୨୦୨୫ ସୁଦ୍ଧା ଯକ୍ଷ୍ମାରୋଗକୁ ନିର୍ମୂଳ କରାଯିବା ଲକ୍ଷ୍ୟ

1 min read
World TB Day Observed In Odisha

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ବିଶ୍ୱବ୍ୟାପୀ ଟିବି ଡେ ପାଳିତ ହେଉଛି । ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଯକ୍ଷ୍ମା ଦିବସର ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ମୁତାବକ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାରୋଗ ନିର୍ମୂଳ ଲକ୍ଷ୍ୟନେଇ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛି । ଏଥି ପାଇଁ ରାଜ୍ୟରୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ ଚିହ୍ନଟ କରି ସେମାନଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରାଯାଉଛି । ରାଜ୍ୟରେ ୩୦ଟି ଜିଲ୍ଲାରେ ଏଥି ନିମନ୍ତେ ‘ଟିବି ଫୋରମ୍‌’ ଗଠନ କରାଯାଇଛି । ୨୦୧୬ ମସିହାରେ ରାଜ୍ୟରେ ମୋଟ ୫୧.୪୩୪ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମୁଦାୟ ସଫଳତା ହାର ଥିଲା ୭୧.୪ ପ୍ରତିଶତ । ସେହିପରି ୨୦୨୧ ମସିହାରେ ମୋଟ ୫୨.୩୪୬ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର ୮୮.୫% ଅଟେ ।

ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏନଟିଇପି ଅଧୀନରେ ଚିହ୍ନଟ ଓ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ‘ସିଧାସଳଖ ପ୍ରାପ୍ୟ ହସ୍ତାନ୍ତରଣ’ ପ୍ରକ୍ରିୟା ଅଧୀନରେ ‘ନିକ୍ଷୟ ପୋଷଣ ଯୋଜନା’ରେ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି ।

World TB Day Observed In Odisha

ପୁଷ୍ଟିକର ଖାଦ୍ୟ ପାଇଁ ରୋଗୀର ଚିକିତ୍ସା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଏ । ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ ୫୦୦ ଟଙ୍କା ଦିଆଯାଏ । ଚିକିତ୍ସା ସହାୟକମାନଙ୍କୁ ‘ଡ୍ରଗ୍ ସେନସିଟିଭ୍ ଟିବି’ ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ପରେ ୧୦୦୦ ଟଙ୍କା ଏବଂ ‘ଡ୍ରଗ୍ ରେସିଷ୍ଟାଣ୍ଟ ଟିବି’ ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ପରେ ୫୦୦୦ ଟଙ୍କା ପ୍ରଦାନ କରା ଯାଇଥାଏ । ଜନଜାତି ଓ ଦୁର୍ଗମ ଅଞ୍ଚଳରେ ଚିକିତ୍ସାଧୀନ ପ୍ରତି ରୋଗୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଏକକାଳୀନ ୭୫୦ ଟଙ୍କା ପ୍ରଦାନ କରାଯାଏ । ଜନସମୁଦାୟରୁ ସମ୍ଭାବିତ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଆଶାକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି ।

ଔଷଧ କାଟୁ କରୁନଥିବା ‘ଡ୍ରଗ୍ ରେସିଷ୍ଟାଣ୍ଟ ଟିବି’ ରୋଗୀମାନଙ୍କ ନିମନ୍ତେ ‘ସର୍ଟର ଓରାଲ୍’  ଏବଂ ‘ଲଙ୍ଗର ଓରାଲ ରେଜିମେନ’ ଔଷଧ ପ୍ରଣାଳୀରେ ଚିକିତ୍ସା କରାଯାଉଛି । ବେସରକାରୀ ସୂତ୍ରରୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ଭାରତ ସରକାରଙ୍କ ‘ପେସେଣ୍ଟ ପ୍ରୋଭାଇଡର ସପୋର୍ଟ ଏଜେନ୍ସି (ପିପିଏସଏ’ କାର୍ଯ୍ୟକ୍ରମ ଅଧୀନରେ ୬ଟି ଜିଲ୍ଲା ଯଥା: ଖୋର୍ଦ୍ଧା(ଭୁବନେଶ୍ୱରକୁ ମିଶାଇ)/ କଟକ/ ଗଞ୍ଜାମ/ ମୟୂରଭଞ୍ଜ/ ସୁନ୍ଦରଗଡ଼/ ସମ୍ବଲପୁରରେ ଏନ୍‌ଜିଓମାନେ କାର୍ଯ୍ୟ କରୁଛନ୍ତି ।

World TB Day Observed In Odisha

‘ଟିବି ପ୍ରିଭେଣ୍ଟିଭ୍ ଥେରାପି(TPT)’ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭାବେ ଚିହ୍ନିତ ଛାତି ଯକ୍ଷ୍ମାରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଆଇଏମ୍, ଆଇଏପି, ଏଫଓଜିଏସ୍ଆଇ ଇତ୍ୟାଦି ସଂଗଠନମାନଙ୍କ ଜରିଆରେ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ କାର୍ଯ୍ୟକ୍ରମ କରାଯାଉଛି । ଟିବି ଚିହ୍ନଟ ପ୍ରକ୍ରିୟାର ଉନ୍ନତି ପାଇଁ ‘ସିବିଏନ୍ଏଏଟି’ ଓ ‘ଟ୍ରୁନଟ୍’ ଯନ୍ତ୍ରମାନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସ୍ଥାପିତ କରାଯାଉଛି । ଯକ୍ଷ୍ମା ନିବାରଣ ଔଷଧ ଓ ଉପକରଣଗୁଡ଼ିକର ନିରନ୍ତର ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ‘ଆକ୍ଟିଭ୍ କେସ୍ ଫାଇଣ୍ଡିଂ’ କାର୍ଯ୍ୟକ୍ରମ ବର୍ଷକୁ ଦୁଇଥର କାର୍ଯ୍ୟକାରୀ କରାଯାଉଛି । ଯକ୍ଷ୍ମାରୋଗରୁ ସଫଳତା ସହିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କୁ ଯକ୍ଷ୍ମା ସମ୍ବନ୍ଧରେ ତାଲିମ ଦିଆଯାଇ ଓ କାର୍ଯ୍ୟକ୍ରମର ସହାୟତା ପାଇଁ ‘ଟିବି ଚାମ୍ପିଅନ୍’ ଭାବରେ ନିୟୋଜିତ କରାଯାଇଛି ।

ଚଳିତ ବର୍ଷ ଯକ୍ଷ୍ମା ଦିବସର ସ୍ଳୋଗାନ ରହିଛି ‘ଇନ୍‌ଭେଷ୍ଟ ଟୁ ଏଣ୍ଡ ଟିବି, ସେଭ୍‌ ଲାଇଭସ୍‌’ । ଏହି ଅବସରରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ(ଟିବି) ଡା. ପ୍ରଶାନ୍ତ କୁମାର ହୋତା, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀ, ଯୁଗ୍ମ ନିର୍ଦ୍ଦେଶକ(ଟିବି) ଅର୍ଘ୍ୟ ପ୍ରଧାନ ଓ ବିଭାଗର ଅନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।