିକଳ୍ପନାରେ ଗଠନ ହୋଇ କାର୍ଯ୍ୟକ୍ଷମ ହୋଇଛି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ବର୍ଷେ ହୋଇନି ଓଡ଼ିଶା ପରିବାରର ଜୟ ଗାଥା ଏବେ ପ୍ରବାସୀ ଓଡ଼ିଆଙ୍କ ମୁହଁରେ ଫୁଟାଇଛି ହସ ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ । ସେ ଓଡ଼ିଆ ହେଉ କି ତେଲୁଗୁ କିମ୍ବା ଅନ୍ୟ ଭାଷାଭାଷୀ ଅଞ୍ଚଳର । ସେଥିରେ କିଛି ଫରକ ପଡିନି । ସମସ୍ତେ ମଣିଷ,

ଧନ ଜୀବନ ସୁରକ୍ଷା ଦେବା ଆମର ଦାୟିତ୍ବ । ତ୍ରିପୁରା ବାହୁଡ଼ା ରଥଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତପ୍ରାପ୍ତ ଲୋକ କେହି ଓଡ଼ିଆ ନ ହୋଇ ସେମାନଙ୍କ ଚିକିତ୍ସା ପାଇଁ ଅର୍ଥ ଦେବାକୁ ଉଦ୍ୟମ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ସୋନପୁରରୁ ପିଣ୍ଡଦାନ ପାଇଁ ବିହାର ଗୟା ଯାଇଥିବା ୧୭ ଜଣ ଓଡ଼ିଆଙ୍କ ଗାଡ଼ି ସେଠାରେ ଦୁର୍ଘଟଣାଗ୍ରସ୍ତ ହେଲା । ସମସ୍ତେ ଗୁରୁତର ଆହତ ହେଲେ । ବିହାରରେ ଏକ ଘରୋଇ ହସ୍ପିଟାଲରେ ସେମାନଙ୍କର ଅସ୍ତ୍ରୋପଚାର କରାଯାଇ ହାଜିପୁର ରେଳ ଷ୍ଟେଷନରୁ ସେମାନଙ୍କୁ ସୁରକ୍ଷିତ ଅଣାଯାଇଛି ।

ଖାଲି ଅସୁବିଧାରେ ଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ଓଡ଼ିଶା ପରିବାରର ଲକ୍ଷ୍ୟ ନୁହେଁ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା, ଖାଦ୍ୟ କିପରି ବିଦେଶରେ ଆଦୃତି ପାଇବ, ନେଇ ବି ଉଦ୍ୟମ କରୁଛି । ଆମେରିକା ଓ ଇଉରୋପରେ ମନ୍ଦିର ନିର୍ମାଣ ପାଇଁ ବି ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ନିକଟରେ ଆବୁଧାବିରେ ୧୦ ଜଣ କଳାକାରଙ୍କୁ ନେଇ ଓଡ଼ିଶାର କଳା ସଂସ୍କୃତି ପରିବେଷଣ କରିଛନ୍ତି ।

ପୂର୍ବରୁ ଓଡ଼ିଆମାନଙ୍କୁ ଭିସା ପ୍ରଦାନ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ସୁବିଧା ଭୁବନେଶ୍ବରରେ ଥିଲା । କିନ୍ତୁ ଏହାକୁ କେନ୍ଦ୍ର ସରକାର କୋଲକାତା ସ୍ଥାନାନ୍ତର କରି ଦେଇଛନ୍ତି । ଓଡ଼ିଶା ପୂର୍ବଭାରତର ଗେଟ୍ ଓ୍ବେ ହେଲାଣି । ଶିଳ୍ପ ହବ୍, କ୍ରୀଡ଼ା ହବ୍ ଓ ଶିକ୍ଷା ହବ୍ ମାନ୍ୟତା ପାଇଲାଣି । ଭିସା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ରକୁ ପୁଣି ଥରେ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଦାବି ରଖିଛନ୍ତି । ବୁଦ୍ଧିଜୀବୀଙ୍କ ମତରେ ଓଡ଼ିଶା ପରିବାରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୋଟିଏ ନିର୍ଦ୍ଦେଶାଳୟରେ ସୀମିତ ନ ରଖି ସ୍ବତନ୍ତ୍ର ବିଭାଗ କରାଗଲେ ବେଶୀ ଲାଭ ହୁଅନ୍ତା ।

ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର: ସୀମା ଟପୁଛି ଅତ୍ୟାଚାର, ଗଡୁଛି ମୁଣ୍ଡ

ଭୁବନେଶ୍ବର: ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର । ଯାଉଛି ଜୀବନ । ନିଶା ଛାଡିବା ଆଶାରେ ଯାଇ ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ବରର ଧଉଳି ଥାନା ଅଞ୍ଚଳରେ ଥିବା ‘ସ୍ୱୀକାର’ ନାମକ ନିଶା ନିବାରଣ କେନ୍ଦ୍ରରେ ପ୍ରାଣ ହରାଇଛନ୍ତି ଅନ୍ତେବାସୀ ବିକ୍ରମ ଲେଙ୍କା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ଘଟଣାର ତଦନ୍ତ ଆରମ୍ଭ ।

ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର । ଏସ୍ଓପି, ଗାଇଡଲାଇନ ଓ ସିସିଟିଭିକୁ ନେଇ ଅନେକ ପ୍ରଶ୍ନ । ଶିଶୁଭବନ ଛକ ନିକଟ ଝରଣାସାହିର ଅଞ୍ଚଳର ୪୯ ବର୍ଷୀୟ ଯୁବକ କାଳୁ ନାୟକ । ଅତ୍ୟଧିକ ନିଶା ସେବନ କରିବାରୁ ୩ ମାସ ତଳେ ଧଉଳି ଥାନା ଅନ୍ତର୍ଗତ ‘ସ୍ୱୀକାର’ ନାମକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । କିନ୍ତୁ ହଠାତ ପରିବାର ଲୋକ ଗତକାଲି ତାଙ୍କର ମୃତ୍ୟୁ ଖବର ପାଇଥିଲେ । ଶରୀରରେ ଦାଗ ଥିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଧଉଳି ଥାନା ପକ୍ଷରୁ ଯାଞ୍ଚ କରାଯାଇଥିବାବେଳେ ନିଜେ ଥାନାଧିକାରୀ ସିସିଟିଭି ତଦାରଖ କରିବା ସହ ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ଅପେକ୍ଷା କରିଥିବା ବେଳେ ସଂସ୍ଥା ମାଲିକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଛତୁ ଫୁଟିବା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି । ଠିକ୍ ସମୟରେ ଏସବୁର ତଦାରଖ ମଧ୍ୟ ହେଉ ନାହିଁ । ଅନଭିଜ୍ଞ କର୍ମଚାରୀ ଓ ସୁରକ୍ଷାରେ ଅଭାବ ଓ ସିସିଟିଭି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ ନାହିଁ । କିଛିଦିନ ତଳେ ଧଉଳି ଥାନା ଅନ୍ତର୍ଗତ ସରଦେଇପୁରଠାରେ ଥିବା ‘ଶ୍ରଦ୍ଧା’ ନିଶା ନିବାରଣ ଗୃହ ବିରୋଧରେ ସମାନ ଅଭିଯୋଗ ଆସିଥିଲା । ଏହା ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା ସାଇକୃପା ଡିଆଡିକ୍ସନ ସେଣ୍ଟରରେ ସର୍ବେଶଷ୍ବର ବେହେରାଙ୍କୁ ପିଟି ପିଟି ମାରିବା ଘଟଣାରେ ୩ ଜଣ ଗିରଫ ହୋଇଥିଲେ । ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା କୃପା ଫାଉଣ୍ଡେସନ ଓ ଉତ୍ତରାରେ ଥିବା ଦିଶା ଫାଉଣ୍ଡେସନରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ।

ନିବାରଣ ନାଁରେ ନିର୍ଯାତନା ଦେଉଥିବା କିଛି ସଂସ୍ଥାକୁ ବ୍ଲାକଲିଷ୍ଟ କରିବା ସହ ସଂସ୍ଥା ମୁଖ୍ୟଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କଲେ ଏସବୁ ଘଟଣା ସାମ୍ନାକୁ ଆସନ୍ତା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।

