୪ ଜିଲ୍ଲା ପାଇଁ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଲା, କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ । ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ ୪ ଜିଲ୍ଲାର ୩୨ ହଜାର ଏକରରୁ ଅଧିକ ଜମିକୁ ମିଳିବ ପାଣି । ସାନ୍ଦୁଲ ବ୍ୟାରେଜ ଜଳସେଚନ ପାଇଁ ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକ୍‌ର ୨୯ଟି ଗାଁର ୧୨ ହଜାର ୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି । ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି । କାଳିଆ ଯୋଜନା, ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା, ମାଗଣାରେ ଫସଲବୀମା ସୁବିଧା, ଚାଷୀ ପରିବାରର ପିଲାଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ଏବଂ ଚାଷୀ ଭାଇ ଭଉଣୀଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମାଆମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି । ଆମ ଓଡିଶା ନବୀନ ଓଡିଶା ଓ ଲକ୍ଷ୍ମୀ ଯୋଜନାରେ ଚାଷୀ ଭାଇ ଭଉଣୀମାନେ ସବୁଠାରୁ ଅଧିକ ଉପକୃତ ହେବେ । କାର୍ଯ୍ୟକ୍ରମକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ । ରାଜ୍ୟ କ୍ୟାବିନେଟରେ ନୂଆ-ଓ ଛାତ୍ରବୃତ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଛାତ୍ର ମାନଙ୍କ ପାଇଁ ୯ ହଜାର ଓ ଛାତ୍ରୀମାନଙ୍କ ପାଇଁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ରହିଛି । ଏହି ଯୋଜନା ବିଷୟରେ ଆପଣମାନେ ଘରେ ପିଲାମାନଙ୍କୁ ଜଣାନ୍ତୁ ଓ ଏହାର ସୁଯୋଗ ଲାଭ କରନ୍ତୁ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ ।….