spot_img
Home Blog Page 2152

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁଇଗୁଣ ହେଲା ‘ମମତା’ ସହାୟତା, ଏଣିକି ମିଳିବ ୧୦ ହଜାର

ଭୁବନେଶ୍ବର: ମମତା ଯୋଜନାରେ ସହାୟତା ରାଶି ହେଲା ଦୁଇଗୁଣ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀଙ୍କୁ ମିଳିବ । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । ମମତା ଯୋଜନା ବେଶ ଲୋକପ୍ରିୟ ଯୋଜନା ଓ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି ।

ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ (ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି ।

୧୯ ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ । ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମାଆଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମାଆମାନେ ଏହି ସହାୟତା ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ଉପକୃତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨  ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ୧୮୧ ହେଲଫଲାଇନକୁ କଲ୍‌ କରନ୍ତୁ କିମ୍ବା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

ଜାମୁଝରୀରେ ବିଶ୍ବସ୍ତରୀୟ ମଡେଲ କାରାଗାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜାମୁଝରୀରେ ହେବ ବିଶ୍ବସ୍ତରୀୟ ସବୁଜ ବଳୟ ମଡେଲ କାରାଗାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଭିତ୍ତିପ୍ରସ୍ତର ସ୍ଥାପନ । କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଡିଜି ଅମ୍ରିତ ପ୍ରସାଦ, ଜେଲ ଏଡିଜି ଅମିତାଭ ଠାକୁର, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାର ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ । ପ୍ରଥମ ପର୍ଯ୍ୟାୟରେ ୩୫ ଏକର ଜମିରେ ଜେଲ ନିର୍ମାଣ କରାଯିବ । ଆଗାମୀ ୫୦ ବର୍ଷର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଜେଲରେ ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ୍ଚଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଗୁରଗାଓଁ, ରୋହତକ, ପାନିପଥ, ଅମ୍ରିତସର, ଦିଲ୍ଲୀର ତିହାର ଓ ମଡେଲ ଜେଲ୍ ଏବଂ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । 5T ଉପକ୍ରମରେ ନିର୍ମାଣ କରାଯିବ ଏହି କାରାଗାର । ଏହି ମଡେଲ ଜେଲରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୫ଶହ କଏଦୀ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ୫ଶହ କଏଦୀ ରହିବାର କ୍ଷମତା ରହିବ ।

5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଲେ ୧୩ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚାରି ଆଡ଼େ ସ୍ବାଗତ । ଆଜି ବି ନବୀନ ନିବାସ ବାହାରେ ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ଼ । ଭତ୍ତା ବୃଦ୍ଧି ଯୋଗୁଁ ହୁଳହୁଳି ପକାଇ ଧନ୍ଯବାଦ ଜଣାଇଥିଲେ ମିଶନ ଶକ୍ତି ମାଆ । ସେହପରି ନୂତନ ଏନଏସି ମାନ୍ୟତା ପାଇଥିବା ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଟିରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କ ଜୟଗାନ । ଏପରିକି ସଂଖ୍ୟାଲଘୁ ବି ସୁବିଧା ପାଇଥିବାରୁ ଲମ୍ବା ଧାଡ଼ିରେ ନବୀନ ନିବାସ ଯାଇ କୃତଜ୍ଞତା ଜଣାଇଥିଲେ । ମୋଟ ୧୩ଟି ସଂଗଠନ ଆଜି ଭେଟି ଥିଲେ । ଏହି ଅବସରରେ ସବୁ ସଂଗଠନଗୁଡିକୁ ମୁଖ୍ଯମନ୍ତ୍ରୀଙ୍କ ନୂତନ ଓ ସଶକ୍ତ ଓଡ଼ିଶା ଗଠନର ସ୍ବପ୍ନ ସାକାର ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ରାଜ୍ୟରେ ଚାଲିଥିବା ରୂପାନ୍ତରଣ ଆମକୁ ଉତ୍ସାହିତ କରିଛି । ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ସମର୍ପଣ ଭାବରେ ଆମେ କାମ କରିବୁ । 5T ଅଧ୍ୟକ୍ଷ ସଂଗଠନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓ ସଶକ୍ତ ଓଡ଼ିଶା ସ୍ବପ୍ନକୁ ପୂରଣ କରିବା ଆମର ଏକମାତ୍ର ଲକ୍ଷ୍ୟ । ନୂଆ ଓ ସଶକ୍ତ ଓଡ଼ିଶା ପରିକଳ୍ପନା ସାକାର କରିବାକୁ ହେଲେ ସମସ୍ତଙ୍କୁ ସାମୂହିକ ଭାବେ ପ୍ରୟାସ କରିବାକୁ ପଡିବ ।