ବାହାନଗା ଟ୍ରେନ ଟ୍ରେଜେଡି: ୩ ଅଚିହ୍ନା ମୃତଦେହ ସତ୍କାର, ପର୍ଯ୍ୟାୟକ୍ରମେ ସତ୍କାର ହେବ ବାକି ୨୫ ମୃତଦେହ

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଅଚିହ୍ନା ରହି ଯାଇଥିବା ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ୩ଟି ମୃତଦେହର ସଂସ୍କାର କରାଯାଇଛି । ଭରତପୁର ଶ୍ମାଶାନରେ ହୋଇଛି ୩ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ।

ବିଏମସି କର୍ତ୍ତୃପକ୍ଷଙ୍କୁ ଏମ୍ସର ମେଡିକାଲ ଅଧିକ୍ଷକ ଦିଲ୍ଲୀପ ପରିଡ଼ା BMCର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । CBIର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା ମୃତଦେହ । CBI ଟିମ୍ ଉପସ୍ଥିତିରେ ଭାରତପୁର ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ମୃତଦେହ ହସ୍ତାନ୍ତର ଠାରୁ ଶବ ସତ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ମୃତଦେହର ହେବ ଅନ୍ତିମ ସତ୍କାର ।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଭୁବନେଶ୍ଵରକୁ ୧୯୩ ମୃତଦେହ ଆସିଥିଲା । ଯେଉଁଥିରୁ ୩୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟ ଚିହ୍ନଟ କରିଥିଲେ । ଏହା ପରେ ଏମସକୁ ଆସିଥିଲା ୧୬୨ ମୃତଦେହ । ଏଥିରୁ ୮୧ଟି ଚିହ୍ନଟ ହୋଇ ପାରିନଥିଲା । ମୃତଦେହ ଚିହ୍ନଟ ପାଇଁ ୧୧୦ ଜଣ ଡିଏନଏ ନମୁନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଡିଏନଏ ମ୍ୟାଚ୍ ହେବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅବଶିଷ୍ଟ ୨୮ ମୃତଦେହର ଡିଏନଏ କାହା ସହ ମ୍ୟାଚ୍ ହୋଇ ନଥିବାରୁ ଏମସରେ ସୁରକ୍ଷିତ ଭାବେ ରଖାଯାଇଥିଲା ।

ଶ୍ରୀମନ୍ଦିର ପ୍ରବେଶ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନେଇ ଶ୍ରଦ୍ଧାଳୁଙ୍କୁ କରାଗଲା ସଚେତନ

ପୁରୀ: ଦେଶରେ ଅନ୍ୟାନ୍ୟ ହିନ୍ଦୁ ମନ୍ଦିର ଭଳି ପୁରୀ ଶ୍ରୀମନ୍ଦିରରେ ବି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରି ପ୍ରବେଶ ଉପରେ ନିଆଯାଇଛି ନିଷ୍ପତ୍ତି । ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ପୋଷାକ ପରିଧାନ ଦିଗରେ ଯତ୍ନବାନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଜନ ସଚେତନତା । ଜାନୁଆରୀରୁ କଡାକଡି ଭାବେ ପାଳନ ହେବ ନିୟମ । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସାଧାରଣରେ ସ୍ୱାଗତ କରାଯାଇଛି ।

ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର । ସେଥିପାଇଁ ପୁରୀକୁ ସବୁ ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୂଅ ଛୁଟିଥାଏ । ହେଲେ ଅଶାଳୀନ ପୋଷାକ ପରିଧାନ କରି ଆସିବାରୁ ଏହା ଧାର୍ମିକ ଭାବନା ଉପରେ ନକାତ୍ମକ ପ୍ରଭାବ ପକାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ସେବାୟତ ନିଯୋଗ ଓ ବୁଦ୍ଧିଜିବୀଙ୍କ ପରାମର୍ଶକ୍ରମେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ଶାଳୀନତାପୂର୍ଣ ପୋଷାକ ପରିଧାନ କରି ଆସିବାକୁ କୁହାଯାଇଛି ।

ବୈଠକ ନିଷ୍ପତ୍ତି କ୍ରମେ ଆଜିଠାରୁ ଜନ ସଚେତନତା ଆରମ୍ଭ ହୋଇଛି । ଅଧା କଟା, ଚିରା ଫଟା ପୋଷାକ ପରିଧାନ କରି ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ନେଇ କଟକଣା କରାଯିବ । ତେବେ ୧୨ ବର୍ଷରୁ କମ ବୟସ୍କଙ୍କ ପାଇଁ କଟକଣାରେ କୋହଳ ରଖାଯାଇଛି । ପୋଷାକ ପରିଧାନ ନେଇ ଜେଟିପି ଓ ପ୍ରତିହାରୀ ସେବାୟତମାନେ ଧ୍ୟାନ ଦେବେ ।

World Cup 2023: ଭାରତ ଓ ପାକିସ୍ତାନ ପାଖରେ ରହିଛି ଏହି ସମାନ ରେକର୍ଡ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ବିଶ୍ୱକପ୍ ଫିଭର। ଅକ୍ଟୋବର ୧୦ ତାରିଖରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା। ଏହି ମୁକାବିଲା ହାଇଦ୍ରାବାଦରେ ଖେଳାଯିବ। ପାକିସ୍ତାନ ଟିମ୍ ସମ୍ପର୍କରେ କଥା ହେଲେ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପର ପ୍ରତିଶୋଧ ନେବ ପାକିସ୍ତାନ ଟିମ୍ ।

ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କା ଥରେ ଥରେ ବିଶ୍ୱକପ ଚାମ୍ପିୟନ ହୋଇସାରିଛନ୍ତି। ODI କଥା କହିଲେ ଉଭୟ ଦେଶ ଏପର୍ଯ୍ୟନ୍ତ ୧୫୬ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ୯୨ ଟି ମ୍ୟାଚ ଜିତିଥିବାବେଳେ ଶ୍ରୀଲଙ୍କା ୫୯ ଥର ବାଜିମାତ୍ କରିଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଥିବା ବେଳେ ବାକି ୪ଟି ମ୍ୟାଚର କୌଣସି ନିଷ୍କର୍ସ ବାହାରିନଥିଲା।

ବିଶ୍ୱକପ ବିଷୟରେ କହିବାକୁ ଗଲେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ରେକର୍ଡ ଆହୁରି ଅଧିକ ପ୍ରଭାବଶାଳୀ। ବିଶ୍ୱକପରେ ଦୁଇ ଦେଶ ୮ଟି ମ୍ୟାଚ୍ ଖେଳିଥିବା ବେଳେ ସ୍କୋର ରହିଛି ୭-୦। ତେବେ ୨୦୧୯ରେ ବ୍ରିଷ୍ଟଲରେ ଆୟୋଜିତ ବିଶ୍ୱକପରେ ବର୍ଷା ଯୋଗୁଁ ODI ମ୍ୟାଚ୍ ଧୋଇ ହୋଇଯାଇଥିଲା।

ସବୁଠୁ ମଜାର ବିଷୟ ହେଉଛି ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ୭-୦ ରେକର୍ଡ ରହିଛି । ଆଉ ଏହି ସମାନ(୭-୦) ରେକର୍ଡ ଭାରତର ଚିର-ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ରହିଛି। କହିବାକୁ ଗଲେ ବିଶ୍ୱକପରେ ଶ୍ରୀଲଙ୍କା ଦଳ ପାକିସ୍ତାନକୁ କେବେବି ପରାସ୍ତ କରିପାରିନଥିବା ବେଳେ ପାକିସ୍ତାନ ମଧ୍ୟ ଭାରତକୁ ହରାଇବାରେ ସକ୍ଷମ ହୋଇ ନାହିଁ ।

ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ୧୯୭୫ ମସିହାରେ ଖେଳାଯାଇଥିବା ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ନଟିଂହାମରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ପାକିସ୍ତାନୀ ଟିମ୍ ୧୯୨ ରନ୍ ବ୍ୟବଧାନରେ ବାଜିମାତ୍ କରିଥିଲା।

ବିଶ୍ୱକପ ୨୦୨୩ର ମ୍ୟାଚ୍ ବିଷୟରେ ଆଲୋଚନା କଲେ ପାକିସ୍ତାନର ଇମାମ ଉଲ୍ ହକ୍ ଚଳିତ ଥର ODIରେ ୩ ​​ହଜାର ରନ୍ ପୂରଣ କରିବାର ସୁଯୋଗ ପାଇବେ । ଇଞ୍ଜମାମ ଉଲ ହକଙ୍କ ଭଣଜା ଇମାମ ଏପର୍ଯ୍ୟନ୍ତ ୨୯୯୧ ରନ୍ (ହାରାହାରି ୪୯.୮୫) ସ୍କୋର କରିଥିବାବେଳେ ୬୭ ଟି ODI ର ୬୬ ଇନିଂସରେ ୬ ଥର ଅପରାଜିତ ରହିଛନ୍ତି । ସେହିପରି ODI ରେ ଦ୍ରୁତତମ ୩ହଜାର ରନ୍ ସ୍କୋର ହାସଲ କରିବାରେ ହାସିମ ଆମଲା ରେକର୍ଡ ରଖିଛନ୍ତି । ସେ ଏହି ରନ୍ ମାତ୍ର ୫୭ ଇନିଂସରେ ହାସଲ କରିଛନ୍ତି ।

କେନ୍ଦ୍ରର ଆଉ ଏକ ସାର୍ଟିଫିକେଟ୍‌: ବେକାରୀ ହ୍ରାସରେ ଓଡ଼ିଶା ଦେଶରେ ଆଗରେ

ଭୁବନେଶ୍ବର: କମୁଛି ବେକାରୀ, ବଢୁଛି ନିଯୁକ୍ତି । ବେକାରୀ ହ୍ରାସରେ ଓଡ଼ିଶା ସାରା ଦେଶରେ ଆଗରେ । କେନ୍ଦ୍ର ସରକାରଙ୍କ ନିୟମିତ ଶ୍ରମଶକ୍ତି ସର୍ଭେ ପିଏଲ୍ଏଫ୍ଏସ୍ ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଶ୍ରମଶକ୍ତିରେ ଯୋଗଦାନ ହାର ବର୍ଷକ ମଧ୍ୟରେ ୫୭.୨ରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ସର୍ଭେ ରିପୋର୍ଟ ଆସିବା ପରେ ଯାହା ସତ୍ୟ, ତାହା ପୂରା ଦେଶ ସ୍ବୀକାର କରିଥିବା କହିଛି ବିଜେଡି । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଓଡ଼ିଶାକୁ କେନ୍ଦ୍ରର ଆଉ ଏକ ସାର୍ଟିଫିକେଟ୍‌ । ଓଡ଼ିଶାରେ କମିଛି ବେକାରୀ । ଓଡ଼ିଶାରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି ବେକାରୀ । ବଡ଼ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । ରୂପାନ୍ତରଣ ପଥରେ ଓଡ଼ିଶା ଆଗକୁ ଚାଲିଛି । ଆର୍ଥିକ ପରିଚାଳନାରେ ସଶକ୍ତ ହେବା ଓ ମୁଣ୍ଡପିଛା ଋଣ କମିବା ସହ ଦ୍ରୁତଗତିରେ ହ୍ରାସ ପାଇଛି ବେକାରୀ । ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି । ଗତବର୍ଷ ଏହି ସମୟରେ ଏହା ୧୧.୫ ପ୍ରତିଶତ ଥିଲା । ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ୮.୫ ପ୍ରତିଶତକୁ ହ୍ରାସ ପାଇଛି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୦ ପ୍ରତିଶତରୁ ୬.୨ ପ୍ରତିଶତକୁ ହ୍ରାସ ପାଇଛି । ଶ୍ରମଶକ୍ତିରେ ଯୋଗଦାନ ହାର ୧୫ରୁ ୨୯ ବର୍ଷ ବୟସ ବର୍ଗର ପୁରୁଷଙ୍କ କ୍ଷେତ୍ରରେ ୨୦୨୨ ଏପ୍ରିଲ୍ -ଜୁନରୁ ୨୦୨୩ ଏପ୍ରିଲ୍ ଜୁନ୍ ମଧ୍ୟରେ  ୫୭.୨ ପ୍ରତିଶତରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆର୍ଥିକ ପରିଚାଳନାରେ ପୂରା ଦେଶକୁ ବାଟ ଦେଖାଇଥିବା ବେଳେ ଏବେ ବେକାରୀ ହ୍ରାସରେ ନୂଆ ରେକର୍ଡ କରିଛି ।

