AICTEର ବଡ଼ ନିଷ୍ପତ୍ତି, ନାମ ଲେଖାଇବେ ଯୁକ୍ରେନ ଫେରନ୍ତା ଛାତ୍ର

1 min read

ନୂଆଦିଲ୍ଲୀ: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଇଁ AICTEର ବଡ଼ ନିଷ୍ପତ୍ତି । ୟୁକ୍ରେନରୁ ଭାରତ ଫେରିଥିବା ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପଦକ୍ଷେପ ନେବାକୁ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ AICTE ଲେଖିଛି ଚିଠି । AICTE ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକଙ୍କୁ ବି ଚିଠି ଲେଖିଛନ୍ତି ଏଆଇସିଟିଇ । ଖାଲିପଡ଼ିଥିବା ସିଟରେ ସେମାନଙ୍କ ନାମଲେଖାର ସୁଯୋଗ ଦେବାକୁ ପଦକ୍ଷେପ ନେବାକୁ ଦେଇଛନ୍ତି ପରାମର୍ଶ । ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଅନୁସାରେ ନାମଲେଖା କରିବାକୁ ଏଆଇସିଟିଇ ପକ୍ଷରୁ କୁହାଯାଇଛି ।

ୟୁକ୍ରେନ ଯୁଦ୍ଧ ପରେ ଶିକ୍ଷା ବର୍ଷ ଅଧାରୁ ଛାତ୍ରଛାତ୍ରୀ ଭାରତ ଫେରିଥିବାରୁ ସେମାନଙ୍କ ଭବିଷ୍ୟତ ସଙ୍କଟ ବଳୟକୁ ଠେଲି ହୋଇଯାଇଛି । ଏମବିବିଏସ ପଢ଼ିବା ଲାଗି ଇଚ୍ଛୁକ ଛାତ୍ରଛାତ୍ରୀ ୟୁକ୍ରେନ ଯିବାକୁ ଚାହିଁଥିଲେ । କମ୍ ଖର୍ଚ୍ଚରେ ସେଠାରେ ମେଡିକାଲ ଶିକ୍ଷା ମିଳୁଥିବାରୁ ହଜାର ହଜାର ସଂଖ୍ୟକ ପିଲା ସେଠାକୁ ଯାଇ ପଢୁଥିଲେ । ନ୍ୟାସନାଲ ମେଡିକାଲ କମିଶନ ବା ଏନଏମସି ପକ୍ଷରୁ ୨୦୨୧ରେ ଜାରି ଗାଇଡଲାଇନରେ ରହିଛି ଯେ ଯେଉଁ ଛାତ୍ରଛାତ୍ରୀ ବିଦେଶକୁ ମେଡିକାଲ ପଢ଼ିବା ଲାଗି ଯିବେ କୌଣସି ବିଦେଶୀ ବିଶ୍ବବିଦ୍ୟାଳୟରୁ ଭାରତୀୟ ବିଶ୍ବବିଦ୍ୟାଳୟକୁ ସେମାନଙ୍କ ଟ୍ରାନସଫର ହୋଇପାରିବ ନାହିଁ । ଉଭୟ ଆଡମିଶନ ଗାଇଡଲାଇନ ଓ ସିଲେକ୍ସନ ସୂଚୀରେ ଭିନ୍ନତା ଥିବାରୁ ଏନଏମସି ଏହି ନିୟମ ରଖିଛି । ଏହି ପ୍ରସଙ୍ଗ ବି ସଂସଦରେ ଉଠିଛି ।