୧୧ ବର୍ଷରେ ୪ ବଦଳ, ଜାଣନ୍ତୁ ନୀତିଶଙ୍କ ରାଜନୀତି ସମୀକରଣ ସମ୍ପର୍କରେ କିଛି ଅଜଣା କଥା

1 min read

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ତାଙ୍କୁ କିଏ ସ୍ବାର୍ଥବାଦୀ କହୁଛି ତ ଆଉ କିଏ ପଲଟୁମାର କହୁଛି । ତେବେ ଗୋଟିଏ ଦଳ ଛାଡ଼ି ଅନ୍ୟଦଳ ସହ ମେଣ୍ଟ କରି ସରକାର ଗଢ଼ୁଥିବା ନୀତିଶଙ୍କୁ ଚତୁର କହି ମଧ୍ୟ ସମାଲୋଚନା କରାଯାଉଛି । ୧୭ ମାସ ପରେ ଆରଜେଡି ସହ ମେଣ୍ଟ ଭାଙ୍ଗି ପୁଣି ଏନଡିଏ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ରହିବା ମଧ୍ୟ ଏହା ନୀତିଶଙ୍କ ଚତୁର୍ଥ ଥର ୟୁଟର୍ଣ୍ଣ । ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରୁ ହଟିବା ଏବଂ ବିଜେପି ସମର୍ଥନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ତାଙ୍କୁ ସମସ୍ତେ ସମାଲୋଚନା କରୁଛନ୍ତି । ଏକଦା ଜେଡିୟୁ ବିହାରରେ ଅଧିକ ଆସନରେ ବିଜୟୀ ହେଉଥିବାବେଳେ ଦିନକୁ ଦିନ ସିଟ ସଂଖ୍ୟା କମିବାରେ ଲାଗିଛି ।

୨୦୦୫ ମସିହାରେ ବିଜେପି ଏବଂ ଜେଡିୟୁ ମେଣ୍ଟରେ ଲଢ଼ିଥିଲେ । ଏଥିରେ ବିଜେପି ୫୫ ଏବଂ ଜେଡିୟୁ ୮୮ ଆସନରେ ବିଜୟୀ ହୋଇଥିଲା । ୨୦୦୯ ଲୋକସଭା ନିର୍ବାଚନରେ ଏହି ମେଣ୍ଟ ୪୦ ଆସନରୁ ୩୨ଟି ସାଂସଦ ଜିତିଥିଲେ । ୨୦୧୩ ମସିହାରେ ଯେତେବେଳେ ବିଜେପି ନରେନ୍ଦ୍ର ମୋଦୀଙ୍କ ନାମ ପ୍ରଧାନମନ୍ତ୍ରୀ ପାଇଁ ଘୋଷଣା କଲା ସେତେବେଳେ ନୀତିଶ ୧୭ ବର୍ଷର ପୁରୁଣା ସମ୍ପର୍କକୁ ଛିଣ୍ଡାଇ ମେଣ୍ଟ ଭାଙ୍ଗିଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ସିପିଏମ ସହ ମିଶି ନିର୍ବାଚନ ଲଢ଼ିଥିଲା । ବିଜେପି ଏବଂ ଏଲଜେପିର ଗଠବନ୍ଧନ ହୋଇଥିଲା । ଏହି ନିର୍ବାଚନରେ ଜେଡିୟୁ ମାତ୍ର ୨ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ଯେତେବେଳେ କି, ବିଜେପି-ଏଲଜେପି ଗଠବନ୍ଧନରେ ୩୧ ଆସନ ବିଜୟ ହୋଇଥିଲା । ଏହି ସମୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଜିତନରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୧୫ ବିଧାନସଭା ନିର୍ବାଚନରେ ଜେଡିୟୁ କଂଗ୍ରେସ ଏବଂ ଆରଜେଡି ସହ ମିଶି ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ ଜେଡିୟୁ ୧୧୦ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ୭୧ ଆସନରେ ବିଜୟୀ ହୋଇଥିଲା । ଯେତେବେଳେ କି, ଜେଡିୟୁ ୨୦୧୦ ନିର୍ବାଚନରେ ବିଜେପି ସହ ମେଣ୍ଟରେ ଥିବାବେଳେ ୧୧୫ ଆସନରେ ଜିତିଥିଲା । ୨୦୧୭ ମସିହାରେ ମେଣ୍ଟ ଭାଙ୍ଗି ପୁଣିଥରେ ବିଜେପି ସହ ମିଶି ଯାଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ଯେତେବେଳେ ଏନଡିଏ ମେଣ୍ଟ ସହ ନିର୍ବାଚନ ଲଢ଼ିଥିଲେ ସେତେବେଳେ ୧୬ ଆସନ ଜିତିଥିଲେ । ଚାରିଥର ବଦଳ କରିଥିବାବେଳେ ତାଙ୍କୁ ନେଇ ଚର୍ଚ୍ଚା ହୁଏ । ୨୦୧୩,୨୦୧୫,୨୦୨୨  ଏବଂ ୨୦୨୪ରେ ଚାରିଥର ମେଣ୍ଟ ଭାଙ୍ଗିବା ସହ ଚତୁରତାର ସହ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି ନୀତିଶଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ ।