କମିବ ଦୁର୍ଘଟଣା: କଟକ ଜଗତପୁରରେ ନିର୍ମାଣ ହେବ ରାଜ୍ୟର ବ୍ରହତ୍ତମ ଟ୍ରକ ଟର୍ମିନାଲ

1 min read

କଟକ: କମିବ ଦୁର୍ଘଟଣା, ଅକାଳରେ ଯିବନି ଜୀବନ । 5T ଉପକ୍ରମରେ ଆରମ୍ଭ ହେଲା ଉଦ୍ଯମ । ଖୁବଶୀଘ୍ର ହଟିବ ସମସ୍ଯା । ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଲା ଟ୍ରକ୍ ମାଲିକ ସଂଘ । ଟୁଇନ ସିଟି ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ରାସ୍ତାକଡ଼ରେ ବେଆଇନ ଭାରିଯାନ ପାର୍କିଂ ର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ଯମ । 5T ଉପକ୍ରମରେ ରାଜ୍ଯ ପରିବହନ ବିଭାଗ ସହଯୋଗରେ କଟକ ଜଗତପୁରରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ବ୍ରହତ୍ତମ ଟ୍ରକ ଟର୍ମିନାଲ । ଜଗତପୁର ଗୋଲେଇ ଛକରେ ଏଥିପାଇଁ 9.55 ଏକର ଜମି ଚିହ୍ନଟ କରାଯାଇଛି । ଏଥିରୁ 6.01 ଏକର ଉପରେ ହେବ ଟର୍ମିନାଲ। 0.86 ଏକର ଜମିରେ ନୂତନ ଆରଟିଓ କାର୍ଯ୍ୟାଳୟ,1.6 ଏକରରେ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ଟ୍ରାକ୍ ଓ 1 ଏକର ଜମିରେ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ ମାର୍କେଟ କମ୍ପ୍ଲେସ ନିର୍ମାଣ ହେବ । ଏହାସହ ଢ଼ାବା, ଏଟିଏମ୍, ସର୍ଭିସ ଷ୍ଟେସନ, ଲୋଡିଙ୍ଗ ଅନଲୋଡିଂ ରେଷ୍ଟ ଓ ବାଥ ପ୍ଲେସ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୋଲିସ ଆଉଟ ପୋଷ୍ଟ ରହିବ। ଏହି ମେଗା ପ୍ରକଳ୍ପ ପାଇଁ ପ୍ରାୟ 20 କୋଟି ଖର୍ଚ୍ଚ ହେବ।

ଜଗତପୁରରେ ଥିବା ଟ୍ରକ ପ୍ରାକିଙ୍ଗ ସ୍ଥଳ ଅତ୍ୟନ୍ତ ସଂକୁଚିତ । ମଙ୍ଗୁଳିରୁ ଶିଖରପୁର ପର୍ଯ୍ୟନ୍ତ ଶହ ଶହ ଟ୍ରକ ପ୍ରତିଦିନ ରାସ୍ତା କଡ଼ରେ ବେଆଇନ ପାର୍କିଂ କରୁଛନ୍ତି। କାର୍ଯ୍ଯାନୁଷ୍ଠାନ ସତ୍ତ୍ବେ ଆଶାଜନକ ଫଳ ମିଳୁନାହିଁ । ଫଳରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଛି । ପରିବହନ ବିଭାଗ ଓ ସରକାରଙ୍କୁ ସଂଘ ଏନେଇ ଜଣାଇବା ପରେ ଆରମ୍ଭ ହୋଇଛି ଉଦ୍ଯମ । ଏଥିପାଇଁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛି ଟ୍ରକ ସଂଘ ।