ନନ୍ଦିଘୋଷ ବ୍ୟୁରୋ: ବିଗବସ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ଗିରଫ କଲା ନୋଏଡ଼ା ପୋଲିସ । ଦୀର୍ଘଦିନର ପଚରା ଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସାପ ବିଷ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ । ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗ ଧରା ପଡ଼ିବା ପରେ ଏଲଭିଶଙ୍କ ନାମ ଉଠିଥିଲା । ପୋଲିସ ତାଙ୍କ ପଚରା ଉଚରା କରୁଥିବାବେଳେ ଗିରଫ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗତ ବର୍ଷ ସାପ ବିଷ ମାମଲାରେ ସେକ୍ଟର ୪୯ ନଏଡା ପୁଲିସ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା। ଏଥିପାଇଁ ଏଲଭିଶଙ୍କୁ ଆଜି ପଚରାଉଚରା କରିବା ପାଇଁ ପୁଲିସ ଡକାଇଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ ଆଜି ତାଙ୍କୁ ପୁଲିସ ଗିରଫ କରିଛି।
ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ
ପୁରୀ: ଏଣିକି ପ୍ରତିଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ବେଦ ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି। ଦୋଳପୂର୍ଣ୍ଣିମା ରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପ୍ରତିଦିନ ସକାଳ ୬ଟା ରୁ ୭ଟା ମଧ୍ୟରେ ସିଂହଦ୍ଵାର ସମ୍ମୁଖରେ ବେଦ ପାଠ ଅନୁଷ୍ଠିତ ହେବ। ପରେ ପରିକ୍ରମା ମାର୍ଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ସେହିପରି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପଶ୍ଚିମ ଓ ଉତ୍ତର ଦ୍ଵାର କୋଣରେ ଥିବା ସ୍ବତନ୍ତ୍ର ଗ୍ୟାଲେରୀରେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଗୋଟିପୁଅ, ମାହାରୀ ନୃତ୍ୟ ସହିତ ମହାପ୍ରଭୁଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ନିର୍ବାଚନ ଆଚରଣ ବିଧି: ରାଜ୍ୟରେ ଘୋଡ଼ାଗଲା ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ
ଭୁବନେଶ୍ବର: ଗତକାଲି ସାଧାରଣ ନିର୍ବାଚନପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ନସରିବା ପର୍ଯ୍ୟନ୍ତ ହୋଇପାରିବନି ସରକାରୀ ଯୋଜନାର ବିଜ୍ଞାପନ । ଏଥିପାଇଁ ରାଜ୍ୟରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଘୋଡା ଯାଉଛି ।
ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ଯ ସରକାରଙ୍କ ପକ୍ଷରୁ ଲାଗିଥିବା ବିଜ୍ଞାପନ ହୋର୍ଡିଂକୁ ଘୋଡ଼ାଇ ଦିଆଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ କୌଣସି ସରକାରୀ ଯୋଜନାର ପ୍ରଚାର କିମ୍ବା ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ବିଜ୍ଞାପନ ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ଯର ବିଭିନ୍ନ ଛକ, ବଜାର, ରାସ୍ତାରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂଗୁଡ଼ିକ ଘୋଡ଼ାଇ ଦିଆଯାଇଛି ।
ଯୁବକଙ୍କୁ ଅପହରଣ ବେଳେ ଧରାପଡିଗଲେ ଦୁଇ ଦୁର୍ବୃତ୍ତ, ଖାଇଲେ ନିସ୍ତୁକ ମାଡ଼
ଜୟପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ସୁନାପାଲମୁଣ୍ଡା ଗାଁରୁ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ । କୌଶଳ କ୍ରମେ ଖସି ପଳାଇ ଆସିଲେ ଯୁବକ । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ପ୍ରବଳ ମାଡ଼ । ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।
