ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ୧୨୧ ପ୍ରାର୍ଥୀ କୋଟିପତି, ୯୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା

ଭୁବନେଶ୍ବର: ଜୁନ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ ୩୯୪ ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୯୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅଛନ୍ତି ୧୨୧ ଜଣ କୋଟିପତି ପ୍ରାର୍ଥୀ ।

ବିଜେଡିର ବସ୍ତା ପ୍ରାର୍ଥୀ ଶୁଭାଷିନୀ ଜେନା ସବୁଠାରୁ ଅଧିକ ଧନୀ । ଶୁଭାଷିନୀଙ୍କର ୧୩୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ନିରଞ୍ଜନ ପଟ୍ଟନାୟକ ୩ ନମ୍ବର ଧନୀ ପ୍ରାର୍ଥୀ । ସେ ୮୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମାଲିକ । ମୟୂରଭଞ୍ଜ ଜିଲ୍ଲା ଉଦଳାର ସ୍ବାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ର ସବୁଠାରୁ ଗରିବ ପ୍ରାର୍ଥୀ । ତାଙ୍କ ପାଖରେ ରହିଛି ମାତ୍ର ୬୪୫ ଟଙ୍କା । ବିଜେଡିରେ ସର୍ବାଧିକ କୋଟିପତି ପ୍ରାର୍ଥୀ ଅଛନ୍ତି । ୩୭ ଜଣ କୋଟିପତି ପ୍ରାର୍ଥୀ ବିଜେଡିରେ ଅଛନ୍ତି । ବିଜେପିର ୩୦ ଜଣ କୋଟିପତି ନିର୍ବାଚନ ଲଢୁଛନ୍ତି । କଂଗ୍ରେସର ଅଛନ୍ତି ୨୧ ଜଣ କୋଟିପତି ପ୍ରାର୍ଥୀ । ୧୭ ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି । ୨ ଜଣଙ୍କ ନାଁରେ ରହିଛି ବଳାତ୍କାର ମାମଲା ।

ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ତରଫରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଏହି ତଥ୍ୟ ଦିଆଯାଇଛି ।