spot_img
Home Blog Page 2231

ବାରରେ ଭେଟ ହୋଇଥିଲେ,ଏବେ ହେବେ ଡେନମାର୍କରେ ମହାରାଣୀ

ନନ୍ଦିଘୋଷ ବ୍ୟୁରୋ: ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସିଂହାସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଡେନମାର୍କର ରାଣୀ ମାର୍ଗ୍ରେଥ୍ ଦ୍ୱିତୀୟ । ୫୨ ବର୍ଷ ପରେ ସେ ସିଂହାସନ ଛାଡିବାକୁ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ପୁଅ କ୍ରାଉନ୍ ପ୍ରିନ୍ସ ଫ୍ରେଡେରିକ୍ ବର୍ତ୍ତମାନ ଦେଶର ପରବର୍ତ୍ତୀ ରାଜା ହେବେ। ଫ୍ରେଡେରିକ୍ ରାଜା ହେବା ସହିତ ଆଉ ଏକ ଐତିହାସିକ ଘଟଣା ବି ଘଟିବାକୁ ଯାଉଛି । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଜନ୍ମିତ ଜଣେ ମହିଳା ଡେନମାର୍କର ରାଣୀ ହେବେ ।

ଡେନମାର୍କର କ୍ରାଉନ୍ ରାଜକୁମାରୀଙ୍କ ନାମ ମେରି । ସେ ପ୍ରିନ୍ସ ଫ୍ରେଡେରିକଙ୍କ ପତ୍ନୀ । ଚଳିତ ମାସ ୧୪ ତାରିଖରେ ସେ ଦେଶର ରାଣୀ ହେବାକୁ ଯାଉଛନ୍ତି । ମରିୟମଙ୍କ କାହାଣୀ ଆକର୍ଷଣୀୟ ଅଟେ । ସେ ୫ ଫେବୃଆରୀ ୧୯୭୨ ରେ ଅଷ୍ଟ୍ରେଲିଆର ହୋବର୍ଟରେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟ୍ରେଲିଆରେ ଏକ ବିଜ୍ଞାପନ ଏଜେନ୍ସିରେ ସେ କାମ କରୁଥିବା ସମୟରେ ତାଙ୍କ ଭାଗ୍ୟ କଡ ଲେଉଟାଇଥିଲା ।

୨୦୦୦ ମସିହାର ଘଟଣା.. ସେତେବେଳେ ଅଷ୍ଟ୍ରେଲିଆର ସିଡନୀ ସହରରେ ଅଲିମ୍ପିକ୍ସ ଚାଲିଥିଲା । ମରିୟମ ନିଜ ସାଙ୍ଗମାନଙ୍କ ସହିତ ସିଡନୀରେ ଏକ ବାରକୁ ଯାଇଥିଲେ ।  ହଠାତ୍ ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ସେତେବେଳେ ମରିୟମ ସେହି ବ୍ୟକ୍ତିଙ୍କୁ ଜାଣି ନଥିଲେ ।

ମରିୟମଙ୍କୁ ଭେଟିଥିବା ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ନଥିଲେ । ସେ ପ୍ରକୃତରେ ଡେନମାର୍କର ପ୍ରିନ୍ସ ଥିଲେ ଯିଏ ତାଙ୍କ ସାଙ୍ଗମାନଙ୍କ ସହିତ ସମାନ ବାର୍‌କୁ ଆସିଥିଲେ । ଡେନମାର୍କର ପ୍ରିନ୍ସଙ୍କ ବ୍ୟତୀତ ସେଠାରେ ୟୁରୋପୀୟ ରାଜ ପରିବାରର ଅନେକ ଲୋକ ଉପସ୍ଥିତ ଥିଲେ । ପ୍ରିନ୍ସଙ୍କ ସହ ତାଙ୍କ ସାନ ଭାଇ ପ୍ରିନ୍ସ ଜୋଚିମ୍ ଏବଂ ସମ୍ପର୍କୀୟମାନେ ବି ସେଠାରେ ଥିଲେ । ଏହି ସମୟରୁ ହିଁ ଡେନମାର୍କ ରାଜକୁମାରଙ୍କ ସହ ମରିଅମଙ୍କ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ଦିନ ଧରି ଉଭୟ ଦୂରତାରେ ରହି ମଧ୍ୟ ପ୍ରେମସମ୍ପର୍କରେ ରହିଥିଲେ ।

