୨୦୨୩ରେ ଜାତୀୟ ରାଜନୀତିରେ ଏହି ୧୦ ଘଟଣା ଚର୍ଚ୍ଚାରେ ଥିଲା

1 min read

ନନ୍ଦିଘୋଷ ବ୍ୟୁରୋ: ସରିସରି ଯାଉଛି ୨୦୨୩ । ନୂଆ ଆଶା , ଆକାଂକ୍ଷା ଏବଂ ସମ୍ଭାବନା ନେଇ ଆସିବ ନୂତନ ବର୍ଷ ।  ବିଦାୟ ବର୍ଷରେ ସରଗରମ ରହିଥିଲା ଅର୍ନ୍ତଜାତୀୟ , ଜାତୀୟ ଏବଂ ରାଜ୍ୟ ରାଜ୍ୟନୀତି ।  କେଉଁଠି ସରକାର ଭାଙ୍ଗିଥିଲା ତ କେଉଁଠି ଗଢିଉଠିଥିଲା ନୂଆ ସରକାର । ପୁଣି କେଉଁଠି ଦେଖିବାକୁ ମିଳିଥିଲା ନେତାଙ୍କ ଶକ୍ତି ପ୍ରଦର୍ଶନ । ଜାତୀୟ ରାଜନୀତିରେ ବି ଲାଗିଥିଲା ନିଆଁ । ଅନେକ ବିବାଦୀୟ ଓ ବିତର୍କିତ ପ୍ରସଙ୍ଗ କୁ ନେଇ ମୁହାଁମୁହିଁ ହୋଇଥିଲେ ବିରୋଧୀ ଏବଂ ଶାସକ  । ଦେଖିବାକୁ ମିଳିଥିଲା ସତ୍ତାର  ଖେଳ । କ୍ଷମତା ପାଇଁ ଚାଲିଥିଲା ଜୋରଦାର୍ ଲଢେଇ । ରାଜନୀତି ମଇଦାନରେ କିଏ ବାଜି ମାରିଥିଲା ତ କିଏ ମାତ୍ ଖାଇଥିଲା  । ରାଜ୍ୟ ରାଜନୀତି ବି ବେଶ୍ ସରଗରମ୍  ରହିଥିଲା । ୨୦୨୩ରେ ଲୋକେ ରାଜନୀତି ର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣାର ସାକ୍ଷୀ ରହିଛନ୍ତି  । ଏହି ବର୍ଷ ଦେଶରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ । ଦେଶର ସଂସଦ ତଥା ରାଜ୍ୟସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ଅଂଶଗ୍ରହଣ କରିବେ ବୋଲି ଆଇନ୍ ପ୍ରସ୍ତୁତ ହୋଇଥିଲା । ଏହି ବର୍ଷ ବିରୋଧୀ ଦଳର ବରିଷ୍ଠ ନେତା ତଥା କଂଗ୍ରେସ୍ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ ଲୋକସଭାର ସଦସ୍ୟ ହେବା ପାଇଁ ଅଯୋଗ୍ୟ ବୋଲି ଘୋଷଣା କରାଗଲା । କିନ୍ତୁ ପରେ ତାଙ୍କୁ ନିଜର ସାଂସଦ ପଦ ବଞ୍ଚେଇବା ପାଇଁ ସୁପ୍ରିମକୋର୍ଟ ଯିବାକୁ ପଡିଥିଲା । ରାଜନୀତି ଜଗତରେ ଏମିତି ଅନେକ ଘଟଣା ଲୋକଙ୍କ ନଜର ଆଢୁଆଳକୁ ଆସିଥିଲା । ଆସନ୍ତୁ ଜାଣିବା ଏହି ବର୍ଷର ୧୦ଟି ବଡ ରାଜନୈତିକ ଘଟଣାକ୍ରମ  ।

୧-କୁସ୍ତି ଯୋଦ୍ଧା ଆସୋସିଏସନ୍ ର ପୂର୍ବ ସଭାପତି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ମାମାଲା ଉଠାଇଥିଲେ ଖେଳାଳି । ଗୋଟେ ପଟେ ଷ୍ଟାର ରେସଲର୍ ବଜରଙ୍ଗ୍ ପୁନିଆ, ସାକ୍ଷୀ ମଲ୍ଲିକ୍ , ବିନେଶ୍ ଫୋଗାଟ୍ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଧାରଣା ଦେଇଥିଲେ । କିନ୍ତୁ ପରେ ଆସୋସିଏସନ୍ ର ସଭାପତି ଭାବେ ବ୍ରିଜ୍ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ଙ୍କୁ ମନୋନୀତ କରାଯାଇଥିଲା  ।  ସଞ୍ଜୟ ସିଂହ ଙ୍କୁ ବିରୋଧ କରି ଷ୍ଟାର ରେସଲର୍ ମାନେ ନିଜର ସମ୍ମାନୀତ ପଦବୀ ଫେରାଇବା ସହ ଖେଳ ଛାଡିବା ଯାଏଁ ନିଷ୍ପତ୍ତି ନେଇଥିଲେ । ଖେଳାଳୀ ମାନଙ୍କ ଦୃଢ ବିବାଦ ପରେ  କୁସ୍ତି ଯୋଦ୍ଧା ଆସୋସିଏସନ୍ ହିଁ ଭାଙ୍ଗିଯାଇଥିଲା  ।

୨- ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୨୬ ଫେବୃଆରୀରେ ସିବିଆଇ ଗିରଫ କରିଥିଲା  । ସିସୋଦିଆଙ୍କର ଏହି ଗିରଫ ପଛରେ ମଦ ନୀତି ସହ ଜ଼ଡିତ ଏକ ମାମଲା ରହିଥିଲା  ।  ଏହି ମାମଲା ଫଳରେ ସିସୋଦିଆ ମାର୍ଚ୍ଚ ୧ ରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ।  କହି ରଖୁଛୁ ଯେ , ଆମ୍ ଆଦମୀ ପାର୍ଟିର ବହୁ ବରିଷ୍ଠ ନେତା ଅଲଗା ଅଲଗା ମାମଲାରେ ଗିରଫ ହୋଇଛନ୍ତି  ।