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ବରେ କୁକୁଡାଖଣ୍ଡି ଏନଏସିର ଜନତା 5T ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କଟକ ମେୟର ସୁବାସ ସିଂଙ୍କ ନେତୃତ୍ବରେ ଅଲ ଓଡ଼ିଶା ଜିପିଏଲଏ (MBK, CRP, କୃଷୀ ମିତ୍ର, ପ୍ରାଣୀ ମିତ୍ର, LSP) ସଦସ୍ୟ 5T ଅଧ୍ୟକ୍ଷଙ୍କୁ ଭେଟିଥିଲେ । ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ବୀରମହାରାଜପୁର ଏନଏସି, ବର୍ଷା ସିଂ ବରିହାଙ୍କ ନେତୃତ୍ବରେ ପାଇକମାଳ ଏନଏସି, ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ବରଗଡ଼ ଏନଏସିର ଭେଡେନ ଜନତା ଏବଂ ରମେଶ ମାଝିଙ୍କ ନେତୃତ୍ବରେ ଯାଦବ ମହାସଙ୍ଘ କର୍ମକର୍ତ୍ତା 5T ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ । ଏମାନଙ୍କ ସମେତ ବିିଭିନ୍ନ ସଙ୍ଗଠନର କର୍ମକର୍ତ୍ତା 5T ଅଧ୍ୟକ୍ଷଙ୍କୁ ଭେଟିଥିଲେ ।

କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ । ଏହାସହ ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍ପିଟାଲ ଏକ ନୂଆ ପରିଚୟ ସୃଷ୍ଟି କରିବ ।

ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ । କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କିମ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି ୧୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ କରାଯାଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଲକ୍ଷ୍ୟ ନେଇ ଆମେ କାମ କରୁଛୁ ଏବଂ ଓଡିଶାର ସବୁ ପରିବାର ଯେପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାକୁ ଆମେ ପ୍ରାଧାନ୍ୟ ଦେଇ କାମ କରୁଛୁ ବୋଲି କହିଥିଲେ ।

ଏ ଦିଗରେ ଆମ ହସ୍ପିଟାଲ, ବିଏସକେଓ୍ବାଇ, ବିଏସକେଓ୍ବାଇ ନବୀନ କାର୍ଡ ଆଦି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସରକାରଙ୍କ ଏହି ଉଦ୍ୟମରେ କିମ୍ସ ପରି ଘରୋଇ ସଂସ୍ଥାଗୁଡିକର ଯୋଗଦାନ ଆମର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ କିମ୍ସର ପ୍ରତିଷ୍ଠାତା ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ, ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ଦୁଇଟି ଅପରିହାର୍ଯ୍ୟ ଦିଗ । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଦିଗକୁ ଗୁରୁତ୍ୱର ସହ ନେଇ ଏହାର ବିକାଶ ଜରିଆରେ ଶୀର୍ଷରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତିକୁ ସମାନ ଭାବେ ପ୍ରାଧାନ୍ୟ ଦେଇଥାନ୍ତି । ଆଜି କଲରାବାଙ୍କ ଗ୍ରାମରେ ସହର ଭଳି ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି । ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରୋତ୍ସାହନ ପ୍ରଶଂସନୀୟ । କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିଜ ଜନ୍ମ ମାଟି ଓ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଯୋଗଦାନକୁ ପ୍ରଶଂସା କରିଥିଲେ ।

