ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ବାସ୍ତବ ଜୀବନରେ ପ୍ରୟୋଗ କଲେ ଯୁବକମାନଙ୍କ ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ ହେବ

1 min read
Workshop On Mahatma Gandhi's Odisha Visits

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ସମ୍ପର୍କିତ ତଥ୍ୟ ପୁସ୍ତକରୁ ପଢ଼ି ଜାଣିବା ଏବଂ ବାସ୍ତବ ଜୀବନରେ ଏହାର ପ୍ରୟୋଗ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ଯୁବ ସମାଜ ଜୀବନର ଅଭିଜ୍ଞତା ମାଧ୍ୟମରେ ଅନୁଧ୍ୟାନ ଓ ଅନୁଶୀଳନ କରି ଜୀବନରେ ପ୍ରୟୋଗ କଲେ ନିଜ ବ୍ୟକ୍ତିତ୍ୱର ପରିସ୍ଫୁଟନ ସହିତ ସମାଜରେ ସ୍ନେହ, ସମ୍ପ୍ରୀତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ପ୍ରକାଶ କରିଛନ୍ତି ।

Workshop On Mahatma Gandhi's Odisha Visits

ଗାନ୍ଧୀଜୀ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ବିଚାର । ସତ୍ୟ ଓ ଅହିଂସାର ପରୀକ୍ଷାଗାରରେ ତାଙ୍କ ବିଚାର ଉତ୍ତୀର୍ଣ୍ଣ ହେଲା ପରେ ଯାଇ ସେ ତା’ର ପ୍ରୟୋଗ ସମାଜରେ କରୁଥିଲେ । ବାସ୍ତବରେ ସେ ଥିଲେ ସୃଷ୍ଟି, ସୃଜନଶୀଳତା ଓ ସନ୍ତୁଳନର ପ୍ରତୀକ ବୋଲି ମୁଖ୍ୟବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା ପ୍ରକାଶ କରିଥିଲେ । ସାଧାରଣ ମଣିଷଙ୍କ ଭଳି ଗାନ୍ଧୀଜୀଙ୍କ ଜୀବନରେ ମଧ୍ୟ ଅନେକ ଦ୍ୱନ୍ଦ୍ୱ ଉତ୍ପନ୍ନ ହୋଇଛି ଏବଂ ସେ ତା’ର ସମାଧାନର ବାଟ ମଧ୍ୟ କାଢ଼ିଛନ୍ତି ଓ ତାହା ପରବର୍ତ୍ତୀ ସମୟରେ ଯୁବସମାଜକୁ ଅନୁପ୍ରାଣିତ କରିଛି ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ । ଆଜିର ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ‘ଆଧୁନିକ ଯୁବସମାଜର ଆଦର୍ଶ-ମହାତ୍ମା ଗାନ୍ଧୀ’ । ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।