୩-  ୨ ମାର୍ଚ୍ଚ ରେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣି ୨ଟି ରାଜ୍ୟରେ  ବିଜେପି ନିଜର ଦବଦବା ଜାରି ରଖିଥିଲା  । ବିଜେପି ତ୍ରିପୁରା ଏବଂ ନାଗାଲାଣ୍ଡରେ ନିଜର ସରକାର ବନେଇରଖିଥିଲା ବେଳେ ମେଘାଳୟରେ ପିପୁଲସ୍ ପାର୍ଟିର ସରକାର ଗଠନ କରିଥିଲା  ।

୪- କଂଗ୍ରେସର ପୂର୍ବତନ ସଭାପତି ତଥା  ଓ୍ବାୟନାଡ୍ ଲୋକସଭା ଆସନରୁ ସାଂସଦ ରାହୁଲ୍ ଗାନ୍ଧୀଙ୍କ ସଦସ୍ୟତାକୁ  ଏକ ମାମଲାରେ ଅଦାଲତ ରଦ୍ଦ କରିଥିଲେ ।  ମୋଦୀଙ୍କ ନାଁ ବଦନାମ୍ କରିବା ମାମଲାରେ ରାହୁଲ୍ ଙ୍କୁ ୨ ବର୍ଷର ଜେଲ୍ ଦଣ୍ଡ ମିଳିଥିଲା  । କିନ୍ତୁ ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବା ପରେ ଯାଇ ରାହୁଲ୍ ପୁଣି ନିଜ ସଂସଦ ସଦସ୍ୟତା ଫେରିପାଇଥିଲେ  ।

୫- କର୍ଣାଟକ ରେ ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର୍  ପ୍ରଦର୍ଶନ ବିଜେପିକୁ କ୍ଷମତାରୁ ହଟେଇଦେଇଥିଲା   । କଂଗ୍ରେସ୍ ବିଧାନସଭା ଆସନ ୨୨୪ରୁ ୧୩୫ରେ ଜିତିବା ପରେ ବହୁମତରେ ସରକାର ଗଢିଥିଲା  । କର୍ଣ୍ଣାଟକ ନିର୍ବାଚନରେ ପରାଜୟ ପରେ ଦକ୍ଷିଣ ଭାରତରେ ବିଜେପିର  ସବୁଠୁ ଶକ୍ତିଶାଳୀ ଦୁର୍ଗର ପତନ ହୋଇଥିଲା ।

୬- ୨୮ ମେ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ  ଦେଶର ନୂଆ ସଂସଦ ଭବନ ଉଦଘାଟନ କରିଥିଲେ  ।  ତେବେ ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନରେ ବି ବାଦ ବିବାଦରେ ଫସି ରହିଯାଇଥିଲା  ।  ଏହି ସଂସଦ ଭବନ ଉଦଘାଟନ ଉତ୍ସବରେ ମୋଟ ୨୦ଟି ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିଥିଲେ  ।

୭- ୧୮ ଜୁଲାଇରେ ବିରୋଧୀ ଦଳ ଇଣ୍ଡିଆ ନାମରେ ଏକ ମେଣ୍ଟର ଘୋଷଣା କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟେଇବା ଏହି ମିଳିତ ମେଣ୍ଟର ଉଦ୍ଦେଶ୍ୟ ଥିଲା ।

୮- ସଂସଦରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମଞ୍ଜୁରୀ ଦେଇଥିଲେ । ଏହା ପରେ ଏହି ବିଲ୍ ଟି ଆଇନରେ ପରିଣତ ହୋଇଥିଲା ।  ଏହା ସହ ଲୋକସଭା ତଥା ରାଜ୍ୟର ସମସ୍ତ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯାଇଛି  । ଏହି ବିଲ୍ ରେ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏବଂ ୨୧ରେ ରାଜ୍ୟସଭାରେ ଅନୁମୋଦନ କରାଯାଇଥିଲା  ।

୯-  ଡିସେମ୍ବର ୩ରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନା ନିର୍ବାଚନର ଫଳ ଘୋଷିତ ହୋଇଥିଲା  । ଏଥିରେ ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ  ବିଜେପି ନିଜର ଦମଦାର ବିଜୟ ପ୍ରଦର୍ଶନ କରିଥିଲା  । ଯେଉଁଥିରେ କି ବିଜେପି  ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସକୁ କ୍ଷମତାରୁ ହଟେଇ ଦେଇଥିଲା  । ଏବଂ ମଧ୍ୟପ୍ରଦେଶରେ ନିଜର କ୍ଷମତା ବଜାୟ ରଖିଥିଲା  । ଅନ୍ୟପଟେ ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ ବିଜୟ ହାସଲ କରିଥିଲା ।

୧୦- ତୃଣମୂଳ କଂଗ୍ରେସର ନେତ୍ରୀ ମୋହୁଆ ମୋଇତ୍ରାଙ୍କୁ ଟଙ୍କା ବଦଳରେ  ପ୍ରଶ୍ନ ପଚାରିବା ମାମଲାରେ ଡିସେମ୍ବର ୮ରେ ଲୋକସଭା ଆଚାର ସମିତିର ରିପୋର୍ଟ ଆଧାରରେ ଅନୈତିକ ଆଚରଣ ପାଇଁ ସଂସଦରୁ ବହିଷ୍କୃତ କରାଯାଇଥିଲା  ।