କ୍ରମାଗତ ଭାବେ ଓଡ଼ିଶାରେ ବେକାରୀ କମୁଛି । ଶିଳ୍ପାୟନରେ ନୂଆ ଅଧ୍ୟାୟ ଆରମ୍ଭ ହେବା ସହ ବିଦେଶୀ ପୁଞ୍ଜିନିବେଶରେ ଦେଶର ତୃତୀୟ ସ୍ଥାନରେ ରହିଛି ଓଡ଼ିଶା । ଓଡ଼ିଶା ଆଇଟି ହବରେ ପରିଣତ ହେଉଛି । ବିଭିନ୍ନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଅଧିକ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହେଉଛନ୍ତି । ଆଗକୁ ସବୁ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛି ବିଜେଡି ।

ବେକାରୀ ସମସ୍ୟା ସାରା ଦେଶ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଓଡ଼ିଶାରେ ଏହା ଦ୍ରୁତଗତିରେ କମି ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇଛି । ଆଗକୁ ଦକ୍ଷତା ବିକାଶ ଦ୍ବାରା ହଜାର ହଜାର ଯୁବକ ଯୁବତୀ ରୋଜଗାର ପାଇବେ ।

ବିବାହରେ ପର୍ଫମ ପାଇଁ ସଲମାନ ଶାହାରୁଖଙ୍କଠୁ ଅଧିକ ଫିସ୍‌ ନିଅନ୍ତି ଅରିଜିତ

ନୂଆଦିଲ୍ଲୀ:  ମହଙ୍ଗା ବିବାହରେ ସେଲିବ୍ରିଟି ପର୍ଫମ କରିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ୫ ମିନିଟର ପର୍ଫମାନ୍ସ ପାଇଁ ତାରକାମାନେ ନେଉଛନ୍ତି କୋଟି କୋଟି ଟଙ୍କା ।  ଇଭେଣ୍ଟ ମ୍ୟାନେଜର୍ସ ଏବଂ ଇଣ୍ଡଷ୍ଟ୍ରି ଏକ୍ସପର୍ଟସଙ୍କ କହିବା ମୁତାବିକ ସଲମାନ ଏବଂ ଶାହାରୁଖଙ୍କ ଭଳି ଅଭିନେତା  ବିବାହରେ ପର୍ଫମାନ୍ସ କରିବା ପାଇଁ  ୩ କୋଟିରୁ ଅଧିକ ଚାର୍ଜ କରନ୍ତି ।   ରଣବୀର ସିଂ ୧ କୋଟି ୭୫ ଲକ୍ଷ,  ରଣବୀର କପୂର ୧ କୋଟି ୫୦ ଲକ୍ଷ,  ଆଲିୟା ଭଟ୍ଟ ଏବଂ ଦୀପିକା ପାଦୁକୋନ  ୧ କୋଟି ୫୦ ଲକ୍ଷ ଚାର୍ଜ କରନ୍ତି ।  ଖାସ୍‌ କଥା ହେଉଛି ଅଭିନେତାଙ୍କ ତୁଳନାରେ କଣ୍ଠଶିଳ୍ପୀ ଅଧିକ ଟଙ୍କା ଡିମାଣ୍ଡ କରନ୍ତି ।   କିନ୍ତୁ ଏମିତି କିଛି ସିଙ୍ଗର ଅଛନ୍ତି ଯେଉଁମାନେ  ଆକ୍ଟରଙ୍କଠାରୁ ଅଧିକ ଚାର୍ଜ କରନ୍ତି ।

