ନିର୍ବାଚନ ପ୍ରଚାରକୁ ଯିବା ବେଳେ ଅଘଟଣ, ହେଲିକପ୍ଟରରୁ ଖସିଗଲା ଦିଦିଙ୍କ ପାଦ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟରରୁ ଖସିପଡି ଆହତ ହୋଇଛନ୍ତି। ଚପରରେ ଚଢିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା  । ଯେଉଁଥିପାଇଁ ସେ ଖସିପଡି ଆହତ ହୋଇଥିଲେ।  ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଦୁର୍ଗାପୁରରୁ ପ୍ରଥମ ସମାବେଶକୁ ସମ୍ବୋଧିତ କରିବା ପରେ ସିଏମ୍ ଆସାନସୋଲ ଯାଉଥିଲେ।

ଏହାପୂର୍ବରୁ ଏପ୍ରିଲ ୧୪ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। କୋଲକାତାର ସରକାରୀ ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମମତା । ଯାହା ପରେ ବର୍ତ୍ତମାନ ପୁଣି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ  ।

 

ଲୋକସଭା ନିର୍ବାଚନ ପାଇଁ ମମତା ବାନାର୍ଜୀ ନିର୍ବାଚନ ରାଲିରେ ବ୍ୟସ୍ତ ରହୁଛନ୍ତି। ଗତ ୨୭ ଏପ୍ରିଲରେ ଘାଟ ପ୍ରାର୍ଥୀ ଦେବଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ଏହି ରାଲିରେ ସେ ବିଜେପି ସରକାରକୁ ଆକ୍ରମଣ କରି ଏହାକୁ “ଚାକିରୀ ଖାଉଥିବା” ଦଳ ବୋଲି ସମ୍ବୋଧନ କରିଥିଲେ  । ପଶ୍ଚିମବଙ୍ଗର ପ୍ରାୟ ୨୬ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କ ଜୀବିକା ଛଡାଇବାକୁ ଷଡଯନ୍ତ୍ର କରିଥିବା ବିଜେପି ନେତାମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଥିଲେ।

 

ପଶ୍ଚିମବଙ୍ଗର ୬ଟି ଆସନରେ ଏପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ମାଲଦା ଉତ୍ତର ଏବଂ ମାଲଦା ଦକ୍ଷିଣର ଦୁଇଟି ଆସନରେ ମତଦାନ ଅନୁଷ୍ଠିତ ହେବ। ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଘାଟ ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ୨୦୧୪ରେ ଟିଏମସି ୪୨ଟି ସିଟ୍ ମଧ୍ୟରୁ ୩୪ଟି ଜିତିଥିବାବେଳେ ବିଜେପି ମାତ୍ର ୨ଟି ସିଟ୍ ଜିତିଥିଲା। କିନ୍ତୁ ୨୦୧୯ ରେ ବିଜେପି ୧୮ ଟି ଆସନ ହାତେଇ ଥିବାବେଳେ ଟିଏମସି ସଂଖ୍ୟା ୨୨କୁ ଖସି ଆସିଥିଲା।