ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

1 min read

ଭୁବନେଶ୍ୱର: ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଗତ ମାର୍ଚ୍ଚ ମାସ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ପ୍ରଦୀପ। ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରୁଥିଲା। ତେବେ ଏହାପୂର୍ବରୁ ଆଉ ୬ ମାସ ଯାଏଁ ବଢାଯାଇଛି ତାଙ୍କ କାର୍ଯ୍ୟକାଳ।

୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ। କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମିକା ଥିଲା। ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ।  ଓଡ଼ିଶା ଆର୍ଥିକ ଭାବେ ଦୁର୍ବଳ ଥିବା ସମୟରେ ଶ୍ରୀ ଜେନା ଉଲ୍ଲେଖନୀୟ କାମ କରିଥିଲେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ କାମ କରିଥିଲେ ପ୍ରଦୀପ ଜେନା । ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ପ୍ରଦୀପ ଜେନା ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ରାଜ୍ୟ ଉପରେ ବାତ୍ୟା ବିପତ୍ତି ଥିବା ବେଳେ ସେ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇଥିଲେ । କୋଭିଡ ଲକଡାଉନ ବେଳେ ଟିମ୍‌ ସ୍ପିରିଟରେ କାମ କରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିଥିଲେ ପ୍ରଦୀପ ଜେନା । ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଜାତୀୟ ସ୍ତରରେ ରେକର୍ଡ କରିଥିଲେ। ୟୁଏନଡିପିର ସଦସ୍ୟ ଭାବେ ମଧ୍ୟ କାମ କରି ପ୍ରଶଂସା ମଧ୍ୟ ସାଉଁଟିଛନ୍ତି ପ୍ରଦୀପ। ଓଡ଼ିଶା ସରକାରଙ୍କର ପୁର୍ନବାସ ଓ ଥଇଥାନ ନୀତି ବିକାଶ କରିବାରେ ପ୍ରଦୀପ ଜେନାଙ୍କର ପ୍ରମୁଖ ଭୂମିକା ଥିଲା। କିଛି ଦିନ ପାଇଁ ପଞ୍ଚାୟତି ବିଭାଗର ସଚିବ ମଧ୍ୟ ଥିଲେ । ୨୦୨୦ ଡିସେମ୍ବରରେ ସେ ଉନ୍ନୟନ୍ନ କମିଶନର ଭାବେ ନିଯୁକ୍ତି ପାଇଥିଲେ।