କ୍ରାସ ହେଲା ଭାରତର ତେଜସ୍, ୨୩ ବର୍ଷ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ: କ୍ରାସ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ବିମାନ । ପରୀକ୍ଷଣର ୨୩ ବର୍ଷ ପରେ ପ୍ରଥମ ଥର ପାଇଁ କ୍ରେସ ହେଲା ତେଜସ୍ । ରାଜସ୍ଥାନର ଜୟସେଲମେରରେ ବିମାନଟି କ୍ରାସ ହୋଇଥିବା ଜଣାପଡିଛି । ମେଘଓ୍ବାଲ ଛାତ୍ରାବାସ ଉପରେ ବିମାନଟି କ୍ରେସ ହୋଇ ପଡିଥିବା ଜଣାପଡିଛି ।

କ୍ରେସ ହେବା ପରେ ଏଥିରେ ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା । ତେବେ କ୍ରାସ ପୂର୍ବରୁ ଏଥିରେ ଥିବା ପାଇଲଟି ସୁରକ୍ଷିତ ଅବତରଣ କରିଯାଇଥିଲେ । ବାୟୁସେନାର ତେଜସ ପ୍ରଶିକ୍ଷଣ ସମୟରେ ଏହି ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜାଣିବାକୁ କୋର୍ଟ ଅଫ ଇନକ୍ଵାରୀ ନିର୍ଦ୍ଦେଶ ଦେଇଛି ବାଯୁସେନା । ବିମାନ ଦୁର୍ଘଟଣା ନେଇ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦିଆଯାଇଛି ।

ପ୍ରଥମ ଥର ଲାଗି ଭାରତୀୟ ବାୟୁସେନା ଇତିହାସରେ ତେଜସ ବିମାନ କ୍ରାସ ହୋଇଛି । ୨୦୦୧ ମସିହାରେ ଏହି ବିମାନର ପ୍ରଥମ ପରୀକ୍ଷଣ ହୋଇଥିଲା । ଏହାପରେ ୨୦୧୬ରେ ବିମାନକୁ ଭାରତୀୟ ବାଯୁସେନାରେ ସାମିଲ କରାଯାଇଥିଲା ।

CAA ବିରୋଧରେ ସୁପ୍ରିମକୋର୍ଟରେ ମୁସଲିମ୍ ଲିଗ୍

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାର ଦେଶରେ CAA ଲାଗୁ କରିବା ପରେ ଏହାକୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଆସାମରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମଏଲ) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମୁସଲିମ୍ ଲିଗ ପକ୍ଷରୁ ଦାୟର ପିଟିସନରେ ସିଏଏରେ ଥିବା ନିୟମକୁ କାର୍ଯ୍ୟକାରୀ କରାଯିବା ଉପରେ ରୋକ ଲଗାଇବାକୁ ଅନୁରୋଧ କରାଯାଇଛି । ମୁସଲିମ ଲିଗ ପକ୍ଷରୁ କୁହାଯାଇଛି, ସିଏଏ ଅସମ୍ବିଧାନିକ ଓ ଏହା ମୁସଲମାନଙ୍କ ବିରୋଧରେ ଭେଦଭାବ ସୃଷ୍ଟି କରୁଛି ।