ଆମେ କହୁଛୁ ବଲିଉଡର ଭର୍ସାଟାଇଲ ସିଙ୍ଗର ଅରିଜିତ ସିଂଙ୍କ ବିଷୟରେ ।  ଅରିଜିତ ସିଂ ଖୁବ୍‌ କମ୍‌ ବିବାହ ଫଙ୍କସନରେ ପର୍ଫମ କରନ୍ତି । କିନ୍ତୁ ଯେବେ ମଧ୍ୟ ପର୍ଫମ କରନ୍ତି ସବୁଠୁ ଅଧିକ ଚାର୍ଜ କରନ୍ତି ।  ଅତି କମରେ ଅରିଜିତ ୫ କୋଟି ଚାର୍ଜ କରନ୍ତି ।  ଏପି ଢ଼ିଲୋଙ୍କ ଭାଲ୍ୟୁ ମଧ୍ୟ ଯଥେଷ୍ଟ ଅଧିକ ।  ବିବାହରେ ପର୍ଫମ କରିବା ପାଇଁ ପ୍ରାୟ ୪ କୋଟି ଚାର୍ଜ କରନ୍ତି ।  ତେବେ ସେମାନେ ଆସିବା ପୂର୍ବରୁ ତାଙ୍କ ଟିମ୍‌ ପ୍ରଥମେ ଭେନୁଙ୍କୁ ଯାଇ ତଦାରଖ କରନ୍ତି ।

ବିବାହରେ ପର୍ଫମ ପାଇଁ ଗୁରୁ ରନ୍ଧଓ୍ୱା,ମିକା ସିଂ,ହନି ସିଂ,ନେହା କକ୍କର ଏବଂ ଅଖିଲ ସଚଦେବା ଭଳି ସିଙ୍ଗରଙ୍କୁ ଅଧିକ ଅଫର ଆସେ । ଏକ୍ସପର୍ଟଙ୍କ କହିବା ହେଉଛି ବିବାହରେ ଅଭିନେତାଙ୍କ ଠାରୁ ଅଧିକ କଣ୍ଠଶିଳ୍ପୀଙ୍କ ଡିମାଣ୍ଡ ଅଧିକ ।  କିନ୍ତୁ ଏମାନଙ୍କୁ ନେବାକୁ ହେଲେ ଖାସ୍‌ ବ୍ୟବସ୍ଥା କରିବାକୁ ପଡ଼େ । ଯେପରିକି ଟ୍ରଭେଲିଙ୍ଗ ପାଇଁ ଚାର୍ଟାର୍ଡ଼ ପ୍ଲେନର ବ୍ୟବସ୍ଥା କରିବାକୁ ପଡ଼େ । ପ୍ରେସିଡେନ୍ସିଆଲ ସୁଇଟ ବୁକ୍‌ କରିବାକୁ ପଡ଼େ ।  କିନ୍ତୁ ସେମାନେ କେବେ ମଧ୍ୟ ଓଭର ଡିମାଣ୍ଡ କରନ୍ତି ନାହିଁ । ସେଲିବ୍ରିଟିଙ୍କୁ ନେଇ ଉଡ଼ା ଖବର ଆସେଯେ ସେମାନେ ଅଧିକ ନଖରା ଦେଖାନ୍ତି । ଏହା କିନ୍ତୁ ମିଛ ।  ତାଙ୍କ ଡିମାଣ୍ଡ ପୂରଣ କରିଦେଲେ କିଛି ସମସ୍ୟା ନଥାଏ ।

ଉଦିତ ନାରାୟଣ ଏବଂ ଅଭିଜିତ ଦାଙ୍କ ଡିମାଣ୍ଡ ଏବେ ମଧ୍ୟ କମିନି । ଏମାନେ ୨୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଚାର୍ଜ କରନ୍ତି ।  ତେବେ କୋଭିଡ ପରେ ପରେ ବଲିଉଡ ଷ୍ଟାର ଫିସ୍‌ ଅଧିକ ବଢ଼ାଇ ଦେଇଛନ୍ତି