ବଜେଟରେ ସାଧାରଣ ବର୍ଗଙ୍କ ପାଇଁ ଆସିବ କି ଖୁସି ଖବର?

1 min read

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ବଜେଟ କାଉଣ୍ଟଡାଉନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଷଷ୍ଠ ବଜେଟକୁ ନେଇ କଳ୍ପନାଜଳ୍ପନା । କେଉଁ କ୍ଷେତ୍ରକୁ ଫୋକସ ଦେବେ ନିର୍ମଳା । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି କଣ ନେବେ ପଦକ୍ଷେପ । ଭିତ୍ତିଭୂମି, ନିଯୁକ୍ତି, ଗ୍ରୀନ ଏନର୍ଜି ଆଦି କ୍ଷେତ୍ରକୁ ଦିଆଯାଇପାରେ ଫୋକସ । ନିର୍ବାଚନକାଳୀନ ବଜେଟରେ ଆସୁଥିବା ଚାଲେଞ୍ଜକୁ କିପରି ମୁକାବିଲା କରିବେ ସରକାର- ତାହା ଉପରେ ସମସ୍ତଙ୍କ ନଜର ।

ବଜେଟ କାଉଣ୍ଟଡାଉନ । ବଢୁଛି ହାର୍ଟବିଟ । ବଜେଟରେ ସାଧାରଣ ବର୍ଗଙ୍କ ପାଇଁ ଆସିବ କି ଖୁସି ଖବର? ନିର୍ବାଚନକାଳୀନ ବଜେଟରେ ଆୟକର ସ୍ଲାବରେ କି ପରିବର୍ତ୍ତନ ଆଣିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ? ଦରଦାମ ବୃଦ୍ଧି ନିୟନ୍ତ୍ରଣ ଲାଗି କଣ ରହିବ ଅର୍ଥମନ୍ତ୍ରୀଙ୍କ ମିଶନ? ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିପାରନ୍ତି କେନ୍ଦ୍ର ସରକାର। ଆୟକର ଟିକସ ସ୍ଲାବରେ ବିଶେଷ କିଛି ପରିବର୍ତ୍ତନ ନେଇ ଆଶଙ୍କାରେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ବଜେଟରେ ମିଳିବାର ସମ୍ଭାବନା ରହିଛି। ହେଲେ ଏଥର ଅନ୍ତରୀଣ ବଜେଟ ଆସିବାକୁ ଥିବାରୁ ପଲିସିରେ ବିଶେଷ କିଛି ପରିବର୍ତ୍ତନ ହୋଇନପାରେ। ଟେକ୍ନୋଲୋଜି ଜରିଆରେ ସମସ୍ତଙ୍କୁ ସବୁଠି ଶିକ୍ଷା, ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁସାରେ ଦେଶବାସୀଙ୍କ ପାଇଁ ପ୍ରତିଷେଧକ ସ୍ବାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଉପରେ ଅର୍ଥ ମନ୍ତ୍ରୀ ଜୋର୍ ଦେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।

ଜିଏସଟିରେ ସରକାରଙ୍କ ରୋଜଗାର ଆଶାନୁରୁପ । ଏକ୍ଷେତ୍ରରୁ ଅଧିକ ଆୟ ଉପରେ ଜୋରଦେଇପାରନ୍ତି ସରକାର । ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ଗତବର୍ଷ ଭଳି ଏଥର ବି ଜାରି ରହିପାରେ । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ସରକାରଙ୍କ ସବସିଡ଼ି ସାଙ୍ଗକୁ ଋଣ ବ୍ୟବସ୍ଥା ଅଧିକ ସଶକ୍ତ ଓ ସଙ୍ଗଠିତ ହେବା ନେଇ ଆଶା ରଖିଛନ୍ତି ଶିଳ୍ପ ବିଶେଷଜ୍ଞ ।