ରାଜ୍ୟରେ ୭୦% ରୋଗୀ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି

ଭୁବନେଶ୍ୱର: କରୋନା ରୋଗୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ବଢ଼ିଛି । ପୂର୍ବଭଳି କରୋନା ରୋଗୀଙ୍କୁୁ ନେଇ ଲୋକେ ଆତଙ୍କିତ ହେଉନାହାନ୍ତି ଏବଂ ଘୃଣା ଭାବ ମଧ୍ୟ ଲୋକଙ୍କ ମଧ୍ୟରେ କମିଛି । ପୂର୍ବରୁ କୌଣସି କଲୋନୀ କିମ୍ୱା ଆପାର୍ଟମେଣ୍ଟରେ ରୋଗୀ ଚିହ୍ନଟ ହେବା ପରେ ସଙ୍ଗେ ସଙ୍ଗେ ସେଠାରୁ ନେବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଫୋନ୍ କରୁଥିଲେ । କିନ୍ତୁ ଏବେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିସାରିଛି । ହୋମ୍ ଆଇସେୋଲେସନ୍‌ରେ ରହି ଲୋକେ ସୁବିିଧାରେ ଆରୋଗ୍ୟ ଲାଭ କରୁଥିବା ବେଳେ ଲୋକେ ମଧ୍ୟ ଏନେଇ ପୂର୍ବ ଭଳି ଅମଙ୍ଗ ହେଉନାହାନ୍ତି । ମନ୍ତ୍ରୀ, ବିଧାୟକ, ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନରେ ରହୁଛନ୍ତି ।  ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

ଶୁକ୍ରବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରଫେସର ଅମରେନ୍ଦ୍ର ମହାନ୍ତି କହିଛନ୍ତି ଯେ, ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନଥିବା ଏବଂ କମ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ । ହୋମ ଆଇସୋଲେସରେ ଥିବା ବେଳେ ଲକ୍ଷଣ ବୃଦ୍ଧି ପାଇଲେ ସ୍ୱାସ୍ଥ୍ୟ ହେଲ୍ପ ଲାଇନ୍ ନମ୍ୱରେ କଲ୍ କରି ଆବଶ୍ୟକ ପରାମର୍ଶ ପାଇପାରିବେ । ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମାଗଣାରେ କିଟ ଦିଆଯାଉଛି । ଏଥିରେ ଜର, ଥଣ୍ଡା, କାଶ ପାଇଁ ଔଷଧ ଦିଆଯାଉଛି ଏବଂ  ପୁସ୍ତିକା ଓ ଫୋନ ନମ୍ବର ଦିଆଯାଇଛି । ଘରେ ରହିଲେ ରୋଗୀ ପରିବାର ଲୋକଙ୍କଠାରୁ ଭଲ ସେବା ପାଇପାରିବେ । କମ ଲକ୍ଷଣ ଥିବା ରୋଗୀ ହସ୍ପିଟାଲରେ ରହିବାର ଆବଶ୍ୟକତା ନାହିଁ । ହସ୍ପିଟାଲରେ ରହିଲେ ଅନ୍ୟ ଗୁରୁତର ରୋଗୀଙ୍କୁ ଦେଖି ସେମାନଙ୍କ ମନୋବଳ ଭାଙ୍ଗିଯାଏ । ତେଣୁ ହୋମ ଆଇସୋଲେସନରେ ରହି କୋଭିଡ ବିରୋଧରେ ଲଢ଼େଇ ଜାରି ରଖିପାରିବା । ଘରେ ଅନ୍ୟମାନଙ୍କ ଠାରୁ ଅଲଗା ରଖି ସତର୍କ ରହିବା ଦରକାର । ଘରେ ଏକ ସ୍ୱତନ୍ତ୍ର କୋଠରୀ, ଏକ ଶୌଚାଳୟ ଓ ସେବା କରିବା ପାଇଁ ଜଣେ ଲୋକ ଥିଲେ ହୋମ ଆଇସୋଲେନରେ ରହିହେବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଡିଏମ୍‌ଇଟି ଡ. ସିବିକେ ମହାନ୍ତି କହିଛନ୍ତି ଯେ, ମେଡିକାଲରେ ଚିକିତ୍ସାଧୀନ ଥିବା ରୋଗୀ ଓ ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀଙ୍କ ପ୍ରତି ଆମର ସମାନ ଦାୟିତ୍ୱ ରହିଛି ।

ହ୍ୱାଟସ୍ଆପ୍ ଯୋଗେ ପ୍ରଶ୍ନ ପଚାରିବେ ଲୋକେ: ଉତ୍ତର ରଖିବେ ସ୍ୱାସ୍ଥ୍ୟ ବିଶେଷଜ୍ଞ

Leave a Reply