ବିହାରରେ ବିଜେପି ଏକା ଲଢ଼ିଥିଲେ ଫାଇଦାରେ ରହିଥାନ୍ତା : ପ୍ରଶାନ୍ତ କିଶୋର

ନନ୍ଦିଘୋଷ ବ୍ୟୁରୋ: ରାଜନୀତିର ଚାଣକ୍ୟ ଭାବେ ବେଶ ଜଣାଶୁଣା ପ୍ରଶାନ୍ତ କିଶୋର ପୁଣିଥରେ ବିଜେପି ଏବଂ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି । ସେ ଏକ ଜାତୀୟ ଗଣମାଧ୍ୟକୁ ଇଣ୍ଟରଭିୟୁ ଦେବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି କି, ନୀତିଶ କୁମାର ନିଜ କ୍ୟାରିୟରର ଶେଷ ପାଳି ଖେଳିବାକୁ ଯାଉଛନ୍ତି । ସେ ଅତ୍ୟନ୍ତ ଚତୁର । ମାତ୍ର ବିଜେପି ତାଙ୍କ ସହ ମେଣ୍ଟ କରି ଭୁଲ କରିଛି । ବିଜେପି ଯଦି ବିହାରରେ ଏକାକି ନିର୍ବାଚନ ଲଢ଼ିଥାନ୍ତା ତାହେଲେ ଜିତିଥାନ୍ତା । ମାତ୍ର ନୀତିଶଙ୍କୁ ଦଳରେ ମିଶାଇ ବଡ଼ ଭୁଲ କରିଛି । ବିହାରର ଲୋକମାନେ ନୀତିଶଙ୍କୁ ପ୍ରତ୍ୟାଖାନ କରୁଛନ୍ତି । ଏଣୁ ସେ ଜାଣିଶୁଣି ବିଜେପିର ଶରଣ ନେଇଛନ୍ତି । ଅନ୍ୟପଟେ ଇଣ୍ଡିଆ ମେଣ୍ଟକୁ ଭାଙ୍ଗିବା ପାଇଁ ବିଜେପି ଯେଉଁ ଚକ୍ରାନ୍ତ କରୁଥିଲା ସେଥିରେ ସଫଳ ହୋଇଛି । ବିହାରରେ ଲୋକମାନଙ୍କ ସହ ପ୍ରତାରଣା କରିଛନ୍ତି ତୀତିଶ । ଏଣୁ ଲୋକେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ପି.କେ କହିଛନ୍ତି । ଏପରିକି ନୀତିଶ କୁମାରଙ୍କ ଦଳ ଆଗାମୀ ନିର୍ବାଚନରେ ୨୦ଟି ମଧ୍ୟ ଆସନ ଜିତିବ ନାହିଁ ବୋଲି ମଧ୍ୟ କହିଛନ୍ତି ।

ସୂଚନା ଥାଉକି, ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏନଡିଏ ସମର୍ଥନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର । ନବମଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି । ଏନଡିଏ ସରକାର ବିରୋଧରେ ଗର୍ଜନ କରିବା ସହ ପରବର୍ତ୍ତୀ ନିର୍ବାଚନରେ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିବା ଇଣ୍ଡିଆ ମେଣ୍ଟର ମଙ୍ଗ ଧରିଥିବା ନୀତିଶ ଧୋକ୍କା ଦେଇ ପୁଣିଥରେ ବିଜେପି ଶିବିର ସହ ମିଶିଥିବାବେଳେ ତାଙ୍କ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । କିଏ ସ୍ବାର୍ଥବାଦୀ କହୁଛି ତ ଆଉ କିଏ ପଲଟୁମାର କହୁଛି । ଏପରିକି ନୀତିଶଙ୍କୁ ନେଇ ଆୟାରାମ ଗେୟା ରାମର ଉଦାହରଣ ମଧ୍ୟ ଦିଆଯାଉଛି ।