ମହାପ୍ରସାଦ ପାଇଁ କଟକଣା ନାହିଁ, ଉତ୍ତର-ଦକ୍ଷିଣ ଦ୍ୱାରରେ ମିଳିବ ଅବଢ଼ା

ପୁରୀ: ମହାପ୍ରସାଦକୁ ନେଇ ପୂର୍ବରୁ କି ବର୍ତମାନ କୌଣସି କଟକଣା ଲଗାଯାଇନାହିଁ । ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ । କୋଭିଡ୍‌ କଟକଣା ଯୋଗୁଁ ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିର ମଧ୍ୟକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି, ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରସାଦ ପାଇବାରେ କୌଣସି ବି ଭକ୍ତ ବଞ୍ଚିତ ହୋଇନାହାନ୍ତି ।

 

କରୋନା କଟକଣା ଯୋଗୁଁ କିଛିମାସ ଧରି ଜିଲ୍ଲା ମଧ୍ୟକୁ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ନଥିଲା । ତେଣୁ ପୂର୍ବଭଳି ପର୍ଯ୍ୟାପ୍ତ ମାତ୍ରାରେ ମହାପ୍ରସାଦ ବିକ୍ରି ହେଉନଥିଲା । ହେଲେ ଏବେ ଅନ୍ୟରାଜ୍ୟର ପର୍ଯ୍ୟଟକ ତଥା ଭକ୍ତଙ୍କୁ ପୁରୀକୁ ପ୍ରବେଶ ଅନୁମତି ମିଳିଛି । ଏବେ ବରାଦି ମହାପ୍ରସାଦର ଚାହିଦା ବଢିଛି । ଶ୍ରୀମନ୍ଦିର ମଧ୍ୟକୁ ସାଧରଣ ଲୋକଙ୍କ ଅନୁମତି ନଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଦୁଇଟି ଅସ୍ଥାୟୀ ଟେଣ୍ଟ କରାଯାଇ ସେଠାରେ ମହାପ୍ରସାଦ ଯୋଗାଇ ଦେବାକୁ ନିଷ୍ପତି ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ ବ୍ୟବସ୍ଥା କରିବା ପାଇଁ ମତ ପ୍ରକାଶ ପାଇଛି । ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି । କେହି କେହି ଅନ୍‌ଲାଇନ୍‌ ଦର୍ଶନ ନେଇ ମତ ରଖିଥିବା ବେଳେ କେହି ଏହାକୁ ବିରୋଧ କରିଛନ୍ତି ।

ଆସନ୍ତା ନଭେମ୍ବର ୨୭ ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଦୀର୍ଘବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଯୋଗ ପଡୁଥିବାରୁ ଭକ୍ତ ଅପେକ୍ଷା କରିଛନ୍ତି । କିନ୍ତୁ କୋଭିଡ୍‌ କଟକଣା ଭିତରେ କେମିତି ମିଳିବ ବେଶ ଦର୍ଶନ ? ସେନେଇ ବିଚାର ବିମର୍ଷ ଚାଲିଛି । ତେବେ ଧର୍ମମାସ କାର୍ତ୍ତିକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଛି ।

Leave a Reply