ପ୍ରଥମ ଥର ପାଇଁ ଛଉ ନୃତ୍ୟରେ ନାଚିବେ ମହିଳା

ବାରିପଦା: ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟରେ ପ୍ରଥମ ଥର ପାଇଁ ସାମିଲ ହେବେ ମହିଳା । ମୟୂରଭଞ୍ଜର ପ୍ରସିଦ୍ଧ ପୁରୁଷ ପ୍ରାଧାନ୍ୟ ଛଉ ନୃତ୍ୟକଳାରେ ପାରଙ୍ଗମ ଦେଖାଇବେ ସାଧାରଣ ଗୃହିଣୀ । ଗ୍ରାମାଞ୍ଚଳରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମ ଥର ପାଇଁ ପ୍ରଚାର ପ୍ରସାର ଦାୟିତ୍ବ ନେବା ସହ ନିଜେ ମଧ୍ୟ ନାଚିବେ । ଏଥିପାଇଁ ବିଧିବଦ୍ଧ ନୃତ୍ୟ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି ଏସ୍ଏଚଜି ମହିଳା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଚିତ୍ରଡ଼ା ଗାଁରୁ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।

ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟକୁ ଆଉ ପାଦେ ଆଗେଇ ନେବେ ଏସଏଚଜି ମାଆ । ପୁରୁଷ ପ୍ରାଧାନ୍ୟ ଛଉ ନୃତ୍ୟରେ ପାଦରେ ପାଦ ମିଳାଇବେ ମହିଳା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବେ ଦେଶ ବିଦେଶରେ ପହଞ୍ଚିଲେଣି । ଏସଏଚଜିରୁ ଏସଏମ୍ଇ ହୋଇଥିବା ସାଧାରଣ ଗୃହିଣୀମାନେ ପ୍ୟାରିସ, ଲଣ୍ଡନ ଭଳି ସହରରେ ନିଜର ଉପସ୍ଥିତି ଜାହିର କଲେଣି । ଏବେ ଆଉ ଏକ ଭଲ ଖବର ପାଇଁ ଚର୍ଚ୍ଚାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ନିଜ ଅଞ୍ଚଳର ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ଦାୟିତ୍ବ ନେଇଛନ୍ତି ଏସ୍ଏଚଜି ।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡ଼ା ଗାଁର। କେବଳ ପୁରୁଷଙ୍କ ଦ୍ବାରା ହେଉଥିବା ଛଉ ନୃତ୍ୟରେ ମହିଳାମାନେ ମାରିଛନ୍ତି ଏଣ୍ଟ୍ରି । ଆଗରୁ ଛଉ ନୃତ୍ୟ କେବଳ ପୁରୁଷଙ୍କ ଦ୍ବାରା ହେଉଥିଲା ଏବଂ ଏଥିରେ ପୁରୁଷମାନେ ହିଁ ନାରୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ହେଲେ ଏବେ ସମୟ ବଦଳିଛି । ଏଥର ଚଇତି ପର୍ବକୁ ଅଧିକ ଉତ୍ସବ ମୁଖରିତ କରିବାକୁ ଏସଏଚଜି ମହିଳାମାନେ କେବଳ ପ୍ରଚାର ପ୍ରସାର ଦାୟିତ୍ବ ନେଇନାହାନ୍ତି, ବରଂ ନୃତ୍ୟକଳାରେ ସାମିଲ ହେବାକୁ ନେଉଛନ୍ତି ପ୍ରଶିକ୍ଷଣ । ନୃତ୍ୟକଳାରେ ପୁରୁଷଙ୍କ ଭୂମିକା ନିଭାଇବେ ମହିଳାମାନେ ।

୯୦ ଦଶକର ଶେଷ ଆଡ଼କୁ ଯଦିଓ ମହିଳା କଳାକାରମାନେ ଏଥିରେ ସାମିଲ ହେଉଥିଲେ, ହେଲେ କେବଳ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଗ୍ରୁପ ନଥିଲା । ପ୍ରଥମ ଥର ପାଇଁ ଚିତ୍ରଡ଼ାରେ ମହିଳାମାନେ ଛଉ ନୃତ୍ୟର ସମ୍ପୂର୍ଣ୍ଣ ଭାର ସମ୍ଭାଳିଛନ୍ତି । ୫୦ରୁ ଅଧିକ ମହିଳା ନିଜ ଘର କାମ ସାରିବା ପରେ ନୃତ୍ୟଶିକ୍ଷା ଗ୍ରହଣ କରୁଛନ୍ତି । ଦିନକୁ ୩ ଘଣ୍ଟା ନୃତ୍ୟଶିକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି ସ୍ବତନ୍ତ୍ର ଶିକ୍ଷକ । ପ୍ରସିଦ୍ଧ ଚିତ୍ରଡ଼ାର ଉଡ଼ା ପର୍ବରେ ଅନୁଷ୍ଠିତ ହେଉଥିବା ଛଉନୃତ୍ୟ ପ୍ରତିଯୋଗିତାରେ ସାମିଲ ହେବେ ଏସଏଚଜି ଗ୍ରୁପ । ଛଉନୃତ୍ୟ ଶିଖିବା ପ୍ରଥମେ କଷ୍ଟ ଲାଗୁଥିଲା, ହେଲେ ନିରନ୍ତର ଉଦ୍ୟମ ବଳରେ ଧିରେ ଧିରେ ଭୟ ଦୂରେଇଗଲାଣି ବୋଲି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା କହିଛନ୍ତି ।

ଛଉ ନୃତ୍ୟ ମୟୂରଭଞ୍ଜର ପରିଚୟ ହୋଇଥିବା ବେଳେ ଏଥିରେ କିଛି ଭିନ୍ନତା ଓ ସ୍ବତନ୍ତ୍ରତା ଆଣିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ଏକ ପ୍ରଶଂସନୀୟ ପଦକ୍ଷେପ ।