ଓଡ଼ିଶା ମାଟିରୁ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର: ଓଡ଼ିଶା ମାଟିରୁ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କଲେ କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡଗେ । ସମ୍ବିଧାନ ବଞ୍ଚାଅରୁ ମଣିପୁର, ନିଯୁକ୍ତିରୁ ମହାଗଠବନ୍ଧନ । ବିଜେପି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଖଡଗେ । କଂଗ୍ରେସ ଅଧ୍ଯକ୍ଷ ଭାବେ ପ୍ରଥମଥର ଓଡ଼ିଶା ଆସି ଭୁବନେଶ୍ବରରେ ଆୟୋଜିତ ସଭାରେ ଯୋଗଦେଇ ଖଡଗେ ଆରମ୍ଭରୁ ବିଜେପି ଉପରେ ବର୍ଷିଥିଲେ । ବିଜେପି ସରକାରରେ ଲୋକତନ୍ତ୍ର କଳଙ୍କିତ ହେଉଛି ହେଉଛି । ସମ୍ବିଧାନକୁ ଭାରତୀୟ ଜନତା ପାର୍ଟି ଅସମ୍ମାନ କରୁଛି । ବିଜେପିକୁ ହଟାଇ ସମ୍ବିଧାନ ବଞ୍ଚାଇବାକୁ ଆହ୍ବାନ ଦେଇଥିଲେ କଂଗ୍ରେସ ଅଧ୍ଯକ୍ଷ । ସେ କହିଥଇଲେ, ଏହା ହେଉଛି ଶେଷ ନିର୍ବାଚନ । ଯଦି କେନ୍ଦ୍ରରୁ ବିଜେପି ସରକାର ନହଟିବ ତେବେ ଦେଶରେ ଗଣତନ୍ତ୍ର ଶାସନ ନୁହେଁ, ରାଜତନ୍ତ୍ର ଶାସନ ଚାଲିବ ।

ସେହିପରି ବିଜେପି ଏକ ବିଷ ବୋଲି କଟାକ୍ଷ କରି ଅଧିକାର ବଞ୍ଚାଇବାକୁ ଏହାଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ମଣିପୁର ଓ ନାଗାଲାଣ୍ଡ ପ୍ରସଙ୍ଗରେ କଡ଼ା ଭାଷାରେ ବିଜେପିକୁ ସମାଲୋଚନା କରି ଖଡ଼ଗେ କହିଥିଲେ, ମଣିପୁରରେ ହଜାରେରୁ ଅଧିକ ଲୋକଙ୍କର ମୃତ୍ଯୁ ହେଲାଣି, ମହିଳାଙ୍କୁ ନିର୍ଯାତନା ଦିଆଯାଉଛି । ହଜାର ହଜାର ଘର ଓ ଗାଡ଼ି ଜଳୁଛି । ହେଲେ ଏହି ପ୍ରସଙ୍ଗରେ ବିଜେପି ମୁହଁ ଖୋଲୁନି । ମଣିପୁରବାସୀଙ୍କ ପାଇଁ କଣ କରିଛନ୍ତି ବୋଲି ପାଟି ଫିଟୁନି । ସେହିପରି ବର୍ଷକୁ ୨ କୋଟି ଚାକିରି ଦେବାକୁ କହି ଦେଶବାସୀଙ୍କୁ ବିଜେପି ସରକାର ଭଣ୍ଡାଇଦେଇଛି । ଏବେ ଗ୍ୟାରେଣ୍ଟି ନାଁରେ ମିଛ ପ୍ରଚାର ଚଳାଇଛନ୍ତି । କଳାଧନ ଦେଶକୁ ଫେରିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ଏବଂ  କେବେ ୧୫ ଲକ୍ଷ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ ବୋଲି ପ୍ରଶ୍ନ କରି କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି ଖଡଗେ । ସଂସଦରେ ଲୋକଙ୍କ ପ୍ରସଙ୍ଗ ଉଠାଇବାରୁ ବିଜେପି ସରକାର ସାଂସଦଙ୍କୁ ନିଲମ୍ବନ କରିଦେଲେ । ସେହିପରି ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ଫେରିବା ନେଇ ଖଡଗେ କହିଛନ୍ତି ଯେ ଜଣେ କି ଦୁଇଜଣ ନେତା ଚାଲିଗଲେ ମେଣ୍ଟ ଭାଙ୍ଗିଯାଏନି ।