ଏହାପରେ ୨୦୦୩ ଅକ୍ଟୋବର ମାସରେ ଦମ୍ପତି ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ କପିଳେନ୍ଦ୍ର କ୍ୟାଥେଡ୍ରାଲରେ ବିବାହ କରିଥିଲେ। ଡେନମାର୍କର ପ୍ରିନ୍ସ ଫ୍ରେଡେରିକ୍ ଏବଂ ମେରିଙ୍କର ବର୍ତ୍ତମାନ ଚାରି ସନ୍ତାନ ଅଛନ୍ତି ।

ଚିଲିକାରେ ପିକନିକ ପାଇଁ ବଢ଼ୁଛି ପର୍ଯ୍ୟଟକ ଭିଡ଼

ଟାଙ୍ଗୀ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଚିଲିକାରେ ପର୍ଯ୍ୟଟକଙ୍କ ଭିଡ । ଚିଲିକାର ନୀଳ ଜଳ ରାଶିରେ କିଛି ସମୟ ବିତାଇବାକୁ ଦୂର ଦୂରାନ୍ତରରୁ ପହଞ୍ଚୁଛନ୍ତି ଲୋକେ। ଡଙ୍ଗାରେ ବୁଲିବା ସହ ବଣ ଭୋଡିର ମଜା ନିଆଯାଉଛି । ମାଆ କାଳିଜାଇଙ୍କୁ ଦର୍ଶନ କରି ଆଶିର୍ବାଦ ନେଉଛନ୍ତି ପର୍ଯ୍ୟଟକ । ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା । ଶୀତର ପହିଲି ସ୍ପର୍ଶରେ ବଢ଼ିବାରେ ଲାଗିଛି ଶୋଭା ଭଣ୍ଡାର ଚିଲିକାର ସୌନ୍ଦର୍ଯ୍ୟ। ପ୍ରକୃତିର ଅପୂର୍ବ ଶୋଭାରାଜି ସହ ରଙ୍ଗବେରଙ୍ଗ ବିଦେଶୀ ପକ୍ଷୀଙ୍କ ସମାଗମ ଚିଲିକାକୁ ଆହୁରି ସୁନ୍ଦର କରୁଛି । କିଚିରି ମିଚିରି ଶବ୍ଦରେ ମୁଖରିତ ହୋଇ ଉଠିଛି ଚିଲିକା। ଶୀତ ଦିନେ ଏଠାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଶୀତ ଦିନେ ଚିଲିକାରେ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଚିଲିକାରେ ଡ଼ଙ୍ଗା ପରିଭ୍ରମଣ କରି ମାଆ କାଳିଜାଇଙ୍କୁ ଦର୍ଶନ କରିଛନ୍ତି ପିଲାଠୁ ବୟସ୍କ। ମାଆଙ୍କୁ ଦର୍ଶନ କରିବା ସହ ଆଇଲାଣ୍ଡରେ ଭୋଜି ଭାତର ଜମିଛି ଆସର। ବୁଲା ବୁଲି କରିବାକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । କିଏ ପରିବାର ତ କିଏ ସାଙ୍ଗ ସାଥୀ ସହ ନେଉଛି ପ୍ରକୃତିର ମଜା।

୧୦ ବର୍ଷ ହେଲା କରିନାହାନ୍ତି କି ବ୍ୟାଙ୍କ କାରବାର ?

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ଥିବା ଅଣଦାବିଦାର ଜମା ପରିମାଣ ହ୍ରାସ ଲାଗି ରିଜର୍ଭ ବ୍ୟାଙ୍କର ପଦକ୍ଷେପ । ଏହି ଧରଣର ଜମାଗୁଡିକର ଯାଞ୍ଚ କରିବା ସହ ସେଗୁଡିକର ଆଇନସମ୍ମତ ଦାବିଦାରମାନଙ୍କୁ ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ ୧୦ ବର୍ଷ କିମ୍ବା ଅଧିକ କାଳ ଧରି ଅପରେଟ ହେଉ ନଥିବା ବ୍ୟାଙ୍କ ଆକାଉଣ୍ଟ, ୧୦ ବର୍ଷ ଧରି କୌଣସି ଦାବିଦାର ନଥିବା ବ୍ୟାଙ୍କ ଆକାଉଣ୍ଟର ଟଙ୍କାକୁ ଡିପୋଜିଟର ଏଜୁକେସନ ଆଓ୍ବାରନେସ ଫଣ୍ଡ ବା ଡିଏଇ ଫଣ୍ଡକୁ ଟ୍ରାନ୍ସଫର  କରାଯିବ । ବିଭିନ୍ନ ଆକାଉଣ୍ଟରେ ହେଉଥିବା ଜାଲିଆତି ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛନ୍ତି ।

ଏହା ସହ ଦାବିଦାର ନଥିବା ଆକାଉଣ୍ଟଗୁଡିକର ନୋମିନି, ଆଇନଗତ ଉତ୍ତରାଧିକାରୀମାନଙ୍କର ସନ୍ଧାନ, ଆକାଉଣ୍ଟଗୁଡିକର ରିଆକ୍ଟିଭେସନ, କ୍ଲେମ ସେଟେଲମେଣ୍ଟ ଆଦି ସମ୍ପର୍କରେ ପଦକ୍ଷେପ ନେବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ସଂଶୋଧିତ ନିର୍ଦ୍ଦେଶନାମା ବଳବତ୍ତର ହେବ । ଅଚଳ ଆକାଉଣ୍ଟ, ଦାବିଦାର ନଥିବା ଆକାଉଣ୍ଟ ସମ୍ପର୍କରେ ସୂଚନା ଦେବା ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟଧାରୀଙ୍କ ନିକଟକୁ ଚିଠ, ଇମେଲ ବା ଏସଏମଏସ ପଠାଇବ । ଏହି ଧରଣର ଆକାଉଣ୍ଟଗୁଡିକର ଆକ୍ଟିଭେସନ ଲାଗି କେଓ୍ବାଇସି ଅପଡେଟ ରିବେ । ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରସେସ ବା ଭି-ସିପ ଜରିଆରେ ଏହି ପଦକ୍ଷେପ ନିଆଯିବ ।

ଜମୁଛି ପଏଁରୀ ତିହାର ୨୦୨୪

ପଏଁରୀ ତିହାର ୨୦୨୪ । ନୁଆ ବର୍ଷରେ ଆରମ୍ଭ ହୋଇଛି ନୃତ୍ୟ ଗୀତର ଆସର। ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ପଏଁରୀ ତିହାର। ନୃତ୍ୟ ଗୀତର ଏହି ମହାପର୍ବଣରେ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଛନ୍ତି ।

ପଏଁରୀ ତିହାର ୨୦୨୪ । ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ଆରମ୍ଭ ହୋଇଯାଇଛି ଜାତୀୟ ସ୍ତରୀୟ ଲୋକ ନୃତ୍ୟ ଓ ଗୀତର ଉତ୍ସବ। ପ୍ରଥମ ଦିବସରେ ମାଁ ସୁରେଶ୍ୱରୀଙ୍କ ମନ୍ଦିରରେ ପୂଜା ପାଠ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଦିନବେଳା ଜିଲ୍ଲାର କଳାକରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସଂଧ୍ୟାରେ ଟାଉନ ହଲରେ ଆୟୋଜିତ ହୋଇଥିଲା ସଂସ୍କୃତିକ ସଭା। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ। ଲୋକ ସଂସ୍କୃତି ଓ ଲୋକ ପରମ୍ପରାର ପୁନରଉଦ୍ଧାର ପାଇଁ ବିଗତ ୨୪ ବର୍ଷ ହେଲା ଅନୁଷ୍ଠାନ ଏହିଭଳି ଆୟୋଜନ କରୁଥିବା ଆୟୋଜକ କହିଛନ୍ତି ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମରୁ ଆସିଥିବା କଳାକାରଙ୍କ ବିହୁ ନୃତ୍ୟ ସହ ଜିଲ୍ଲା ତଥା ରାଜ୍ୟ ବାହାର କଳାକାରଙ୍କ ଲୋକନୃତ୍ୟରେ ଟାଉନ ହଲ ଦୁଲୁକି ଉଠିଥିଲା । ତେବେ ଚଳିତ ବର୍ଷ ବିଶେଷ ଆକର୍ଷଣ ସାଜିଥିଲା କୁନି କୁନି ଛାତ୍ରୀଙ୍କ ରାମ୍ପ ସୋ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନୃତ୍ୟ ଗୀତ ସାଙ୍ଗକୁ ଫ୍ୟାସନ ସୋର ମଜା ନେଇଥିଲେ ଦର୍ଶକ। ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ସୁବର୍ଣ୍ଣପୁର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପଏଁରୀ ତିହାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଅଂଚଳର ଲୋକ ସଂସ୍କୃତି ପ୍ରଦର୍ଶନ କରି କଳାକାର ବି ବେଶ ଖୁସି ।

