ବ୍ରେନ୍‌ ଟ୍ୟୁମର ଆକ୍ରାନ୍ତ ବନଜଙ୍କୁ ସହଯୋଗର ହାତ ବଢ଼ାଇଲେ ଆକାଶ

1 min read
Akash DasNayak

ଭୁବନେଶ୍ୱର:  ‘ମୁଁ ଭବାନୀ ଶଙ୍କର ନାଥ, ମୋ ଘର ତିର୍ତ୍ତୋଲ ଜଗଜସିଂହପୁରରେ । ମୋ ମଉସା ବନଜ କୁମାର ନାଥଙ୍କୁ ବ୍ରେନ୍‌ ଟ୍ୟୁମର’ । ଏଭଳି କୋହଭରା କଣ୍ଠରେ ଆକୁଳ ନିବେଦନ କରିଥିଲେ ବନଜଙ୍କ ପୁତୁରା ଭବାନୀ ଶଙ୍କର । ଏହି ଘଟଣା ସାମ୍ନାକୁ ଆସିବା ପରେ ନେତା ତଥା ଅଭିନେତା ଆକାଶ ଦାଶନାୟକ ବଢ଼ାଇଛନ୍ତି ସହଯୋଗର ହାତ ।

ବନଜଙ୍କ ଚିକିତ୍ସା ନିହାତି ଆବଶ୍ୟକ । ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ । ଯଦି ଚିକିତ୍ସାରେ ଆଉ ଡ଼େରି ହୁଏ ତେବେ ବ୍ରେନ୍‌ ଟ୍ୟୁମର, କ୍ୟାନସରର ରୂପ ନେବ । ଏମିତିକି ବନଜଙ୍କ ମୂଲ୍ୟବାନ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ତାଙ୍କୁ ସାହାଯ୍ୟ ଲୋଡ଼ା । ବନଜଙ୍କ ପାଇଁ ତାଙ୍କ ପୁତୁରା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏଭଳି ସହାଯ୍ୟ ମାଗିଛନ୍ତି । ସେଥିରେ ସେ କହିଛନ୍ତି, ‘ମଉସାଙ୍କୁ କିଛି ସାହାଯ୍ୟ ମିଳିଲେ ସେ ବଞ୍ଚିଯିବେ’

https://www.facebook.com/NandighoshaTV/videos/693881028140121/

କରୋନା ପାଇଁ ଏବେ ସବୁ ବନ୍ଦ । ଜନଜୀବନ ଠପ୍‌ ହୋଇପଡ଼ିଛି । ଆଉ ମହାମାରୀ ଭୟ ଭିତରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ବ୍ରେନ୍‌ ଟ୍ୟୁମର୍‌ । ବନଜଙ୍କର ପ୍ରଥମେ ମୁଣ୍ଡ ବିନ୍ଧୁଥିଲା । ଡାକ୍ତରଙ୍କୁ ଦେଖାଇବା ସହ ଅନେକ ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କ ମୁଣ୍ଡ ଭିତରେ ଟ୍ୟୁମର ବଢ଼ୁଛି । ଏକଥା ଯେମିତି ତାଙ୍କର ସମ୍ବଳର ଅଣ୍ଟାକୁ ଭାଙ୍ଗି ଦେଇଥିଲା । ଯାହାସବୁ ସଞ୍ଚିତ ଅର୍ଥ ଥିଲା ସେ ସବୁ ପ୍ରାଥମିକ ଚିକିତ୍ସାରେ ସରିଗଲାଣି । ଏବେ ଅପରେଶନ ପାଇଁ ସରକାର ଏବଂ ଲୋକଙ୍କ ସହାୟତାକୁ ଅପେକ୍ଷା ।

ଭବାନୀଙ୍କ ଭିଡିଓ ପୋଷ୍ଟ ପରେ ସହାୟତା ପାଇଁ ଆଗେଇ ଆସିଛନ୍ତି ଓଡ଼ିଆ ଅଭିନେତା ଆକାଶ ଦାଶ ନାୟକ । ସେ ତାଙ୍କ ଟୁଇଟ୍‌ ପେଜ୍‌ରେ ବନଜ ବାବୁଙ୍କ ଏଭଳି ସ୍ଥିତି ପାଇଁ ବହୁତ ଦୁଖିତ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି, ବନଜଙ୍କ ଏଭଳି ସ୍ଥିତିକୁ ଆମ ଆଖି ଆଗକୁ ଆଣିଥିବାରୁ ଭବାନୀଙ୍କୁ ଧନ୍ୟବାଦ । ଏମିତିକି ବନଜଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆକାଶ ।

ନନ୍ଦିଘୋଷ ଟିଭିର ଫେସବୁକ୍‌ ପୃଷ୍ଠାରେ ଭିଡିଓଟି ସେୟାର ହେବା ପରେ ଅଭିନେତା ଆକାଶ ଦାଶ ନାୟକଙ୍କ ନଜରକୁ ଆସିଥିଲା । ଏହି ଭିଡିଓ ଦେଖି ଏବେ ଆକାଶ ସହାୟତାର ହାତ ବଢାଇଛନ୍ତି  ।

Leave a Reply