ବିଜେପିର ପ୍ରଲୋଭନ ଯୋଜନା ଭଣ୍ଡୁର; ପ୍ରଚାର ପତ୍ର ସହ ଖେଳ ସମାଗ୍ରୀ ଭର୍ତ୍ତି ବ୍ୟାଗ ଜବତ

ଆଠମଲ୍ଲିକ: ଫସର ଫାଟିଲା ଭୋଟ ହାତେଇବାକୁ ବିଜେପିର ଲାଞ୍ଚ ଯୋଜନା । ଯୁବ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖେଳ ସାମଗ୍ରୀ ଦେବାକୁ ହୋଇଥିଲା ଯୋଜନା । ହେଲେ ଧରି ପକାଇଲେ ଗ୍ରାମବାସୀ, ଦେଲେ ପୋଲିସ ଜିମା । ଘଟଣା ଘଟିଛି, ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ପର୍ଶୁମାଳ ଗାଁରେ ।

ଗାଁରେ ଖେଳ ସାମଗ୍ରୀ ବଣ୍ଟା ହେବାକୁ ଥିବା ବେଳେ, ଜବତ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଗୋଟିଏ ବସ୍ତା ଓ ଗୋଟିଏ ବ୍ୟାଗରେ ଖେଳ ସାମଗ୍ରୀ ବାଣ୍ଟିବାକୁ ରଖାଯାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକମାନେ ବସ୍ତା ଓ ବ୍ୟାଗ୍ ଖୋଲିବା ସମୟରେ ଜଣେ ସ୍ତ୍ରୀ ଲୋକ ବସ୍ତାଟିକୁ ନେଇ ଯାଇଥିଲେ । ବ୍ୟାଗଟି ଖୋଲିବା ସମୟରେ ସେଥିରେ ବିଜେପିର ପ୍ରଚାର ପତ୍ର ସହ ଖେଳ ସାମଗ୍ରୀ ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସ୍ଥାନୀୟ ଲୋକ ସଂପୃକ୍ତ ସ୍ତ୍ରୀ ଲୋକଙ୍କ ଘର ଯାଞ୍ଚ କରିବାକୁ ଦାବି କରିଛନ୍ତି ।