ବିଜେପି ବିଧାୟକଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ ଓ ଜିଲ୍ଲାପରିଷଦ

ନୀଳଗିରି: ଆଦିବାସୀ ବ୍ଲକ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ସରପଞ୍ଚଙ୍କୁ ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ। ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ୧୦ ଜଣ ସରପଞ୍ଚ ଓ ଜିଲ୍ଲାପରିଷଦ। ଆଗାମୀ ଦିନରେ ବିଜେପି ବିଧାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରାଯିବ। ରାଜ୍ୟ ସରକାରଙ୍କ ଯୋଜନାରେ ନିର୍ମିତ ପ୍ରକଳ୍ପକୁ ଦଳୀୟ ଢଙ୍ଗରେ ବିଜେପି ବିଧାୟକ ଏବଂ ସାଂସଦ ଉଦ୍ଘାଟନ କରି ଶ୍ରେୟ ନେବାକୁ ଉଦ୍ୟମ କଲେ ହଜାର ହଜାର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ।

ଗତକାଲି ନୀଳଗିରି ବ୍ଲକ କଳାକାଦ ଗାଁରେ ଏକ ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିଲେ ବିଧାୟକ ସୁକାନ୍ତ ନାୟକ। ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବିଧାୟକ ସମ୍ପୂର୍ଣ୍ଣ ଦଳୀୟ ଢଙ୍ଗରେ କରିଥିଲେ। ଦଳୀୟ ପତାକା ବାନ୍ଧି ମାଇଲେଜ ନେବାକୁ ଉଦ୍ୟମ କରିଥିଲେ ବିଜେପି ବିଧାୟକ। ଯାହାକୁ ସ୍ଥାନୀୟ ସରପଞ୍ଚ ବିରୋଧ କରିଥିଲେ।

ଘଟଣାସ୍ଥଳରେ କିଛି ବିଜେପି କର୍ମୀ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ଠେଲାପେଲା କରିବା ସହିତ ସରପଞ୍ଚଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥଲେ। ଉଭୟ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଜାରି ରଖିଛି।