ବିରଜା ମାଟିରୁ ବିଜେପିକୁ ଟାର୍ଗେଟ୍, ନିଶାନାରେ ମଧ୍ଯପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ

1 min read

ଯାଜପୁର: ବିରଜା ମାଟିରୁ ବିଜେପିକୁ ଟାର୍ଗେଟ୍ । କାର୍ତ୍ତିକ ପାଣ୍ଡିଆନଙ୍କ କଡ଼ା ସମାଲୋଚନା । ନିଶାନାରେ ମଧ୍ଯପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ । ପଢାଇଲେ ବିକାଶର ପାଠ, ଶିଖାଇଲେ ଜନସେବାର ସୂତ୍ର । ଯାଜପୁର କୁସୁମାରେ ସାଧାରଣ ସଭାରେ ଯୋଗଦେଇ ନାଁ ନନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି 5T ଅଧ୍ଯକ୍ଷ । ଓଡ଼ିଶାରେ ବିଜେପି ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିବା ସହ ପୂର୍ବତନ ମୁଖ୍ଯମନ୍ତ୍ରୀ ଥରେ ଯାଜପୁର ବୁଲିକି ଯାଆନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

କ୍ଷମତା ନୁହେଁ, କି ଚୌକି ଲୋଭ ନୁହେଁ । ଲୋକଙ୍କ ସେବା ହିଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳମନ୍ତ୍ର । ସରକାର ଗଠନ ନୁହେଁ ବରଂ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣ ଲୋକଙ୍କ ଆଶୀର୍ବାଦ ପାଉଛି । କ୍ଷମତା ପଛରେ ନଦୌଡ଼ି ସେ ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଛନ୍ତି । ଏ ବୟସରେ ବି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଯେଉଁଥିପାଇଁ ୨୪ ବର୍ଷ ଧରି ଓଡ଼ିଶାବାସୀ ତାଙ୍କୁ ଭରସା କରିଛନ୍ତି । କ୍ଷମତାଲୋଭୀଙ୍କୁ ଆଗାମୀଦିନରେ ଜନତା ଜବାବ ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କୁସୁମାରେ ଯାଜପୁର ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ । ଜନଅଭିଯୋଗ ଶୁଣାଣିରେ ଲୋକ ଦେଇଥିବା ୨୫୪୦ ଦରଖାସ୍ତ ମଧ୍ଯରୁ ୨୩୦୦ଟିର ସମାଧାନ ହୋଇଛି । ୬ ମାସ ମଧ୍ୟରେ ଯାଜପୁର ଜିଲ୍ଲା ପାଇଁ ୬୧୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଓ ବାରହା ନଦୀର ଦ୍ଵୀପାଞ୍ଚଳର ବିକାଶ ଲାଗି ୧୫ କୋଟି ଟଙ୍କା ଅନୁମୋଦନ ହୋଇଛି । ଚଣ୍ଡିଖୋଲ ମହାବିନାୟକ, ଦଶରଥପୁରର ସିଦ୍ଧେଶ୍ଵର, ବିଂଝାରପୁର ବରୁଣେଶ୍ଵର ଆଦି ଧାର୍ମିକ ପୀଠସହ ସାମଗ୍ରିକ ବିକାଶ ପାଇଁ ବିପୁଳ ଅର୍ଥ ମଞ୍ଜୁର ହୋଇଛି ।

ନୂଆ ଓଡ଼ିଶାରେ ବିକାଶର ମାଇଲଖୁଣ୍ଟ ସାଜିଛି ଯାଜପୁର । ଆଗାମୀ ଦିନରେ ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି 5T ଅଧ୍ୟକ୍ଷ ।