ପୋଡ଼ପିଠା ଭୋଗ କଲେ ମାନସିକ ପୂରଣ ହୁଏ ବୋଲି ରହିଛି ବିଶ୍ବାସ, ଜାଣନ୍ତୁ କେଉଁଠି?

ଯାଜପୁର: ବିଭିନ୍ନ ପର୍ବ ପର୍ବାଣୀରେ ପୋଡପିଠାର ଗୁରୁତ୍ବ ରହିଛି । ରଥଯାତ୍ରା ବେଳେ ମଧ୍ୟ ଏହି ପିଠାର ମହତ୍ବ ରହିଛି ।  କାଳିଆ ଠାକୁରଙ୍କ ପୋଡ ପିଠା ପ୍ରତି ରହିଛି ଆଦର । ସେହିଭଳି ଯାଜପୁର ଜିଲ୍ଲାର ଓଳାଶୁଣୀ ପୀଠରେ ପୋଡପିଠାର ରହିଛି ସ୍ୱତନ୍ତ୍ରତା ।  ବର୍ଷକ ବାର ମାସ ଏଠାରେ ପୋଡ଼ପିଠା ବିକ୍ରି ହୋଇଥାଏ । ସନ୍ଥ ଅରକ୍ଷିତ ଦାସଙ୍କ ପାଖରେ ପୋଡ଼ପିଠା ଭୋଗ ଲାଗି କଲେ ମାନସିକପୂରଣ ହୁଅ ବୋଲି ବିଶ୍ୱାସ ରହିଛି ।

ପୀଠର ସନ୍ଥ ସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କର ପୋଡପିଠା ଅତିପ୍ରିୟ । ଫଳରେ ଏଠାରେ ଅନାଦି କାଳରୁ ପିଠା ଭୋଗ ଲାଗିବାର ପରମ୍ପରା ରହିଛି । ସନ୍ଥ ଅରକ୍ଷିତ ଦାସ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ । ପ୍ରଭୁଙ୍କ ଦର୍ଶନ କରି ନପାରି ଶ୍ରୀକ୍ଷେତ୍ର ଦକ୍ଷିଣ ପାଶ୍ୱରେ  ଭୋକ ଉପାସରେ ରହି ଧ୍ୟାନରେ ବସିଥିଲେ । ସ୍ବୟଂ ମହାଲକ୍ଷ୍ମୀ ସେଠାରେ ପହଂଚି ଅରକ୍ଷିତ ଦାସଙ୍କୁ ପୋଡ଼ପିଠା ଖୁଆଇଥିବା କିମ୍ବଦନ୍ତୀ ରହିଛି । ସେହିଦିନ ଠାରୁ ପୋଡ଼ପିଠା ଅରକ୍ଷିତ ଦାସଙ୍କ ଅତି ପ୍ରିୟ ହୋଇଥିଲା। ସେବେଠାରୁ ଏଠାରେ ପୋଡପିଠା ଲାଗି କରାଯାଉଛି ।

ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳାରେ ଭଳିକି ଭଳି ପୋଡ଼ପିଠାର ପସରା ଦେଖିବାକୁ ମିଳିଥାଏ ।  ଏହି ପୀଠର ପିଠା ଅତ୍ୟନ୍ତ ସ୍ୱାଦିଷ୍ଟ  । ଏଠାକୁ ଯେଉଁ ଶ୍ରଦ୍ଧାଳୁ ଆସନ୍ତି ପୋଡ଼ ପିଠା ନେବା ପାଇଁ ଜମାରୁ ବି ଭୁଲନ୍ତି ନାହିଁ । ଅରୁଆ ଚାଉଳ, ଚୁନା ସହିତ ଗୁଡ଼, ଘିଅ, ନଡ଼ିଆ, ଛେନା ଓ ଅଦା ରେ ପ୍ରସ୍ତୁତ ହେଉଛି ପୋଡପିଠା ।  ଏଠାରେ ପୋଡ଼ପିଠା କେଜି ପ୍ରତି 100 ଟଙ୍କାରେ ବିକ୍ରି କରାଯାଉଛି।