ବୁଧବାର ଭୁବନେଶ୍ୱର ପାଳିବ ୭୪ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଏପ୍ରିଲ ୧୩ ତାରିଖ । ରାଜଧାନୀ ପାଳିବ ଜନ୍ମଦିନ  ।  ୭୪ ତମ ପ୍ରତିଷ୍ଠା ଦିବସ ପାଳିବ ଭୁବନେଶ୍ବର । ୧୫ ହଜାର ଜନସଂଖ୍ୟା ଏବେ ୧୫ ଲକ୍ଷରେ ପହଁଚିଛି । ପରିସୀମା ସହ ବଢିଛି ଏକାମ୍ରକ୍ଷେତ୍ରର କଳେବର । ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର । ଏହାର ଇତିହାସ ୩ ହଜାର ବର୍ଷ ପୁରୁଣା । ୧୯୪୮ ମସିହା ପରକୁ ନୂଆ ଓ ତା ପୂର୍ବ ସମୟକୁ ପୁରୁଣା ଭୂବନେଶ୍ବର ଭାବେ ଗଣନା କରାଯାଇଥାଏ । ୧୯୪୮ ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।

ଏକ ସୁନ୍ଦର ସହର ଭାବେ ଗଢିତୋଳିବାକୁ ୧୯୪୬ ମସିହାରେ ଜର୍ମାନର ପ୍ଲାନର, ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ ଓ ଭୁବନେଶ୍ବରର ପାଇଁ ଏକକାଳୀନ ପ୍ରସ୍ତୁତ ହୋଇଥିଲା ନକ୍ସା । ଇତି ମଧ୍ୟରେ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଛି । ସମୟ ସହିତ ତାଳ ଦେଇ ବଢିବାରେ ଲାଗିଛି ଭୁବନେଶ୍ବର । ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର ।

ଦୀର୍ଘ ୨୨ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ବରର କଳେବର । ବିଏମସିରେ ପ୍ରତିଷ୍ଠା ଦିବସ ପାଳନ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବିକାଶର ଧାରା ଜାରି ରହିଥିବାବେଳେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମେୟର । କୋଭିଡ କଟକଣା ଯୋଗୁଁ ପ୍ରଭାବିତ ହୋଇଥିବା ରାଜଧାନୀ ପ୍ରତିଷ୍ଠା ଦିବସକୁ ଦୁଇ ବର୍ଷ ବ୍ୟବଧାନରେ ପୁଣି ଜାକଜମକରେ ପାଳନ କରିବାକୁ ନିଆଯାଇଛି ନିଷ୍ପତ୍ତି । ଓଡ଼ିଶା ବିଧାନସୌଧ ସମ୍ମୁଖରେ ସକାଳ ୭ଟା ୩୦ରେ ପାଳନ ହେବାକୁ ଥିବାବେଳେ ଉତ୍କଳ ମଣ୍ଡପରେ ଅପରାହ୍ନରେ ହେବ ବିଭିନ୍ନ କାର୍ଯ୍ୟକ୍ରମ  ।