ଚିନ୍ତା ବଢାଇଲାଣି ଲୋହିତ ସାଗର ସମସ୍ୟା

1 min read

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଲାଣି ଲୋହିତ ସାଗର ସମସ୍ୟା । ଆମଦାନୀ ପରେ ଏବେ ପ୍ରଭାବିତ ହେବାକୁ ବସିଲାଣି ରପ୍ତାନୀ । ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ବାଟ ଦେଇ ରପ୍ତାନୀ ପାଇଁ ଜାହାଜ ପରିବହନ କମ୍ପାନୀ କଲେଣି ଡବଲ ଡିମାଣ୍ଡ । ଦୁଇଗୁଣ ଅଧିକ ଫ୍ରେଟ୍ ଚାର୍ଜ ଦେବାକୁ ଅମଙ୍ଗ ହେଲେଣି ଦେଶର ରପ୍ତାନୀ । ମିଲେଟ୍ସ୍ରୁ ପେଲେଟ୍ସ୍ ରପ୍ତାନୀ ଏବେ ପ୍ରଭାବିତ । ଲୋହିତ ସାଗରରେ ହାଉଥି  ଆତଙ୍କୀଙ୍କ ଆକ୍ରମଣ ଯୋଗୁ ଅନ୍ତରାଷ୍ଟ୍ରୀୟ ଜାହାଜ କମ୍ପାନୀ ସୁରକ୍ଷିତ ପରିବହନ ପାଇଁ ଦକ୍ଷିଣ ଆଫ୍ରିକା ବାଟ ବାଛିଛନ୍ତି । ଯେଉଁଥିପାଇଁ କେନ୍ଦ୍ର ସରକାର ସମେତ ରପ୍ତାନୀ ଓ ଆମଦାନୀ କମ୍ପାନୀଙ୍କୁ ଅଧିକ ଖର୍ଚ୍ଚ ପଡ଼ୁଛି ।

ବିଶେଷଜ୍ଞଙ୍କ ଆକଳନ ଯଦି ଏହି ସମସ୍ୟା ଆଉ ଦୁଇ ସପ୍ତାହ ଧରି ଜାରି ରହେ, ତା ହେଲେ ଦେଶର ଚଳନ୍ତି ଖାତା ଜମା ବିଗିଡ଼ିଯିବ । ପେଟ୍ରୋଲ-ଡିଜେଲ ପାଇଁ ଅଶୋଧିତ ତୈଳ, ଡାଲି ଓ ଖାଇବା ତେଲ ଭାରତକୁ ଆମଦାନୀ କରିବାକୁ ପଡୁଛି । ଅନ୍ୟପଟେ ଭାରତରୁ ମଧ୍ୟପ୍ରାଚ୍ୟ, ଓ ଇଉରୋପକୁ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନୀ କରିବା ମହଙ୍ଗା ହେଲାଣି । ସ୍ଥିତି ଏମିତି ହେଲାଣି ରପ୍ତାନୀ ପାଇଁ ୨୦ ଫୁଟିଆ କଣ୍ଟେନର ଉପରେ ଅନ୍ତରାଷ୍ଟ୍ରୀୟ ଜାହାଜ କମ୍ପାନୀ ଭାରତୀୟ ମୁଦ୍ରାରେ ୩୩ ହଜାର ୨୬୦ରୁ ୪୧ ହଜାର ୫୭୫ ଟଙ୍କା ଅତିରିକ୍ତ ଚାର୍ଜ କରୁଛନ୍ତି । ସେହିପରି ୪୦ ଫୁଟିଆ କଣ୍ଟେନର ପାଇଁ ରପ୍ତାନୀକାରୀ କମ୍ପାନୀଙ୍କୁ ଦେବାକୁ ପଡୁଛି ୪୯ ହଜାର ୮୯୦ ଟଙ୍କାରୁ ୫୮ ହଜାର ୨୦୫ ଟଙ୍କା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅନ୍ତଃରାଷ୍ଟ୍ରୀୟ ପଣ୍ୟ ପରିବହନ ପାଇଁ ଭାରତ ପାଖରେ କୌଣସି ଜାହାଜ ନାହିଁ । ଯାହା ସ୍ଥିତି ଆହୁରି ସଂଗୀନ କରିଛି ।