ବଲାଙ୍ଗୀରରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା, ଦୁଇ ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀ ସମ୍ପର୍କୀୟ ମାଡ ମାରିବା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୁଇ ଜଣ ଗିରଫ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ମେଡିକାଲ କଲେଜରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ଓ ଏସପି । ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଅଭିଯୁକ୍ତ ଗିରଫ ହେବା ସହ ସୁରକ୍ଷାର ପ୍ରତିଶ୍ରୁତି ମିଳିବା ପରେ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଗତକାଲି ମହିଳା ରୋଗୀଙ୍କ ସ୍ବାମୀ ଓ କିଛି ଯୁବକ, ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଡାକ୍ତର ବିଶ୍ବରଞ୍ଜନ ସ୍ବାଇଁ ମେଡିକାଲ କଲେଜ ହସ୍ପିଟାଲରୁ ଓପିଡି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଶାନ୍ତିପଡ଼ାରେ ତାଙ୍କୁ ଆକ୍ରମଣ ହୋଇଥିଲା । କାଚ ବୋତଲ ଓ ଲୁହା ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଅନ୍ୟ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।