ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ ଦେଲେ ସୁରେଶ ରାଉତରାୟ

ଭୁବନେଶ୍ବର: ଶଙ୍ଖ ପାଇଁ ସୁରଙ୍କ ପ୍ରଚାର । ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ । ଶେଷରେ ବିଜେଡି ପାଇଁ ଖୋଲାଖୋଲି ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ଭେଟରାନ ସୁରେଶ କୁମାର ରାଉତରାୟ । ଭୁବନେଶ୍ବର ପାଇଁ ବିଜେଡି ଲୋକସଭା ପ୍ରାର୍ଥୀ ତଥା ପୁଅ ମନ୍ମଥ ରାଉତରାୟ ଓ ଜଟଣୀ ବିଧାନସଭା ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ଆଗରୁ କେବଳ ପୁଅ ମନ୍ମଥଙ୍କୁ ଭୋଟ ଦେବାକୁ କହୁଥିବା ସୁର ଏବେ ସିଧା ସଳଖ ବିଜେଡି ମଞ୍ଚରେ ଚଢି ଠାକୁରଙ୍କ ବେଲ ପତ୍ର ଧରି କର୍ମୀଙ୍କୁ ପ୍ରତିଜ୍ଞା କରାଇଛନ୍ତି । ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଶପଥ କରାଇଛନ୍ତି । ଏପରି ଦୃଶ୍ଯ ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ସୋମନାଥ ମନ୍ଦିର ନିକଟବର୍ତ୍ତୀ ଏକ ସଭାରେ ଦେଖିବାକୁ ମିଳିଛି ।

ମଞ୍ଚରେ ସୁର ଗୋଟିଏ ହାତରେ ମାଇକ ଧରି ଆର ହାତରେ ଠାକୁରଙ୍କ ବେଲ ପତ୍ର ପାଦୁକା ଦେଇ କର୍ମୀଙ୍କୁ ଭୋଟ ଦେବାକୁ ପ୍ରତିଜ୍ଞା କରାଇଛନ୍ତି । ଏହି ସଭାରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ଥିଲେ । ମନ୍ମଥ ଓ ବିଭୂତି ଏକ । ସମସ୍ତେ ଏକାଠି ହୋଇ ଆଗାମୀ ୨୫ ତାରିଖରେ ଯୋଡି ଶଙ୍ଖରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି ।