ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି , ଆହୁରି ୫ ଦିନ ଅସହ୍ୟ ତାତି

ଭୁବନେଶ୍ୱର : ରେକର୍ଡ ଭାଙ୍ଗୁଛି ତାତି । ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆହୁରି ୫ ଦିନ ଅସହ୍ୟ ତାତି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ତାତି ପାଇଁ ଆଜି ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି ହୋଇଛି। ଉତ୍ତରର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅଧିକ ରହିବ । ଏନେଇ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ବିଶେଷକରି ଆଗାମୀ ତିନିଦିନ ପର୍ଯ୍ୟନ୍ତ ୩୦ ଟି ଜିଲ୍ଲା ଚେତାବନୀ ପରିସରରେ ରହିବ।

ତିନି ଦିନ ପରେ ଓଡ଼ିଶାରେ ହିଟ୍ ୱେଭର ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା ରହିଛି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗତକାଲି ୪୪.୭ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଥିବାବେଳେ ତାପଛକୁ ରହିଥିଲା ଭୁବନେଶ୍ୱର ଓ ବାରିପଦା । ଭୁବନେଶ୍ବରରେ ୪୪.୬ ଡିଗ୍ରୀ ଏବଂ ବାରିପଦାରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ୩୩ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା ।