spot_img
Home Blog Page 2274

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୱାକାଥନର ଆୟୋଜନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୱାକାଥନର ଆୟୋଜନ। ଶୀତୁଆ ସକାଳରେ ବରିଷ୍ଠ ନାଗରିକଙ୍କ ସହ ଶତାଧିକ ସଂଖ୍ୟାରେ ଲୋକେ ଏହି ୱାକାଥନରେ ସାମିଲ ହୋଇଥିଲେ। ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇ ଓ୍ବାକଥନରେ ଭାଗ ନେଇଥିଲେ। ଓ୍ବାକଥନକୁ ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ତେବେ ଶରୀରକୁ ସୁସ୍ଥ ରଖିବା ସହ ଆସନ୍ତା ୨୪ ତାରିଖ ରବିବାର ଦିନ ଜନପଥରେ ହେବାକୁ ଥିବା ପଥ ଉତ୍ସବର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ଓ୍ବାକାଥନ କରାଯାଇଛି। ପଥ ଉତ୍ସବରେ କିଭଳି ଅଧିକ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ନୃତ୍ୟ, ଗୀତ, ଖେଳକୁଦରେ ନିଜକୁ ମତୁଆଲା କରିବେ ସେନେଇ ବାର୍ତ୍ତା ଦିଆଯାଇଛି।

ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଜନବସତି ମୁହାଁ ହାତୀ

ବାଲେଶ୍ୱର : ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିଚାଲିଛି। ପୁଣି ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ କୁଳଡିଆ ହାତୀ। ଭୋର ସମୟରେ ଦେବଗିରି ପାହାଡ଼ ନିକଟ ଶୂନ୍ୟମଣ୍ଡପଠାରେ ଏକ ହାତୀ ଧାନ ଖାଇବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ହାତୀକୁ ନେଇ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳରେ ଧାନ ଅମଳ ଆରମ୍ଭ ହୋଇଥିବାବେଳେ ହାତୀ ଫସଲ ନଷ୍ଟ କରିବା ଚିନ୍ତା ବଢାଇଛି। ଧାନ ଖାଇବାକୁ ହାତୀମାନେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି।

ଅନ୍ୟପଟେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଞ୍ଜ ଅନ୍ତର୍ଗତ କଦମବାହାଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ କଦମବାହାଲ ଗ୍ରାମର ୬୩ ବର୍ଷୀୟ ଚାରଓ୍ବା ଏକ୍କା। ରାତିରେ ଘର ନିକଟରେ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ଉଦ୍ଧାର କରି ବନ ବିଭାଗ ଓ ପୋଲିସ ତଦନ୍ତ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବାରବାଟୀ ଷ୍ଟାଡିୟମର ବିକାଶ

କଟକ : ରୂପାନ୍ତରିତ ହେବ କଟକ ବାରବାଟୀ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବାରବାଟୀ ଷ୍ଟାଡିୟମର ବିକାଶ। ଆସନ୍ତା ୫୦ ବର୍ଷକୁ ଆଖିଆଗରେ ରଖି ଷ୍ଟାଡିୟମର କରାଯିବ ନବକଳେବର। ଏହାକୁ ନୂତନ ରୂପ ଦିଆଯିବା ସହ ଚତୁଃପାର୍ଶ୍ବ ଅଞ୍ଚଳର କରାଯିବ ବିକାଶ। ଓଡିଶା କ୍ରିକେଟ ଆସୋସିଏସନ, ଓଡିଶା ଅଲିମ୍ପିକ୍ସ ଆସୋସିଏସନ ଓ ରାଜ୍ୟ ସରକାର ମିଳିତ ଭାବରେ ବାରବାଟୀ ଷ୍ଟାଡିୟମର ବିକାଶ କରିବେ। ଏନେଇ ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଷ୍ଟାଡିୟମରେ ବର୍ତ୍ତମାନ ୪୪ ହଜାର ଦର୍ଶକ ବସି ମ୍ୟାଚ ଦେଖିବାର ସୁବିଧା ରହିଛି। ଏହାର ରୂପାନ୍ତରଣ ପରେ ପାଖାପାଖି ୬୦ ହଜାର ଦର୍ଶକ ବସିବାର ସୁଯୋଗ ପାଇବେ। ଓସିଏ ପକ୍ଷରୁ ଆସନ୍ତା ୩ ମାସ ମଧ୍ୟରେ ପ୍ରାଥମିକ ପ୍ଲାନ ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ।

ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼

ଭଦ୍ରକ: ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ଼ ହୋଇଛି। ଭଦ୍ରକ ଟାଉନ ଥାନା ଅଞ୍ଚଳରେ ନିଜ ଘରେ ଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ ଭୋର ସାଢେ ୪ଟାରେ ଚାରିଘରିଆରେ ନିଜ ଘରେ ପୂର୍ବତନ ସିଡିଏମଓ ଥିବାବେଳେ ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ। ପରେ ରଘୁନାଥଙ୍କୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରଘୁନାଥଙ୍କ ଦେହର ୭ରୁ ଅଧିକ ସ୍ଥାନରେ ଛୁରାମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚୋରି ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଆସି ଛୁରାମାଡ କରିଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ, ରେଳ ଧାରଣା ଉ୍ଡ଼ାଇଲେ ନକ୍ସଲ

ଝାରଖଣ୍ଡ: ପୁଣି ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ଓଡ଼ିଶା ସୀମାନ୍ତ ଝାରଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଚାଇବାସା ଅଞ୍ଚଳରେ ରେଳ ଧାରଣା ଉ୍ଡ଼ାଇଲେ ନକ୍ସଲ। ମନୋହରପୁର ନିକଟ ବିରୁୱା ନିକଟରେ ଏହି ବିସ୍ଫୋରଣ ଘଟିଛି। ଟ୍ରାକରେ ବୋମା ବିସ୍ଫୋରଣ କରି ରେଳ ଧାରଣା ଉଡାଇ ଦେଇଛନ୍ତି ମାଓବାଦୀ।

ସୂଚନା ଅନୁଯାୟୀ, ବିସ୍ଫୋରଣ ଘଟିଥି୍ବା ଟ୍ରାକର ଅପରପକ୍ଷ ଟ୍ରାକରେ ଆସୁଥିବା ଏକ ମାଲଗାଡ଼ିର ସଦସ୍ୟ ଦେଖି ପାଖ ଷ୍ଟେସନକୁ ଖବର ଦେଇଥିଲେ। ଏହାପରେ ସେହି ଲାଇନରେ ଆସୁଥିବା ସମସ୍ତ ଟ୍ରେନକୁ ରୋକିଥିଲେ ଷ୍ଟେସନମାଷ୍ଟର। ରେଲୱେ ଟ୍ରାକରେ ବିସ୍ଫୋରଣ ଯୋଗୁଁ ପାଖାପାଖି ୨୨ଟି ଟ୍ରେନର ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇ-ହାୱାଡା ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଗୋଇଲକେରା ଏବଂ ପୋସୈତା ଷ୍ଟେସନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଶାଲିମାର କୁର୍ଲା ଏକ୍ସପ୍ରେସକୁ ଗୋଇଲକେରା ଷ୍ଟେ୍ସନରେ ଅଟକାଇ ଦିଆଯାଇଥିଲା ।

ଆଜି ସବୁଠୁ ଛୋଟ ଦିନ, ଆଜିଠୁ ହେବ ଅନେକ ପରିବର୍ତ୍ତନ

ଭୁବନେଶ୍ୱର: ଆଜି ସବୁଠୁ ଛୋଟ ଦିନ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହାବର୍ଷର “ସବୁଠାରୁ ଛୋଟ ଦିନ” ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ସବୁଠାରୁ  ଛୋଟ ଦିନରୁ ଉତ୍ତର ମେରୁରେ ଶୀତଦିନ ଆରମ୍ଭ ହୁଏ। ଫଳରେ ଦକ୍ଷିଣ ମେରୁରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ। ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ରହେ।

ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ଘୂରୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ  ବା ଏକା ଯାଗାରେ ଅସ୍ତ ଯାଏ ନାହିଁ। ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ  ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ଜୁନମାସ ୨୧ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେ ଧୀରେ ଦକ୍ଷିଣ  ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରି ଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।

ଭୁବନେଶ୍ୱର ପାଇଁ ଚଳିତ ବର୍ଷ ଡିସେମ୍ବର ୨୨ ତାରିଖରେ ସବୁଠାରୁ ଛୋଟ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ। ସେହିଭଳି ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। କିନ୍ତୁ ଭୁବନେଶ୍ୱରରେ ଡିସେମ୍ବର ୧୬ ରୁ ଡିସେମ୍ବର୨୮ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା୫ ମିନିଟ୍ ହୁଏ। ଡିସେମ୍ବର ୨୨ ତାରିଖରେ ସୁନ୍ଦରଗଡ ଓ ମାଲକାନଗିରିଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୦୧ ମିନିଟ୍ ହେବ। ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ।

ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼, ଶୂନ ଡିଗ୍ରୀରେ ଥରୁଛି ଶିମିଳିପାଳ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼। ୧୦ ଡିଗ୍ରୀ ତଳେ ଅଧାରୁ ଅଧିକ ସହରର ତାପମାତ୍ରା । କିଛି ସ୍ଥାନର ତାପମାତ୍ରା ୫ ଡିଗ୍ରୀ ତଳକୁ ମଧ୍ୟ ଖସିଛି। ଶୂନ ଡିଗ୍ରୀରେ ଥରୁଛି ଶିମିଳିପାଳ। ଶିମିଳିପାଳର ଉପରବାରାକାମୁଡାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚହଲାଠାରେ ତାପମାତ୍ରା ୩ ଡିଗ୍ରୀ ଥିବାବେଳେ ନଓ୍ବାଣାରେ ୬ଡିଗ୍ରୀ, ଗୁରୁଗୁରିଆରେ ୮, କିଆଝରି ଓ ବରେହିପାଣିରେ ୧୦ଡ଼ିଗ୍ରୀ ଓ ଯଶିପୁରଠାରେ ୧୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବିଶେଷକରି କନ୍ଧମାଳର ପୁଲବାଣୀ, ଜି.ଉଦୟଗିରି, ଦାରଙ୍ଗିବାଡ଼ି, କୋରାପୁଟର ସେମିଳିଗୁଡ଼ା, ସୁନ୍ଦରଗଡ଼ର କିରେଇ, କେନ୍ଦୁଝର, ସୁନ୍ଦରଗଡ଼, ବାରିପଦା ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ଅନ୍ୟପଟେ ଆଜି ପରଠୁ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇପାରନ୍ତି ରାଜ୍ୟବାସୀ। ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆଜି ପରେ କମିପାରେ। ଆସନ୍ତା ଦୁଇଦିନ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି। ଘନ କୁହୁଡି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ କୁହୁଡି ଅଧିକ ମାତ୍ରାରେ ରହିବ।

ସଂସଦରୁ ନିଲମ୍ବନ ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ଆଉ ଚଳିବନି ତାନାଶାହୀ। ଗଣତନ୍ତ୍ରର କଣ୍ଠରୋଧକୁ କରାଯିବନି ବରଦାସ୍ତ। ଯୁକ୍ତିଯୁକ୍ତ ଓ ଯଥାର୍ଥ କାରଣକୁ ନେଇ ଦାବି ଉଠାଇବା ପଡୁଛି ମହଙ୍ଗା। ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦ ସରକାରଙ୍କ ବିବୃତି ଦାବି କରି ନିଲମ୍ବିତ ହେବା ପରେ ତାତିଛି ଇଣ୍ଡିଆ ମେଣ୍ଟ। ଆଜି ସାରା ଦେଶରେ ଇଣ୍ଡିଆ ମେ ଣ୍ଟ କରିବ ପ୍ରତିବାଦ। ସାଂସଦଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେବା ଲାଗି ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବିରୋଧରେ ସାଂସଦ କରିବେ ଗର୍ଜନ। ଦେଶବ୍ୟାପୀ ବିରୋଧ କରିବାକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କରିଥିଲେ ଘୋଷଣା।

ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି ବୋଲି ବିରୋଧୀ ନେତା ଅଭିଯୋଗ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ୧୪୬ ସାଂସଦଙ୍କୁ କରାଯାଇଛି ସସପେଣ୍ଡ ।

ଆଜି ଯୋରନ୍ଦା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ ସୂଚନା ରହିଛି। ସେଠାରେ ପହଞ୍ଚି ମହିମାଶୂନ୍ୟ ମନ୍ଦିର ପରିସରକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମହିମା ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରାୟ ୨୦ ହଜାର ସାଧୁସନ୍ଥଙ୍କ ସହ ୪୦ ହଜାରରୁ ଅଧିକ ଜନସାଧାରଣ ଉତ୍ସବରେ ଯୋଗଦାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୫ ପାଟୁନ ପୋଲିସ ପୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।

ସେହିପରି ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ଯେପରିକି ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ଭିକ୍ଷା ମଣ୍ଡପ, ମୁଖ୍ୟ ନୀତି,  ପୂଜକ ଘର, ମୁଖ୍ୟ ନୀତି ସହ ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ଭିକ୍ଷା ମଣ୍ଡପ, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୁନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ।

 

କରୋନାକୁ ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏହାର ମୋଟ ୨୧ ଟି ନୂଆ ମାମଲା ରିପୋର୍ଟ ହୋଇଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ନୂଆ ଭ୍ୟାରିଆଣ୍ଟ ଯୋଗୁ ଫୁସଫୁସ ନୁହେଁ ପେଟରେ ସଂକ୍ରମଣ ହେଉଛି । ଏହା ଯୋଗୁ ଆକ୍ରାନ୍ତଙ୍କ ଠାରେ ଲୋକମାନେ ଗୁରୁତର ହଜମ ସମସ୍ୟା ଦେଖାଯାଉଛି। ତେବେ ଏପର୍ଯ୍ୟନ୍ତ ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ।
ଅଷ୍ଟ୍ରିଆ, ଜର୍ମାନୀ, ନେଦରଲାଣ୍ଡ, ସ୍ବିଜରଲାଣ୍ଡ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ ପରୀକ୍ଷା ଦ୍ରୁତ ଗତିରେ ଜାରି ରହିଛି। ମେଲବୋର୍ନରେ

ଇନଫ୍ଲୁଏଞ୍ଜା ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହଯୋଗ କେନ୍ଦ୍ରର ଅନୁସନ୍ଧାନ ଏବଂ କେନ୍ଦ୍ରର ନିର୍ଦ୍ଦେଶକ କାନ୍ତା ସୁବାରାଭାନ କହିଛନ୍ତି, ଏହା ଆକ୍ରାନ୍ତଙ୍କ ହଜମ ପ୍ରକ୍ରିୟାରେ କୌଣସି କ୍ଷତି ଘଟାଉଛି କି ନାହିଁ ଆମେ ଶୀଘ୍ର ଅନୁସନ୍ଧାନ କରୁଛୁ। ସେହିଭଳି, ଆମେ ଓମିକ୍ରନ ଭ୍ୟାରିଆଣ୍ଟକୁ ମଧ୍ୟ ଅନୁସନ୍ଧାନ କରି ଠିକ ସମୟରେ ଚିହ୍ନଟ କରିଥିଲୁ। ଆମେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ।

ମେଲବୋର୍ନ ବିଶ୍ୱବିଦ୍ୟାଳୟର ପିଟର ଡୋହର୍ଟି ଇନଷ୍ଟିଚ୍ୟୁଟ ଫର ଇନଫେକ୍ସନ ଆଣ୍ଡ ଇମ୍ୟୁନିଟିର ମାଇକ୍ରୋବାୟୋଲୋଜି ଏବଂ ଇମ୍ୟୁନୋଲୋଜି ପ୍ରଫେସର ସୁବାରାଓ କହିଛନ୍ତି, ଜରୁରୀକାଳୀନ ୱାର୍ଡ ପରିଦର୍ଶନ ଏବଂ ଅନ୍ୟାନ୍ୟ ଚିକିତ୍ସା ତଥ୍ୟ ଦ୍ୱାରା ଏହି ନୂତନ ପ୍ରକାରର ଗମ୍ଭୀରତା ନିର୍ଣ୍ଣୟ କରାଯାଇଛି।ଏହା ରୋଗୀର ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଉଛି କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ କେତେକଙ୍କଠାରେ ସେଭଳି କିଛି ସମସ୍ୟା ପ୍ରକାଶ ପାଇଛି। ନଭେମ୍ବର ପର୍ଯ୍ୟନ୍ତ ନେଦରଲାଣ୍ଡର କରୋନା ପୀଡିତମାନଙ୍କଠାରେ ସେଭଳି ଗୁରୁତର ପେଟ ସମସ୍ୟା ଥିବା ଲକ୍ଷଣ ଦେଖାଯାଇ ନ ଥିଲା। ଅଧିକାଂଶ ଲକ୍ଷଣ ୨୦୨୨ରେ ବ୍ୟାପିଥିବା ସଂକ୍ରମଣ ସହିତ ସମାନ ଥିଲା ।