୩୩ ବର୍ଷ ପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ ଭବିଷ୍ୟବାଣୀ କରିଥିଲେ ଏହି ବାବା

ନନ୍ଦିଘୋଷ ବ୍ୟୁରୋ: ଚଳିତ ମାସ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ଏହି ଉତ୍ସବ ପାଇଁ ସାରା ଦେଶରେ ଉତ୍ସାହର ମାହୋଲ ଦେଖା ଦେଇଥିବାବେଳେ ଚାଲିଛି ନିମନ୍ତ୍ରଣ  ପତ୍ର ବଣ୍ଟା । ତେବେ ୩୩ ବର୍ଷ ପୂର୍ବରୁ ରାମ ମନ୍ଦିଣ ନିର୍ମାଣ ନେଇ ବାବା ଦେବରହା ଭବିଷ୍ୟବାଣୀ କରିଥିଲେ । ୟୁପିର ଦେବରିୟା ଜିଲ୍ଲାର ବ୍ରହ୍ମଋଷି ଦେବରହାଙ୍କ ଆଶ୍ରମରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ପହଞ୍ଚିଥିବାବେଳେ ମହନ୍ତ ଶ୍ୟାମ ସୁନ୍ଦର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ବାବା ଦେବରହା ୩୩ ବର୍ଷ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ନେଇ ଭବିଷ୍ୟବାଣୀ କରିଥିଲେ ।

ମହନ୍ତ ଶ୍ୟାମ ସୁନ୍ଦର ଦାସ ସୂଚନା ଦେଇ କହିଛନ୍ତି ଯେ, ୩୩ ବର୍ଷ ପୂର୍ବରୁ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ସମ୍ମୁଖରେ ଏହି ଭବିଷ୍ୟବାଣୀ କରିଥିଲେ ଦେବରହା ବାବା । ସେତବେଳେ ଆଲ୍ଲାବାଦରେ ରାମ ଜନ୍ମଭୂମିକୁ ନେଇ ସଭା ଅନୁଷ୍ଠିତ ହେଇଥିଲା, ଏହି ସଭାରେ ଶଙ୍କରାଚାଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଆଉ ସମସ୍ତଙ୍କର ଉପସ୍ଥିତିରେ ବାବା ଦେବରହା ମନ୍ଦିର ନିର୍ମାଣର ମନୋକାମନା ଅବଶ୍ୟ ପୂର୍ଣ୍ଣ ହେବ ବୋଲି କହିବା ସହିତ ହିନ୍ଦୁ-ମୁସଲିମ୍ ସବୁ ଲୋକ ମିଶି ଏହି କାମ ପୂର୍ଣ୍ଣ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ।

ଦେବରହା ଆଶ୍ରମର ବର୍ତ୍ତମାନର ମହନ୍ତଙ୍କ କହିବା କଥା, ସରକାର ଏ ଦିଗରେ ଭଲ କାମ କରୁଛନ୍ତି । ଭାରତୀୟ ସଂସ୍କୃତି ଏବେ ଶିଖର ଛୁଉଁଛି । ତେବେ ରାମ ମନ୍ଦିର ଆନ୍ଦୋଳନ ସମୟରେ ବାବା ଦେବରହା ଦେହତ୍ୟାଗ କରିଥିଲେ । ହେଲେ ସେ କରିଥିବା ଭବିଷ୍ୟବାଣୀ ଆଜି ସତ ହେବାକୁ ଯାଉଛି ବୋଲି କହିଛନ୍ତି ମଠର ମହନ୍ତ ଶ୍ୟାମ ସୁନ୍ଦର ଦାସ ।

