ଅନ୍ଧବିଶ୍ୱାସ ! ଧର୍ମ ପରିବର୍ତ୍ତନ ଯୋଗୁଁ ଶ୍ମଶାନରେ ମିଳିଲାନି ସ୍ଥାନ

ମାଲକାନଗିରି: ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଶବ ପ୍ରତି ମଧ୍ୟ ଦୟା ଦେଖାଉନାହାନ୍ତି ଲୋକ । ଗୋଟିଏ ପଟେ ମଣିଷ ଚନ୍ଦ୍ରରେ ଘର କରିବା କଥା ଭାବୁଥିବା ବଳେ ଅନ୍ୟପଟ ଲୋକ ଏବେ ବି ଜାତି ଧର୍ମ କଥା ଭାବି ସେହି ମଣିଷ ସହ ଭେଦଭାବ କରୁଛନ୍ତି । ଏହି ଜାତି ଧର୍ମ ଭେଦଭାବ ଯୋଗୁଁ ଶବ ସତ୍କାର ପାଇଁ ବି ଛାଡ଼ିଲେନି ଲୋକେ ।

ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ଶ୍ମଶାନରେ ଶବ ସତ୍କାର କରିବାକୁ ବି ଦେଲେନି ଗ୍ରାମବାସୀ । ଫଳରେ ଉତ୍ତେଜନା ପରିସ୍ଥିତି ଉପଜୁଥିଲା । ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୁଝାସୁଝା କରିବାରେ ପ୍ରଶାସନ ଫେଲ୍ ମାରିବା ପରେ ନିଜ ଜମିରେ ସତ୍କାର କରିଛନ୍ତି ମୃତକଙ୍କ ପରିବାର ଲୋକ ।

ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ା ଗାଁରେ । ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପରିବାର ଲୋକ ଶ୍ମଶାନକୁ ନେଇଥିଲେ । ମାତ୍ର ବୃଦ୍ଧା ଜଣଙ୍କ ନିଜର ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମବାସୀ ଶବ ସତ୍କାରକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ଏବଂ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଶେଷରେ ନିଜ ଜମିରେ ଶବ ସତ୍କାର କରିଥିଲେ ପରିବାର ଲୋକ । ପୋଲିସ ଏହି ଘଟଣାରେ ଗାଁର ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

Leave a Reply