ମୁସଲିମ ଲିଗ ପକ୍ଷରୁ ଦିଆଯାଇଥିବା ପିଟିସନରେ କୁହାଯାଇଛି, ସିଏଏ, ଧାର୍ମ ଆଧାରରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଅନୁଚିତ ଲାଭ ଦେଉଛି । ଯାହା ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୧୫କୁ ଉଲ୍ଲଂଘନ କରୁଛି । ଯାଚିକାରେ ଏହା ମଧ୍ୟ କୁହାଯାଇଛି, ଏହାକୁ ବିରୋଧ କରି ପ୍ରାୟ ୨୫୦ ପିଟିସନ ସୁପ୍ରିମକୋର୍ଟରେ ରହିଛି । ଯଦି ସିଏଏକୁ ସମ୍ବିଧାନିକ ବିବେଚନା କରାଯିବ ତେବେ ଏହା ଅସାମାନ୍ୟ ସ୍ଥିତି ସୃଷ୍ଟି କରିବ । ଯେଉଁ ଲୋକଙ୍କୁ ଅଧିନିୟମ ଓ ନିୟମ ଅନୁସାରେ ନାଗରିକତା ମିଳିଛି, ସେମାନଙ୍କ ନାଗରିକତାକୁ ରଦ୍ଦ କରିବାକୁ ପଡ଼ିବ । ଯେପର୍ଯ୍ୟନ୍ତ ନ୍ୟାୟାଳୟ ମାମଲାର ଶୁଣାଣି କରିନାହାନ୍ତି ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ସହମତି ନହୋଇଛି ସେ ପର୍ଯ୍ୟନ୍ତ ସିଏଏ ଓ ଲାଗୁ ନିୟମକୁ କାର୍ଯ୍ୟକାରୀ ହେବାକୁ ଦିଆନଯାଉ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସୋମବାର ଦେଶରେ ସିଏଏ ଲାଗୁ କରିଛନ୍ତି । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଅଣ-ମୁସଲମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ଏଥିରେ ହିନ୍ଦୁ, ଇସାଇ, ସିଖ, ବୈଦ୍ଧ, ଜୈନ, ଫାର୍ସୀ ସମୂଦାୟର ଲୋକଙ୍କୁ ଭାରତର ନାଗରିକତା ମିଳିପାରିବ ।  ସଂସଦର ଉଭୟ ଗୃହରେ ୨୦୧୯ ଡିସେମ୍ବର ୧୧ ତାରିଖରେ ସିଏଏ ପାରିତ ହୋଇଥିଲା । ଏହାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇଥିଲେ । ଏହି ନିୟମ ସେମାନଙ୍କ ଉପରେ ଲାଗୁ ହେବ ଯେଉଁମାନେ ୨୦୨୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଛନ୍ତି ।

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ନାଏବ ସୈନି

ଚଣ୍ଡିଗଡ: ଖୁବଶୀଘ୍ର ହରିୟାଣାରେ ବଦଳିବ ସରକାର  । ନାଏବ ସୈନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ  । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି  । ଔପଚାରିକ ଭାବେ ତାଙ୍କ ନାଁ ଘୋଷଣା ହେବାକୁ ବାକି ଅଛି  । ବିଧାୟକ ଦଳ ବୈଠକରେ ନାଏବ ସୈନିଙ୍କ ନାଁରେ ମୋହର ଲାଗିଛି  । ବୈଠକ ପରେ ବିଧାୟକ ଦଳର ନେତା ଭାବେ ସେ ଚୟନ ହୋଇଛନ୍ତି  ।

ମନୋହର ଲାଲ ଖଟ୍ଟର ସିଏମ ପଦରୁ ଇସ୍ତଫା ଦେବା ପରେ ନୂଆ ସିଏମଙ୍କ ନାମ ମନ୍ଥନ ପାଇଁ ବିଧାୟକ ଦଳ ବୈଠକ ବସିଥିଲା  । ଏହି ବୈଠକରେ କୁରୁକ୍ଷେତ୍ର ସାଂସଦ ତଥା ଭାଜପା ଅଧ୍ୟକ୍ଷ ନାଏବ ସିଂ ସୈନୀଙ୍କ ନାଁକୁ ସହମତି ମିଳିଛି  । ନାଏବ ସୈନୀ ଏବେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ  ।

