ନୂଆ ଓଡ଼ିଶାର ପରିକଳ୍ପନା: ସୋସିଆଲ ମିଡିଆ ହେବ ମୁଖ୍ୟ ମାଧ୍ୟମ

ଭୁବନେଶ୍ବର: ନୂଆ ଓଡ଼ିଶାର ପରିକଳ୍ପନା ପାଇଁ ସୋସିଆଲ ମିଡିଆ ହେବ ମୁଖ୍ୟ ମାଧ୍ୟମ  । ନିର୍ବାଚନ ପାଇଁ ନୁହେଁ ବରଂ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ଲାଗି ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର କରିବ ବିଜେଡି । ଏହାସହ ବିରୋଧୀଙ୍କ ଅପପ୍ରଚାରର ସିଧାସଳଖ ଜବାବ ସୋସିଆଲ ମିଡ଼ିଆ ଜରିଆରେ ଦେବାକୁ ଦିଆଯାଇଛି ପ୍ରଶିକ୍ଷଣ । ଫୋକସରେ ରହିବ ଫେସବୁକ , ଟୁଇଟର ଓ ଇନଷ୍ଟାଗ୍ରାମ ।

ସୋସିଆଲ ମିଡିଆ ସାଜିବ ସଶକ୍ତ ଓଡ଼ିଶାର ମୁଖ୍ୟ ଅସ୍ତ୍ର । ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ବିଟର ଓ ହ୍ବାଟସଆପ୍ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହେବେ ବିଜେଡି ନେତା ଓ କର୍ମୀ । ବିକାଶର ଚିତ୍ର ଓ ସରକାରଙ୍କ ବିଭିନ୍ନ ସଫଳ ଯୋଜନାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବ ଦଳ । ଜନସେବା ସହ ଲୋକଙ୍କ ସମସ୍ୟା ସୋସିଆଲ ମିଡ଼ିଆରେ ଶୁଣି ସମାଧାନର ବାଟ ଫିଟାଇବେ ନେତା । ଖାସ ଏଥିଲାଗି ବିଜେଡ଼ି  ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବରେ କ୍ରୀଡ଼ା, ଶିଳ୍ପ ଓ କୃଷି କ୍ଷେତ୍ରରେ ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା । ପ୍ରଶିକ୍ଷଣ ନେବା ପରେ ସୋସିଆଲ ମିଡ଼ିଆରେ ପୂରା ଆକ୍ଟିଭ ରହିବା ଲାଗି ବିଜେଡି ନେତାଙ୍କ ମନରେ ଜୋସ । ବିଶ୍ବରେ ଇନଷ୍ଟାଗ୍ରାମର ଅଧିକ ବ୍ୟବହାର ହେଉଥିବାରୁ ଏଥିରେ ସକ୍ରିୟ ହେବାକୁ ଦଳୀୟ ଶିବିରରେ ବଢିଛି ଉତ୍ସାହ ।

ଲୋକଙ୍କ ସହ ଅଧିକ ଜଡ଼ିତ ହେବା କ୍ଷେତ୍ରରେ ସୋସିଆଲ ମିଡିଆ ସାଜିବ ପଜିଟିଭ ପ୍ଲାଟଫର୍ମ । ବିରୋଧୀଙ୍କ ବହୁ ଅପପ୍ରଚାରକୁ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ଜବାବ ଦେଇ ଲୋକଙ୍କ ଭରସା ଜିଣିଛି ଦଳ ।