ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ: ତାରରେ ତଣ୍ଟି ଚିପି କରିଛନ୍ତି ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣିଲେ ବାପାଘର ଲୋକ । ତମାଣ୍ଡୋ ଥାନାରେ ଏତଲା ପରେ ସ୍ୱାମୀ ଯାମିନୀ ଜେନାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ସେପଟେ ମୃତ ମହିଳାଙ୍କ ଶ୍ୱଶୁର ତମାଣ୍ଡୋ ଥାନାରେ ହାବିଲଦାର ଥିବାରୁ ମାମଲା ଦୁର୍ବଳ ହେବା ବାପାଘର ଆଶଙ୍କା ପ୍ରକାଶ କରିଛନ୍ତି ।

ଫେବ୍ରୁଆରୀରେ ବାହାଘର ସେପ୍ଟମ୍ବରରେ ଲିଭିଲା ଜୀବନ ଦୀପ । ଆଇନ ରକ୍ଷକଙ୍କ ନାଁରେ ହତ୍ୟା ଅଭିଯୋଗ । ତାରରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ । ତମାଣ୍ଡୋ ଥାନା ହାବିଲଦାର ବିଜୟ ଗୋଚ୍ଛାୟତ ଓ ତାଙ୍କ ପୁଅ ଯାମିନୀ ଜେନାଙ୍କ ନାଁରେ ମୃତ ମହିଳାଙ୍କ ଶାଶୂଘର ଲୋକ ଆଣିଛନ୍ତି ସାଂଘାତିକ ହତ୍ୟା ଅଭିଯୋଗ । ମୃତ ମହିଳା ହେଲେ ବନ୍ଦନା ଜେନା । ଗତ ଫେବ୍ରୁୟାରୀ ମାସରେ ତମାଣ୍ଡୋ ଅଞ୍ଚଳର ଯାମିନୀ ଜେନାଙ୍କ ସିହତ ଭୀମଟାଙ୍ଗୀର ବନ୍ଦନାଙ୍କର ବିବାହ ହୋଇଥିଲା ।

ଅଭିଯୋଗ ଅନୁସାରେ ବିବାହର ଏକ ମାସ ପରେ ବନ୍ଦନାଙ୍କୁ ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବିବାହରେ ଯୌତୁକ ଓ ଅନ୍ୟ ବାବଦରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିବାହ ପରେ ଶାଶୂଘର ଲୋକ ଅଧିକ ଟଙ୍କା ଦାବି କରୁଥିଲେ ବୋଲି ବନ୍ଦନାଙ୍କ ମା’ କହିଛନ୍ତି । ଶ୍ୱଶୁରଙ୍କୁ କରୋନା ହେବାରୁ ମେଡିକାଲରେ ଥିଲେ । ଏହାପରେ ବନ୍ଦନାଙ୍କୁ ବାପଘରେ ରହିବାକୁ ଶାଶୂଘର ଲୋକ କହିଥିଲେ । ଶ୍ୱଶୁର ଭଲ ହେବା ପରେ ଗତ ଶୁକ୍ରବାର ଶାଶୁଘରକୁ ଫେରିଥିଲେ ବନ୍ଦନା । ଶନିବାର ସକାଳେ ବନ୍ଦନା ବାପଘର ଲୋକଙ୍କ ସହ କଥା ହେଉଥିଲେ  । କିନ୍ତୁ ୧୦ଟା ପରେ ମୋବାଇଲ ସୁଇଚ୍‌ଅଫ୍‌ ହୋଇଯାଇଥିଲା । ତା’ପରେ ବନ୍ଦନା ଚେତାଶୂନ୍ୟ ଅଛି, ତାକୁ ମେଡିକାଲ ନେଇଛୁ ବୋଲି ଶାଶୁଘର ଲୋକ କହିଥିଲେ । ଆଉ ତା’ପରେ ବନ୍ଦନାଙ୍କର ମୃତ୍ୟୁ ହୋଇଥିଲା

ବନ୍ଦନାଙ୍କ ପରିବାର ତମାଣ୍ଡୋ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି  । ସ୍ୱାମୀ ଯାମିନୀ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବୋହୂ ମରିବା ପରେ ମାମଲା ରଫା ଦଫା କରିବାକୁ ଶ୍ୱଶୁର କରିଥିଲେ ମେସେଜ୍‌ । ସମୁଦି ଯାହା ହୋଇଛି, ମୁଁ ମେଡିକାଲରୁ ଫେରିବା ପରେ ସବୁ ଜିନିଷ ଫେରଇଦେବି । ଆଉ ଯାହା ପଇସା  ଦେଇଦେବି । କେସ୍‌ କଲେ କିଛି ଲାଭ ନାହିଁ, ଓକିଲ ପଇସା ନେବ । ତୁମର ବି ପଇସା ଖର୍ଚ୍ଚ ହେବ । ମୋ କଥା ମାନି ଥାନାରେ କେସ୍‌ କରନି ବୋଲି ଏଭଳି ବନ୍ଦନାଙ୍କ  ପରିବାରକୁ ଶ୍ୱଶୁର ମୋବାଇଲେ ମେସେଜ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି । ଆଉ ଏ ହେଉଛି ସେହି ମେସଜ । ଶ୍ୱଶୁର ବିଜୟ ଗୋଚ୍ଛାୟତ ଆଇସୋଲେସନରେ ଥିବାରୁ ପୋଲିସ ତାଙ୍କୁ ପଚରାଉଚରା କରିନି । ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ବନ୍ଦନା ଓ ତାଙ୍କ ସ୍ୱାମୀ ଯାମିନୀ ଉଚ୍ଚ ଶିକ୍ଷିତ । ଏଭଳି ଏକ ଘଟଣା ଘଟିଯିବ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି  । ତେବେ ପୋଲିସ କି କାର୍ଯ୍ୟନୁଷ୍ଠାନ ନେଉଛି, ତା’ ଉପରେ ନଜର ।

Leave a Reply