ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ: ଠିକ ସମୟରେ ମୁହଁ ଖୋଲିବ କମିଶନରେଟ୍ ପୋଲିସ, ତେବେ କେବେ ?

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ନେଇ ଏତଲାକୁ ୨୬ ଦିନ ବିତିଲାଣି  । ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି କମିଶନରେଟ ପୋଲିସ  । କାହିଁକି ଓ କାହା ଡରରେ ପୋଲିସ ଗିରଫଦାରିକୁ ଏଡ଼ାଇ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପୋଲିସ କଣ ନମ୍ବର ୱାନ ଚ୍ୟାନେଲକୁ ଦେଖି ଡରି ଯାଉଛି କି ? ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ  । କହିଛନ୍ତି, ତଦନ୍ତ ଚାଲିଛି, ତଦନ୍ତ ଠିକ ଭାବେ କରାଯାଉଛି । ଠିକ ସମୟରେ ବକ୍ତବ୍ୟ ରଖାଯିବ । ବର୍ତ୍ତମାନ କୌଣସି ବକ୍ତବ୍ୟ ରଖିଲେ ତାହା ତଦନ୍ତକୁ ପ୍ରଭାବିତ କରିବ  । ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି  । ସତ୍ୟତା  ଓ ପ୍ରମାଣ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର  ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

ଆଉ ମାତ୍ର ୩ରୁ ୪ ଦିନ ଭିତରେ ଗଣ ଦୁଷ୍କର୍ମକୁ ମାସେ ପୁରିଯିବ । କିନ୍ତୁ ପୋଲିସ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ଏଥିରେ ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ସଂସ୍ଥାର ନାମ ଆସୁଛି ବୋଲି ବୋଧେ ପୋଲି ଭୟ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପୋଲିସ କେଉଁଭଳି ପ୍ରମାଣ ପାଇଲେ ଦୋଷୀଙ୍କୁ ଧରିବ ବୋଲି ପ୍ରଶ୍ନ ଉଠୁଛି ।  ପ୍ରମାଣ ଆଉ କେତେ ଦିନ ଚାଲିବ ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ହେଲାଣି ।  ଏହି ଗଣ ଦୁଷ୍କର୍ମ ପାଇଁ ହାଇକୋର୍ଟରେ ଦୁଇଦୁଇଟି ପିଆଇଏଲ୍‌ ମଧ୍ୟ ଫାଇଲ ହୋଇସାରିଛି । ମହିଳା ସଂଗଠନ ଠାରୁ ଆରମ୍ଭ କରି ସାମାଜୀକ କର୍ମୀ ମଧ୍ୟ ଏଭଳି ଏକ ନିନ୍ଦନୀୟ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ସେପଟେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏକ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥାକୁ ଦାୟିତ୍ୱ ଦେବା ପାଇଁ ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ରହିଛି । ଓକିଲ ଗୌତମ ସିଦ୍ଦିକି ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ଓ ଭୁବନେଶ୍ୱର ଡିସିପିଙ୍କୁ ପକ୍ଷଭୁକ୍ତ କରିବା ପାଇଁ ମଧ୍ୟ ଜନସ୍ୱାର୍ଥ ମାମଲାରେ ଅପିଲ କରାଯାଇଛି ।

Leave a Reply