ଭାରତ ଚାପରେ ମୁଣ୍ଡ ନୁଆଁଇଲା ନେପାଳ, ବିବାଦୀୟ ନକ୍ସା ବିିଶିଷ୍ଟ ସ୍କୁଲ ପୁସ୍ତକ ଉପରେ ଲଗାଇଲା ପ୍ରତିବନ୍ଧକ

 କାଠମାଣ୍ଡୁ:  ଚୀନ ଇସାରାରେ ଚାଲୁଥିବା ନେପାଳର କେପି ଓଲି ସରକାର ଦେଶର ବିବାଦୀୟ ନକ୍ସା ଥିବା ପୁସ୍ତକ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନେପାଳର ବିଦେଶ ମନ୍ତ୍ରଣାଳୟ ଏବଂ ଭୂରାଜସ୍ୱ ବିଭାଗ ପକ୍ଷରୁ  ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଉକ୍ତ ପୁସ୍ତକକୁ ବିରୋଧ କରାଯାଇଥିଲା । ପୁସ୍ତକର ବିଷୟବସ୍ତୁକୁ ନେଇ ଦୁଇ ବିଭାଗ ଆପତ୍ତି କରିଥିଲେ ।  ଏହାପରେ ନେପାଳ କ୍ୟାବିନେଟ୍ ଶିକ୍ଷା ମନ୍ତ୍ରଣାଳୟକୁ  ପୁସ୍ତକ ବିତରଣ ଓ ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲା । ନେପାଳ କ୍ୟାବିନେଟର ଏହି ନିଷ୍ପତ୍ତି ଶିକ୍ଷାମନ୍ତ୍ରୀ ଗିରିରାଜ୍ ମଣି ପୋଖରଲଙ୍କୁ ଶକ୍ତ ଝଟକା ଦେଇଛି ।

 ନେପାଳୀ ଖବରକାଗଜ କାଠମାଣ୍ଡୁ ପୋଷ୍ଟ  ଅନୁସାରେ ବିଦେଶ ମନ୍ତ୍ରଣାଳୟ ଏବଂ ଭୂରାଜସ୍ୱ ମନ୍ତ୍ରଣାଳୟ ପୁସ୍ତକରେ  ତଥ୍ୟାତ୍ମକ ଭୁଲ ଏବଂ ଅନୁଚିତ୍ ତଥ୍ୟ ଥିବା କହିଥିଲେ । ତେଣୁ ଏହାର ପ୍ରକାଶନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ନେପାଳ ଆଇନ ମନ୍ତ୍ରୀ ଶିବ ମାୟାଙ୍କ ଅନୁସାରେ  ସମ୍ବେଦନଶୀଳ ପ୍ରସଙ୍ଗ ଓ ତଥ୍ୟାତ୍ମକ ଭୁଲ ଥିବା  ପୁସ୍ତକ ପ୍ରକାଶନ ଠିକ୍  ପଦକ୍ଷେପ  ନଥିଲା ।  ତେଣୁ ଏହା ଉପରେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଭାରତ ଏବଂ ନେପାଳ ମଧ୍ୟରେ ଗତ ମଇ ମାସରେ ସୀମା ବିବାଦ ସୃଷ୍ଟି ହୋଇଥିଲା । ଆଲୋଚନା ମଧ୍ୟରେ ଯଦିଓ ଏହାର ସମାଧାନ କରାଯିବ ବୋଲି କୁହାଯାଉଥିଲା, କିନ୍ତୁ ପୁସ୍ତକ ପ୍ରକାଶନ ପରେ ନୂଆ ବିବାଦ ଆରମ୍ଭ ହୋଇଥିଲା । ନେପାଳ ସରକାର ପିଲାଙ୍କ ଅଧ୍ୟୟନ ପୁସ୍ତକରେ ଏହି ବିବାଦୀୟ ନକ୍ସାକୁ ସ୍ଥାନ ଦେଇଥିଲେ । କେବଳ ଏତିକି ନୁହେଁ  ପୁସ୍ତକରେ ମଧ୍ୟ ଭାରତ ସହିତ ସୀମା ବିବାଦ ବିଷୟରେ ମଧ୍ୟ ଉଲ୍ଲେଖ ଥିଲା ।  ନେପାଳର ଏହି ପଦକ୍ଷେପରେ ଦୁଇ ଦେଶ ମଧ୍ୟରେ  ଆଲୋଚନାକୁ ଝଟକା ଲାଗିପାରେ ବୋଲି ଆଶଙ୍କା କରାଯାଉଥିଲା ।

Leave a Reply