ପରିବହନ ବିଭାଗର ଏସଓପି ପରେ ପିକନିକ ଗାଡ଼ିକୁ ଜୋରଦାର ଚେକିଂ

ଢେଙ୍କାନାଳ: ଢେଙ୍କାନାଳରେ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଗାଡି ଚେକିଂ ଜୋରଦାର । ପିକନିକ ପାଇଁ ପରିବହନ ବିଭାଗର ଏସଓପି ଜାରି ହେବାର ୨୪ ଘଣ୍ଟା ନପୁରୁନୁ ଢେଙ୍କାନାଳରେ ଚେକିଂ କଡାକଡି ହୋଇଛି । ପ୍ରଥମେ ଜୀବନ ସୁରକ୍ଷା ପରେ ପିକିନିକର ମଜା। ଏଭଳି ଉଦ୍ଦେଶ୍ୟ ନେଇ ଯାଞ୍ଚ ପ୍ରକିୟା କଡାକଡି ହୋଇଛି । ଦୁର୍ଘଟଣା କମ କରିବାକୁ ରହିଛି ମିଶନ।

ପିକନିକ ପାଇଁ ଏସଓପି ଜାରି କରିଛି ପରିବହନ ବିଭାଗ। ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ କଠୋର ହୋଇଛି ବିଭାଗ। ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ। ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ । ପିକନିକ ପାଇଁ ପରିବହନ ବିଭାଗର ଏସଓପି ଜାରି ହେବାର ୨୪ ଘଣ୍ଟା ନପୁରୁନୁ ଢେଙ୍କାନାଳରେ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଗାଡ଼ି ଚେକିଂ ଜୋରଦାର ହୋଇଛି।

ପ୍ରଥମ ପର୍ଯ୍ୟାୟରେ ସପ୍ତଶଯ୍ୟାକୁ ଆସୁଥିବା ଗାଡ଼ି ଗୁଡ଼ିକ ଯାଞ୍ଚ କରୁଛି ପରିବହନ ବିଭାଗର ଟିମ୍। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡ଼ିକର ଲାଇସେନ୍ସ, ଇନ୍ସୁରାନ୍ସ ଆଦିକୁ ଟିକିନିଖି ଭାବେ ଯାଞ୍ଚ ହେଉଛି । ସେହିପରି ମଦ୍ୟପ ଗାଡ଼ି ଚାଲକଙ୍କୁ ଧରିବା ପାଇଁ ମେସିନ ଦ୍ଵାରା ଚେକିଂ କରାଯାଉଛି। ପରିବହନ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨ ବର୍ଷରେ ୯୯୧ ଜଣଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ଚଳିତ ବର୍ଷ କଡାକଡି ଚେକିଂ ଦ୍ବାରା ଦୁର୍ଘଟଣା ସଂଖ୍ୟାରେ ହ୍ରାସ ପାଇବାର ଲକ୍ଷ୍ୟ ରହିଛି ।

ରାତିରେ ଦୂର ରାସ୍ତା ଯାଉଥିଲେ ସାବଧାନ ! ଦୁଇଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି

ରାତିରେ ଦୂର ରାସ୍ତା ଯାଉଥିଲେ ସତର୍କ ରୁହନ୍ତୁ, ନ ହେଲେ ହୋଇପାରେ ଭୟଙ୍କର ଦୁର୍ଘଟଣା । କାରଣ ଦୁଇ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଘନରୁ ଅତି ଘନ କୁହୁଡି । ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର । ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଏଭଳି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ସୋନପୁର, ରାୟଗଡା ଏବଂ କୋରାପୁଟରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ୧୧ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୪ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ରାୟଗଡା ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୨୦ ରୁ ୫୦ ମିଟର ମଧ୍ୟରେ ଦୃଶ୍ୟମାନ କ୍ଷମତା ରହିବ ବୋଲି ଆଲର୍ଟ କରାଯାଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଘନ କୁହୁଡିର ଆସ୍ତରଣ ବୃଦ୍ଧି ପାଇଛି । ଦୁଇ ଦିନ ପରେ ୫ ତାରିଖ ବେଳକୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ପଶ୍ଚିମା ଝଡ ପ୍ରଭାବରେ କେନ୍ଦୁଝର, ସୁନ୍ଦରଗଡ ଏବଂ ମୟୁରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନ ଥିବା ବେଳେ ପରବର୍ତ୍ତୀ ସମୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି ।

