ରାଜ୍ୟ ସଭା ପୂର୍ବରୁ ଲୋକ ସଭାରେ କୃଷି ବିଧେୟକକୁ ବିରୋଧ କରିଥିଲା ବିଜେଡି, ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପେକ୍ଷିତ ହେବେ ବୋଲି କହିଥିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର,  ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ଅଂଶୀଦାର ଶିରୋମଣି ଅକାଳି ଦଳ(ଏସଏଡି) ଏବଂ   ଅନ୍ୟାନ୍ୟ ରାଜନୈତିକ ଦଳର ବିରୋଧ ସତ୍ତ୍ୱେ ତରବରିଆ ଭାବେ କୃଷି ବିଧେୟକଗୁଡିକୁ ଗୃହୀତ କରାଇ ଦିଆଯାଇଛି । ଗତ ୧୭ ତାରିଖରେ ଏହାକୁ ଲୋକ ସଭାରେ ପ୍ରଥମେ ଗୃହୀତ କରାଯାଇଥିଲା । ସେହିଦିନ ହୋଇଥିବା ଆଲୋଚନାରେ ଭାଗ ନେଇ ବିଜେଡି ଏମ୍ ପି ଅନୁଭବ ମହାନ୍ତି ଏହାକୁ ଦୃଢ ବିରୋଧ କରିଥିଲେ । କେବଳ ବିରୋଧ କରି ନ ଥିଲେ ଏହିରେ ବିଲ୍ ରେ ଥିବା ବିଭିନ୍ନ ଦୋଷ ଦୁର୍ବଳତାକୁ ନେଇ ଆଲୋତପାତ ମଧ୍ୟ କରିଥିଲେ ।  ରବିବାର ଏହି ବିଲକୁ ସଂସଦର ନିମ୍ନ ସଦନରେ ମଧ୍ୟ ଗୃହୀତ କରାଯାଇଛି । ଏ ସବୁ ପରେ ଜାତୀୟ ରାଜନୀତିରେ ଏହି ବିଧେୟକକୁ ନେଇ ଚର୍ଚ୍ଚା ଜାରି ରହିଛି ।

କେତେକ ବିରୋଧୀ ଦଳ ପ୍ରତୀକାତ୍ମକ ବିରୋଧ କରିଥିଲେ । ଅନୁରୂପ ଭାବେ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଶୃଙ୍ଖଳିତ ଢଙ୍ଗରେ ଆରମ୍ଭରୁ ଉପସ୍ଥାପନା କରିଆସିଛି । କୌଣସି ବିଶୃଙ୍ଖଳା ନ କରି ଗତ ୧୭ ତାରିଖରେ କେନ୍ଦ୍ରାପଡା ଏମ୍ ପି ଅନୁଭବ ମହାନ୍ତି ବିଧେୟକଟି ସମ୍ପର୍କରେ ଗଠନଧର୍ମୀ ଆଲୋଚନା କରିବା ସହ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ୬ ମିନିଟ୍ ର ବକ୍ତବ୍ୟରେ ଅନୁଭବ ମହାନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହ ଏହାର ପୁର୍ନବିଚାର ପାଇଁ ମଧ୍ୟ କହିଥିଲେ । ଏଥିରେ ଥିବା କେତେକ ଦୂରଦୃଷ୍ଟି ଅଭାବ ଜନିତ ପ୍ରସଙ୍ଗ ଉପରେ ଆଲୋତପାତ କରିଥିଲେ । ଅନୁଭବଙ୍କ ପରି ରବିବାର ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ମଧ୍ୟ ବିଧେୟକକୁ ବିରୋଧ କରିଥିଲେ ।

 

ଅନୁଭବ ଉକ୍ତ ଦିନ କହିଥିଲେ ଯେ, ୨୦୧୯ ସୁଦ୍ଧା ସାରା ଦେଶରେ ୬୬୩୦ କୃଷିଭିତ୍ତିକ ଉତ୍ପାଦନ ବିପଣନ କମିଟି(ଏପିଏମସି) ରହିଛି । ହାରାହାରି ଭାବେ ଦେଖିଲେ ପ୍ରତି ୪୯୬ ବର୍ଗ କିଲୋ ମିଟରରେ ଗୋଟିଏ ଏପିଏମସି ରହିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଦଲୱାଇ କମିଟି ଦେଶରେ ଆହୁରି ଅଧିକ ୧୦,୦୦୦ ଏପିଏମସି ନେଇ ମତ ରଖିଥିଲା । କୃଷିକୁ ନେଇ ଗଠିତ ହୋଇଥିବା କମିଟି ମଧ୍ୟ ୮୦ ବର୍ଗ କିଲୋମିଟର ମଧ୍ୟରେ ଗୋଟିଏ ଏଏପିଏମସି ନେଇ ପ୍ରସ୍ତାବ ରଖିଥିଲେ । ଏଥିରୁ ସ୍ପଷ୍ଟ ଯେ, ଆମେ ଅଧିକ ମାର୍କେଟ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଅନୁଭବ କହିଥିଲେ । ସେହିପରି ବର୍ତ୍ତମାନ ଏପିଏମସି ଗୁଡିକର ଭିତ୍ତିଭୂମି ନେଇ ପ୍ରଶ୍ନ ଉଠାଇଥିଲେ ।

ଅନୁଭବ କହିଥିଲେ ଯେ, ୬୫ ପ୍ରତିଶତ ଏପିଏମସିରେ ଶୌଚାଳୟ ସୁବିଧା, ୧୫ ପ୍ରତିଶତରେ ଶୀତଳ ଭଣ୍ଡାର ଏବଂ ୪୯ ପ୍ରତିଶତରେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନାହିଁ । ଏହି ବିଧେୟକରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ସେହିପରି ଏହାକୁ ଭିତ୍ତି କରି  ବିହାରରେ ଲାଗୁ କରାଯାଇଥିବା ନିୟମ ସୁଫଳ ମିଳିନାହିଁ । ତେଣୁ ବିଧେୟକର ପୁର୍ନବିଚାର ତଥା ସିଲେକ୍ଟ କମିଟିକୁ ଯିବାର ଯଥାର୍ଥତା ବଖାଣିଥିଲେ ।

 

Leave a Reply