ନାଏବ ସୈନୀ ହରିୟାଣାର ଓବିସି ଚେହେରା ଅଚନ୍ତି  । ବିଜେପିର ପ୍ରଦେସ ଅଧ୍ୟକ୍ଷ ହେବା ସହ ସେ କୁରୁକ୍ଷେତ୍ରର ସାଂସଦ ରହିଛନ୍ତି  । ପ୍ରଦେଶ ମହାମନ୍ତ୍ରୀ ସଙ୍ଗଠନରେ ହରିୟାଣା ବିଜେପିର ସହଯୋଗୀ ରୂପେ ୧୯୯୬ ରୁ ୨୦୦୦ ପର୍ଯ୍ୟନ୍ତ ସେ କାମ କରିଛନ୍ତି  । ୨୦୦୨ରେ ଯୁବମୋର୍ଚ୍ଚା ବିଜେପି ଅମ୍ବାଲାରୁ ସେ ଜିଲ୍ଲା ମହାମନ୍ତ୍ରୀ ରହିଥିଲେ  । ସେହିପରି ୨୦୦୫ରେ ଯୁବମୋର୍ଚ୍ଚା ଭାଜପାର ଅମ୍ବାଲା ଜିଲ୍ଲାର ଅଧ୍ୟକ୍ଷ ଥିଲେ  । ଗତ ୨୦୧୪ରେ ନାରାୟଣ ଗଢ ଆସନରୁ ସେ ବିଧାୟକ ଥିଲେ  । ଏହାପରେ ୨୦୧୬ରେ ହରିୟାଣା ସରକାରରେ ମନ୍ତ୍ରୀ ପଦରେ ଦାୟିତ୍ବ ତୁଲାଇଥିଲେ । ୨୦୧୯ରେ କୁରୁକ୍ଷେତ୍ର ସାଂସଦ ରୂପେ ନିର୍ବାଚିତ ହୋଇଥିଲେନାଏବ ସୈନି  ।

ଆନ୍ଦୋଳନରୁ ଓହରିଲେ, ଆଜିଠୁ କାମରେ ଯୋଗ ଦେବେ ସଫେଇ କର୍ମଚାରୀ

ଭୁବନେଶ୍ବର: ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ବିଭିନ୍ନ ଦାବି ନେଇ କାଲି ଠାରୁ ଆନ୍ଦୋଳନ କରିଆସୁଥିବା ହଜାର ହଜାର କର୍ମଚାରୀ ଆଜି ବିଏମସି ଅଫିସ ଘେରାଉ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି କମିଶନର ଓ ମେୟରଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

ସଫେଇ କର୍ମଚାରୀମାନଙ୍କର ଦୁଇଟି ଦାବି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଶେଷରେ ସରକାର ସଫେଇ କର୍ମଚାରୀମାନଙ୍କ ଦାବି ମାନିନେଇଥିଲେ । ୩ ଦିନ ଭିତରେ ସବୁ ସଫେଇ କର୍ମଚାରୀମାନଙ୍କର ଦରମା ବୃଦ୍ଧି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ।

ଏହାପରେ ଆଜିଠାରୁ ସଫେଇ କର୍ମଚାରୀ ସଫେଇ କାମରେ ଯୋଗଦେବେ ବୋଲି କହିଛନ୍ତି । ୧୫ ଦିନ ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନେ ଅଳିଆ ବାଛିବା ପାଇଁ ସହଯୋଗ କରିବା ନେଇ ବୈଠକରେ ସ୍ଥିର ହୋଇଛି। ବୈଠକ ଶେଷ ହେବା ପରେ ସଫେଇ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଏମସି କମିଶନର ଓ ମେୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଜି ସାତ ଜନ୍ମର ସାଥୀ ହେବେ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ମ୍ୟାଡାମ ମିଞ୍ଜ

ନୂଆଦିଲ୍ଲୀ: ଦେଶରେ ଏବେ ଏମିତି ଏକ ବିବାହର ଚର୍ଚ୍ଚା ଚାଲିଛି ଯାହା ଦେଖିବାକୁ ପ୍ରତ୍ୟେକ ବ୍ୟକ୍ତି ଏବେ ଆଗ୍ରହୀ  । ତିହାର ଜେଲରେ ସଜା କାଟୁଥିବା ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ତା ପ୍ରେମିକା ଲେଡି ଡନ ଅନୁରାଧା ଅର୍ଥାତ ମ୍ୟାଡାମ ମିଞ୍ଜର ପଡିବ ହାତଗଣ୍ଠି  । ଏହି ବିବାହରେ ଅତିଥିଙ୍କ ଠୁ ଅଧିକ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳିବ  । ବିବାହରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌, ସ୍ବତନ୍ତ୍ର ଅଧିକାରୀ, କ୍ରାଇମ ବ୍ରାଞ୍ଚ ସମେତ ପୋଲିସ ଟିମ ଉପସ୍ଥିତ ରହିବେ  ।

 

ମାର୍ଚ୍ଚ ୧୨ରେ ହେବାକୁ ଥିବା କଏଦୀଙ୍କ ଏଭଳି ବିବାହ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ଜେଲରେ ଅନେକ ବିରୋଧୀ ଅଛନ୍ତି  । ଯେଉଁମାନେ ପ୍ରତି ମୂହୂର୍ତ୍ତରେ ପ୍ରତିଶୋଧ ନେବାକୁ ଚାହିଁ ରହିଛନ୍ତି  । ବିବାହରେ ଯୋଗ ଦେବାକୁ ଅତିଥିଙ୍କୁ ସ୍ବତନ୍ତ୍ର ବାରକୋଡ ଦିଆଯିବ  । ପୋଲିସ ଉପସ୍ଥିତିରେ ଅତିଥି ମାନେ ବିବାହରେ ଯୋଗ ଦେବେ  । ପାରୋଲରେ ଆସି ଉଭୟ ଜେଲ ବାହାରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି  ।

 

କାଲା ଜଠେଡି ଓ ଲେଡି ଡନର ବିବାହ ଉତ୍ସବ ହଲ୍‌ ବାହାରେ ମେଟାଲ ଡିଟେକ୍ଟର ଲଗାଯାଇଛି  । ଏହା ମଧ୍ୟ ଦେଇ ଅତିଥି ମାନେ ବିବାହ ମଣ୍ଡପକୁ ପ୍ରବେଶ କରିବେ  । ଦିଲ୍ଲୀର ଦ୍ବାରକା ସ୍ଥିତ ସନ୍ତୋଷ ପ୍ୟାଲେସରେ ପରିବାରର ଉପସ୍ଥିତିରେ ଉଭୟ ଉଭୟଙ୍କୁ ବରମାଲା ପିନ୍ଧାଇ ସାତ ଜନ୍ମର ସାତୀ ହେବେ   । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି  । ସମସ୍ତ ସିସିଟିଭିକୁ ବାରମ୍ବାର ଚେକିଂ କରାଯାଉଛି  ।

ଆସାମରୁ ନନ୍ଦନକାନନ ଆସିବେ ନୂଆ ଅତିଥି, ଖୁବଶୀଘ୍ର ପଶୁପକ୍ଷୀ ଅଦଳବଦଳ

ଭୁବନେଶ୍ବର: ନନ୍ଦନକାନନକୁ ଆସିବେ ନୂଆ ଅତିଥି। କରାଯିବ ପଶୁପକ୍ଷୀ ଅଦଳବଦଳ। ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି। ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ବାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ଼ ଆଡଜୁଟାଣ୍ଟ ଷ୍ଟର୍କ ଅଣାଯିବ।

ଫଳରେ ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବେ। ବଦଳରେ ନନ୍ଦନକାନନ ଦେବ ୨ଟି ପେଣ୍ଟେଡ ଷ୍ଟର୍କ, ୧ଟି ମଣ୍ଡାରିନ ବତକ, ୨ଟି ସ୍ପଟ ବିଲ୍ଡ ପେଲିକାନ , ବ୍ଲାକ ବକ୍ , ୧୦ଟି ବ୍ୟାକ୍ ହେଡେଡ୍ ଇବିସ । ଏଥିପାଇଁ ଏକ ୫ ଜଣିଆ ଟିମ୍ ଆଜି ଆସାମ ଯାଉଛନ୍ତି । ୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରାଣୀ ନନ୍ଦନକାନନରେ ପହଞ୍ଚିଯିବେ । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ଲାଗି ଏହି ପ୍ରାଣୀ ବିନମୟ କରାଯାଇଛି ।