ବନ୍ଧୁ ସାଜିଲା ବଇରୀ, ସାଙ୍ଗକୁ ପିଟିପିଟି ହତ୍ୟା

ଖୋର୍ଦ୍ଧା: ବନ୍ଧୁ ସାଜିଲା ବଇରୀ । କଥା ଅଛି ସାଙ୍ଗ ଥିଲେ ସାଥୀରେ, ମୋର ଭୟ ନାହିଁ କାହାକୁରେ । କିନ୍ତୁ ଯଦି ସେହି ସାଙ୍ଗ ବଇରୀ ସାଜିବ କାହାକୁ ବା କହିବା । ତେବେ ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ପଂଚାୟତ ଭୀମପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ରଶ୍ମିରଞ୍ଜନ ବଳିଆରସିଂ । ଏକ ନାଚରେ ଅଭିନୟ କରିବାକୁ ନେଇ ରଶ୍ମିରଞ୍ଜନ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ବିବାଦ ହୋଇଥିଲା  । ଘରେ କେହି ନଥିବାବେଳେ ରଶ୍ମିରଞ୍ଜନଙ୍କୁ ତାଙ୍କ ସାଙ୍ଗ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାରୀ ସାଙ୍ଗ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା । ତେବେ ଏହି ଘଟଣା ବନ୍ଧୁ ଭଳି ଏକ ପବିତ୍ର ସମ୍ପର୍କରେ କଳଙ୍କର ଛିଟା ଲଗାଇ ଦେଇଛି । ଏଣୁ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ମୃତକଙ୍କ ପରିବାର ଦାବି କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଳାଇଛି ।

ବଦଳିବ କଟକ ଡିଅର ପାର୍କର ଠିକଣା

କଟକ: କଟକ ମହାନଗର ନିଗମ ଦ୍ଵାରା ପରିଚାଳିତ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ହରିଣ ପାର୍କ ଏବେ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତର ହେଉଛି । ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ନନ୍ଦନକାନନରୁ ଆସିଥିବା ୧୦ ଜଣିଆ ଅଭିଜ୍ଞ ଦଳ ଏହି କାର୍ଯ୍ୟରେ ଲାଗିଛନ୍ତି । ହରିଣଙ୍କ ସ୍ୱାସ୍ଥ ପରୀକ୍ଷା ପାଇଁ ଜଣେ ଡାକ୍ତର ମଧ୍ୟ ଅଛନ୍ତି । ହରିଣ ମାନଙ୍କୁ ନେବାକୁ ଖାଦ୍ୟ ଦିଆଯିବା ସହିତ ଏକ ତାରଘେରା ଗଳି ବାଟ କରାଯାଇଛି । ଖାଦ୍ୟ ଖାଇ ଖାଇ ସେମାନେ ରେସକ୍ୟୁ ଭ୍ୟାନକୁ ପ୍ରବେଶ କରୁଛନ୍ତି । ଗୋଟିଏ ଥରରେ ୧୩ ରୁ ୨୫ପର୍ଯ୍ୟନ୍ତ ହରିଣ ସ୍ଥାନାନ୍ତର ହେଉଛନ୍ତି । ବର୍ତ୍ତମାନ ପାର୍କରେ ପ୍ରାୟ ୨୪୦ରୁ ୨୫୦ ହରିଣ ଅଛନ୍ତି । ଚନ୍ଦକା ଅଭୟାରଣ୍ୟରେ ଏକ ସ୍ପେଶାଲ ଏକକ୍ଲୋଜରରେ ଛଡା ଯାଉଛି । ସେଠାରେ ଏକ ବିସ୍ତ୍ରିର୍ଣ୍ଣ ଅଞ୍ଚଳରେ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ସ୍ଥାନାନ୍ତର ଦାୟିତ୍ୱ ରେ ଥିବା ଏସିଏଫ ସିଟି ଫରେଷ୍ଟ ଡିଭିଜନ ଅଧିକାରୀ ନନ୍ଦିଘୋଷକୁ ସୂଚନା ଦେଇଛନ୍ତି ।

