ବିଶ୍ୱ ଅଙ୍ଗଦାନ ଦିବସରେ ସୁରଜ ସମ୍ମାନରେ ସମ୍ମାନିତ ହେଲେ ତିନି ପରିବାର

CM Naveen

ଭୁବନେଶ୍ୱର: ବିଶ୍ୱ ଅଙ୍ଗଦାନ ଦିବସରେ ସରକାରଙ୍କ ବଡ଼ ପଦକ୍ଷେପ । ସ୍ୱେଚ୍ଛାକୃତ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରାଯାଇଛି । ତିନି ଜଣ ଅଙ୍ଗଦାତାଙ୍କ ପରିବାରକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି  ଅଙ୍ଗଦାତା ମାନେ ହେଲେ ପି. ପ୍ରିୟଙ୍କାରାଣୀ ପାତ୍ର, ସୁଚିତ୍ରା ଦାସ ଓ ରାଜଲକ୍ଷ୍ମୀ ଦାସ । ସେମାନଙ୍କ ପରିବାରକୁ ସୂରଜ ପୁରସ୍କାର ସହ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରି ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଙ୍ଗଦାନ କରିଥିବା ବ୍ୟକ୍ତି ସର୍ବଦା ସ୍ମରଣୀୟ ରହିବେ । ଅଙ୍ଗଦାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୁହାଯାଇଛି ।

 ଗତ ଫେବ୍ରୁଆରୀରେ ଏକ ଦୁର୍ଘଟଣାରେ ଜୀବନ ହାରିଥିଲେ ପ୍ରିୟଙ୍କା । ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ପରିବାର ଲୋକ ଅଙ୍ଗଦାନ ନେଇ ସ୍ୱୀକୃତି ପ୍ରଦାନ କରିଥିଲେ । ଆଉ ପ୍ରିୟଙ୍କାଙ୍କ ଅଙ୍ଗଦାନ ପରେ ୨ ଜଣଙ୍କ ଜୀବନ ବଞ୍ଚିଯାଇଥିଲା । ସେହିଭଳି ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ  ମଧ୍ୟ ନିଜ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇଥିଲେ ।  ଆଜି ସେହି ଅଙ୍ଗଦାନକାରୀଙ୍କୁ ରାଜ୍ୟ ସରକାର ସୁରଜ ସମ୍ମାନ ପଦାନ କରିଛନ୍ତି ।

ସୁରଜ ସମ୍ମାନ କ’ଣ ?

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଲାଲସିଂହ ଅଞ୍ଚଳର ସୁରଜ ସେଠୀଙ୍କ ନାମରେ ରାଜ୍ୟ ସରକାର ଏହି ସମ୍ମାନ ଦେଉଛନ୍ତି । ୨୦୧୯ ମସିହାରେ  ସୁରଜ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ  କିନ୍ତୁ ଏବେବି ୫ ଜଣଙ୍କ ଅନ୍ତରରେ ଜୀବନ୍ତ ହୋଇ ରହିଛନ୍ତି । ଆଜି ବି ସୁରଜଙ୍କ ଆଖି ଦେଖୁଛି ଏହି ସୁନ୍ଦର ଦୁନିଆ । ଅନ୍ୟ ଜଣଙ୍କ ଦେହରେ ସ୍ପନ୍ଦନ କରୁଛି ସୁରଜଙ୍କ ହୃଦୟ । ଆଉ ଦୁଇ ଜଣ ସୁରଜର କିଡ୍‌ନୀ ପାଇଲା ପରେ ପାଇଛନ୍ତି ନୂଆ ଜୀବନ ।

Suraj Samman

୨୦୧୯ ଅକ୍ଟୋବର ୨୯ ତାରିଖରେ ସୁରଜ ଦୁର୍ଘଟଣାରେ ଆହତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬ ଦିନ ଧରି ସେ ମୃତ୍ୟୁ ସହ ସଂଘର୍ଷ କରି ହାରିଯାଇଥିଲେ । ସୁରଜଙ୍କ ମୃତ୍ୟୁ ପରେ ଏକ ସ୍ଥାନୀୟ ସ୍ୱେଛସେବୀ ସଂଗଠନ ସୁରଜଙ୍କ ପରିବାର ସହ ଯୋଗାଯୋଗ କରି ଅଙ୍ଗଦାନ ପାଇଁ ପ୍ରେରିତ କରିଥିଲେ । ସୁରଜଙ୍କ ପରିବାରର ସୁରଜଙ୍କ ହୃତପିଣ୍ଡ , ଦୁଇଟି କିଡନୀ, ଲିଭର ଏବଂ ଦୁଇ ଚକ୍ଷୁ ଦାନ କରିବାକୁ ସହମତି ଦେଇଥିଲେ । ସୁରଜଙ୍କ ପରିବାରର ଏହି ମହନୀୟତା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏକ ଗରିବ ପରିବାର,ଯାହାର ନିଜର ଘର ନଥିଲା ତାଙ୍କ ମହନୀୟତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠୀରୁ ୫ଲକ୍ଷ ଟଙ୍କା, ଘରଡିହ ଓ ବିଜୁ ପକା ଘର ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହା ସହିତ ସୁରଜଙ୍କ ସମ୍ମାନରେ ଅଙ୍ଗଦାନକାରୀଙ୍କୁ ସୁରଜ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା । ଏହି ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ମାନରାଶି ରହିଛି ।

Leave a Reply