ସରିଲା ପ୍ରଚାର, ଚିଲିକାରେ ୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୨୫ରେ

ଚିଲିକା: ରାଜ୍ଯରେ ତୃତୀୟ ପର୍ଯ୍ଯାୟରେ ଆସନ୍ତା ୨୫ ତାରିଖରେ ଚିଲିକା ନିର୍ବାଚନ ମଣ୍ଡଳୀ ନିର୍ବାଚନ । ଆଜି ସନ୍ଧ୍ୟାରେ ପ୍ରଚାର ସରୁଥିବା ବେଳେ ସବୁ ଦଳ ଜିତିବା ପାଇଁ ସ୍ଥିର କରିଛନ୍ତି ରଣନୀତି । ଚିଲିକାରେ ମୋଟ୍ ୮ ଜଣ ପ୍ରାର୍ଥୀ ଥିବା ବେଳେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି ।

ଚିଲିକା ଓ ବାଣପୁର ବ୍ଲକ, ବାଲୁଗାଁ ଓ ବାଣପୁର ଏନଏସିକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀ । ଏଠାରେ ମୋଟ୍ ୨ ଲକ୍ଷ ୩୩ ହଜାର ୭୪୪ ଭୋଟର ଅଛନ୍ତି । ଏଥିରେ ପୁରୁଷ  ୧ ଲକ୍ଷ ୨୧ ହଜାର  ୯୨୧, ମହିଳା ୧ ଲକ୍ଷ ୧୧ ହଜାର ୮୧୪ ଓ ତୃତୀୟ ଲିଙ୍ଗୀ ଭୋଟର ୯ ଜଣ ଅଛନ୍ତି । ୨୦୦୯ରେ ରଘୁନାଥ ସାହୁ ବିଜେଡିରୁ ୫୭ ହଜାର ୨୧୬ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ହରିଚନ୍ଦନ ୫୪ ହଜାର ୧୫୦ ଓ କଂଗ୍ରେସ ପ୍ରାର୍ଥୀ ମାନସ ମଙ୍ଗରାଜଙ୍କୁ ୧୧ ହଜାର ୨୦୪ ଭୋଟ୍ ମିଳିଥିଲା । ୨୦୧୪ରେ ବିଜେପିର ବିଭୂତି ଭୂଷଣ ହରିଚନ୍ଦନ ୬୯ ହଜାର ୪୩୩ ଭୋଟ୍ ପାଇ ଜିତିଥିଲେ । ବିଜେଡିର ରଘୁନାଥ ସାହୁ ୬୮ ହଜାର ୮୯୨ ଓ  କଂଗ୍ରେସର ମାନସୀ ପ୍ରଧାନଙ୍କୁ ୫ ହଜାର ୧୮୨ ଭୋଟ୍ ମିଳିଥିଲା ।  ୨୦୧୯ରେ ବିଜେଡି ଏଠାରେ ବାଜିମାତ କରିଥିଲା । ବିଜେଡିର ପ୍ରଶାନ୍ତ ଜଗବ୍ଦେବ ୮୦ ହଜାର ୧୩୩ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ପୃଥ୍ବୀରାଜ ହରିଚନ୍ଦନଙ୍କୁ ୬୯ ହଜାର ୮୫୬ ଭୋଟ୍ ଓ କଂଗ୍ରେସର ପ୍ରଦୀପ ସ୍ବାଇଁଙ୍କୁ ୪ ହଜାର ୯୪୯ ଭୋଟ୍ ମିଳିଥିଲା । ଚଳିତ ଥର ଚିଲିକାରେ ବିଜେଡିରୁ ରଘୁନାଥ ସାହୁ, ବିଜେପିରୁ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସରୁ ପ୍ରଦୀପ କୁମାର ସ୍ବାଇଁଙ୍କୁ ଟିକେଟ୍ ମିଳିଛି । ମୋଟ ୮ ଜଣ ପ୍ରାର୍ଥୀ ଥିବା ବେଳେ ସମସ୍ତେ ନିଜ ନିଜ ପ୍ରସଙ୍ଗ ନେଇ ପ୍ରଚାର କରିଛନ୍ତି ।

ଦୀର୍ଘବର୍ଷ ଧରି ବିଜେଡିରେ ରହି ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବା ସହ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ଛଡ଼ା ହୋଇଛନ୍ତି ରଘୁନାଥ । ବିଜେପି ପକ୍ଷରୁ ପୃଥ୍ବୀରାଜ ହରିଚନ୍ଦନ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି । କଂଗ୍ରେସରୁ ପ୍ରଦୀପ କୁମାର ସ୍ବାଇଁ ମଧ୍ଯ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଲକ୍ଷ୍ଯରେ ଅଛନ୍ତି । ୮ ଜଣ ପ୍ରାର୍ଥୀଙ୍କ ମଧ୍ଯରୁ ଭୋଟର କାହାକୁ ବାଛିବେ, ସେ ନେଇ ଅଙ୍କ କଷୁଛନ୍ତି ।