ଦୀର୍ଘ ବର୍ଷ ହେବ ସିଏମସି ଦ୍ଵାରା ଏହି ହରିଣ ପାର୍କଟି ପରିଚାଳିତ ହୋଇଆସୁଥିଲା । ତେବେ ସଂକୁଚିତ ସ୍ଥାନରେ ଏତେ ସଂଖ୍ୟାରେ ହରିଣଙ୍କ ରହଣିନେଇ ଜୁ ଅଥରିଟି ଅଫ ଇଣ୍ଡିଆ କଟକଣା ଜାରି କରିବା ସହିତ ଲାଇସେନ୍ସଟି ବାତିଲ କରିଦେଇଥିଲେ । ଏଥି ସହିତ ଏହି ପାର୍କ ଦେଇ ୬ ଲେନ ରାସ୍ତା ଯିବାର ଯୋଜନା ଥିବାରୁ ପାର୍କ ରହିବା ସମ୍ଭବପର ହୋଇପାରିଲା ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ସିଏମସି ଆଲୋଚନା କରିବା ପରେ ଏହି ପଦକ୍ଷେପ ନେଇଛି । ରାସ୍ତା ଯିବା ପରେ ଅବଶିଷ୍ଟ ଜମିରେ ଯଦି ପାର୍କ ହେବା ସମ୍ଭବ ହେବ ତେବେ ସେ ନେଇ ଜୁ ଅଥରିଟିଙ୍କୁ ଚିଠି ଲେଖାଯିବ ବୋଲି ସିଏମସି କମିଶନର କହିଛନ୍ତି ।

ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର

ଭୁବନେଶ୍ବର: ବୁଧବାର ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର । ଲୋକାର୍ପିତ ହେବ ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ବଲାଙ୍ଗୀର ଯାଇ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହା ସହିତ ୩୦୫ କୋଟି ଟଙ୍କା ବିନିଯୋଗରେ ୬୯ଟି ପ୍ରକଳ୍ପର ଉଦଘାଟନ ଓ ୨ହଜାର ୨୨୦ କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ  । ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି ଗାଁର ଲୋକେ ଉପକୃତ ହେବେ । ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୭୦ ହଜାର ଲୋକଙ୍କୁ ମିଳିବ ପିଇବା ପାଣି । ୧୯୯୮ ମସିହାରେ ଲୋୟର ସୁକତେଲ ଜଳସେଚନ ପାଇଁ ଯୋଜନା ହୋଇଥିଲା । ୨୦୨୧ ମସିହାରେ ପ୍ରକଳ୍ପଟି 5Tଅଧୀନକୁ ଆସିବା ପରେ ରକେଟ ବେଗରେ ଆଗେଇଥିଲା କାମ ।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗ୍ରାଉଣ୍ଡ ସମୀକ୍ଷା କରିବା ସହ ସପ୍ତାହକୁ ସପ୍ତାହ ଅପଡେଟ୍ ନେଇଥିଲେ। ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଯାଇ ପ୍ରକଳ୍ପ ଅଗ୍ରଗତି ତଦାରଖ କରିଥିଲେ । ଲୋୟର ସୁକତେଲର ପାଣିକୁ ମୁଣ୍ଡରେ ମାରି ପ୍ରଣାମ କରିଥିଲେ ପାଣ୍ଡିଆନ । ଫାଇଭ-ଟି ଉପକ୍ରମରେ ତ୍ବରିତ କାର୍ଯ୍ୟଯୋଗୁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଛି। ଡ୍ୟାମର ଜଳଧାରଣ କ୍ଷମତା ୩୨୦.୨୮ ଲକ୍ଷ କ୍ୟୁବିକ ମିଟର ରହିଥିବା ବେଳେ ପ୍ରକଳ୍ପ ଦ୍ବାରା ଏକ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫ ହଜାର ୨୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୮ ଟି ଗାଁର ଲୋକ ନିଜର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଗୁରବେଡା ସ୍ଥିତ ଲୋୟର ସୁକତେଲ ପ୍ରକଳ୍ପଠାରେ ଜିଲ୍ଲା ଏସପି ସମୀକ୍ଷା କରିଛନ୍ତି  । ସଭାସ୍ଥଳରେ ୨୨ ହଜାରରୁ ଅଧିକ ଲୋକଙ୍କର ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ୧୫୦ରୁ ଅଧିକ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ  ୧୯ ପ୍ଲାଟୁନ ପୁଲିସ ଫୋର୍ସ ଓ ଗୃହରକ୍ଷୀ ବାହିନୀ ମୁତୟନ ହେବେ ।