ଅଭିଯୋଗ ଅନୁସାରେ ସୁନାପାଲମୁଣ୍ଡା ଗାଁରୁ ମିନେଶ ନାମକ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ତେବେ ମିନେଶ କୌଣସି ପ୍ରକାରେ ସେମାନଙ୍କ ପାଖରୁ ଖସି ଆସି ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରିବା ସହ ଏଡୁଗୁମ ବାଲସା ନିକଟରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ଦୁଇ ଅଭିଯୁକ୍ତଙ୍କ ଉପରେ ନିସ୍ତୁକ ମାଡ଼ । ଉଭୟଙ୍କୁ ବାନ୍ଧି ପାକଇ ପ୍ରବଳ ମାଡ ମରାଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଥାନାକୁ ନେଇ ପଚରାଉଚରା କରୁଛି । ଉଭୟଙ୍କ ଘର ସୀମାନ୍ତ ଆନ୍ଧ୍ର ପାର୍ବତୀପୁରାମର ବୋଲି ଜଣାପଡ଼ିଛି I
ଇଡି ପରିଚୟ ଦେଇ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ କଲା ଗିରଫ । ୨ ଅଭିଯୁକ୍ତ ହେଲେ ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ।
ଅଭିଯୋଗ ମୁତାବକ, ଉଭୟ ଦୁଇ ଭାଇ । ଏମାନେ ନିଜକୁ ଇଡି ଅଫିସର କହି ୩ ଶହ ସରକାରୀ ଅଧିକାରୀଙ୍କ ଠାରୁ ଠକେଇ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ତଥା SDM ଦେବଦତ୍ତ ମହନ୍ତଙ୍କ ଅଭିଯୋଗକ୍ରମେ ତଦନ୍ତ କରିଥିଲା STF । ତାରିଣୀସେନ ଜଣେ ବିକମ ଗ୍ରାଜୁଏଟ ଓ ବ୍ରହ୍ମଶଙ୍କର ବିସିଏ ପାସ କରିଛନ୍ତି । ରୟାଲ ଲାଇଫ ବଞ୍ଚିବା ପାଇଁ ସେମାନେ ଏଭଳି ଠକେଇ କରିଥିଲେ । ଝାଡ଼ଖଣ୍ଡ ରାଞ୍ଚିରେ ଭଡା ଘରେ ରହୁଥିଲେ । ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ NGO ମଧ୍ୟ ଚଳାଉଥିଲେ । ଇଡି ରେଡ୍ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ । କୌଣସି ମାମଲାର ବୁଝାମଣା ପାଇଁ ଟଙ୍କା ଦେବାକୁ ଧମକାଉଥିଲେ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ । ସେମାନଙ୍କ ଠାରୁ ଡେସ୍କଟପ, ମୋବାଇଲ, ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି । କେସ ନମ୍ବର ଦଫା ୧୫, ୪୧୯, ୪୨୦, ୩୮୪, ୩୮୮, ୫୦୬ ଓ ୧୨୦-ବି ରେ ଦୁଇ ଠକ ଭାଇଙ୍କୁ କୋର୍ଟଚାଲାଣ କରିଛି STF ।
ସରିଲା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା
ମୁମ୍ବାଇ: କଂଗ୍ରେସ ଚଲାଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ହୋଇଛି ଶେଷ । ମୁମ୍ବାଇରେ ହୋଇଥିବା ଶେଷ ନ୍ୟାୟ ଯାତ୍ରା ଅବସରରେ ଆୟୋଜିତ ସାଧାରଣ ସଭାରେ ସାମିଲ ହେଲେ ବହୁ ସହଯୋଗୀ ଦଳ ।
ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ହିଂସା, ଦ୍ବେଷର ସ୍ଥାନ ନାହିଁ । ଭାରତ ଭ୍ରାତୃତ୍ବ ବୋଧର ଦେଶ । ୨ ମାସ ପୂର୍ବରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବା ପରେ ଆଜି ଶେଷ ହୋଇଛି ।
ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ସମାବେଶରେ ବିଭିନ୍ନ ଦଳର ନେତାମାନେ ଯୋଗଦେଇଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ସମାବେଶରେ ସାମିଲ ହୋଇଛନ୍ତି । ଗତ ଜାନୁଆରୀ ୧୪ରେ ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା । ଆସାମ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡ଼ିଶା ସମେତ ୧୫ ରାଜ୍ୟର ୧୧୦ ଜିଲ୍ଲା ତଥା ୧୦୦ରୁ ଅଧିକ ଲୋକସଭା ଆସନ ଓ ୩୩୭ ବିଧାନସଭା କ୍ଷେତ୍ର ଅତିକ୍ରମ କରିଥିଲା ।

