ପୁଣି ଭିଜିବ ଓଡ଼ିଶା, ବର୍ଷା ସହ ହେବ ଘନ କୁହୁଡ଼ି

ଭୁବନେଶ୍ବର: ପୁଣି ଭିଜିବ ଓଡ଼ିଶା । ୧୪ରୁ ୧୬ ପର୍ଯ୍ୟନ୍ତ ବର୍ଷିବ । ୧୫ରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୧୬ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ବାକି ଓଡ଼ିଶାରେ ରହିବ କୋହଲା ପାଗ । କେବଳ ବର୍ଷା ନୁହେଁ ଘନ କୁହୁଡି ମଧ୍ୟ କରିବ କଲବଲ । ମଧ୍ୟରାତ୍ରରୁ ସକାଳ ପର୍ଯ୍ୟନ୍ତ ଦିଶିବନି ରାସ୍ତା । ସତର୍କତାର ସହ ଗାଡ ଚାଳନା ନେଇ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୪ ତାରିଖଠାରୁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ । ୧୫ ତାରିଖରେ ୨୫ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ ୫ଟି ଜିଲ୍ଲାରେ ହାଲୁକା ବର୍ଷା ହେବ । ସେହିଭଳି ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୪ରେ ଘନ କୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୫ ତାରିଖରେ ୧୦ଟି ଜିଲ୍ଲାକୁ ସତର୍କ କରାଯାଇଛି । ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ରହିବ ଘନ କୁହୁଡି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ନୟାଗଡରେ ଭିଜିବିଲିଟି ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ । ତେଣୁ ସତର୍କାତାର ସହ ଗାଡି ଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଛି।

ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବର୍ଷା ପ୍ରଭାବରେ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦିନର ବି ତାପମାତ୍ରା କମିବ ।