ଜିଏସଟି ଆଦାୟରେ କେନ୍ଦ୍ର ଆଉ କରିପାରିବନି ମନମାନି

ଭୁବନେଶ୍ବର: ଜିଏସଟି ଆଦାୟକରେ ଚଳିବନି କେନ୍ଦ୍ରର ଏକଛତ୍ରବାଦ । ରାଜ୍ୟମାନେ ଜିଏସଟି କାଉନସିଲର ନିଷ୍ପତ୍ତି ପାଳିବାକୁ ବାଧ୍ୟ ନୁହଁନ୍ତି । ଜିଏସଟି ଆଦାୟ କ୍ଷେତ୍ରରେ ଆଇନ ପ୍ରଣୟନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟର ସମାନ ଅଧିକାର ରହିଛି । ଆଇଜିଏସଟି ଆଦାୟ ପ୍ରସଙ୍ଗରେ ଏକ ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଗୋଟିଏ ରାଷ୍ଟ୍ର ଓ ଗୋଟିଏ ଟିକସ ନ୍ୟାୟରେ ୨୦୧୭ରୁ ଲାଗୁ ହୋଇଛି ଜିଏସଟି ବ୍ୟବସ୍ଥା । ଟିକସ ଆଦାୟ କ୍ଷେତ୍ରରେ ଜିଏସଟି କାଉନସିଲର ନିଷ୍ପତ୍ତି ସର୍ବମାନ୍ୟ । ଯାହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ପାଳନ କରିଆସୁଛନ୍ତି । ରାଜ୍ୟମାନଙ୍କୁ ଜିଏସଟି କ୍ଷତିଭରଣା ଆଇନର ଅବଧି ଆସନ୍ତା ମାସ ୩୦ ତାରିଖରେ ସରୁଛି । ଏବେ କୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । କୋର୍ଟଙ୍କ ରାୟ ଦ୍ବାରା କାଉନସିଲ ତାର ଗୁରୁତ୍ବ ହରାଇବନି । କିନ୍ତୁ ରାଜ୍ୟର ଆୟ ଯେପରି ପ୍ରଭାବିତ ନ ହେବ, ସେଥିପାଇଁ କ୍ଷତି ଭରଣା ଆଇନର ଅବଧି ବୃଦ୍ଧି କରିବାକୁ ଦାବି ଜୋର ଧରିଛି । ସେସ୍, ସରଚାର୍ଜ ଓ ସ୍ବତନ୍ତ୍ର ଉତ୍ପାଦ ଶୁଳ୍କରୁ ଆଦାୟ ହେଉଥିବା ଅର୍ଥରୁ ୫୦ ଭାଗ ରାଜ୍ୟକୁ ଦିଆଯିବାକୁ ଦାବି ହେଉଛି ।

ବିଦେଶରୁ ଜାହାଜରେ ଆସୁଥିବା ଆମଦାନୀ ଶୁଳ୍କ ଉପରେ ଆଉ ଏଣିକି କେନ୍ଦ୍ର ଆଇଜିଏସଟି ଟିକସ ବସାଇପାରିବ ନାହିଁ । ଏ ନେଇ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଜିଏସଟି ପ୍ରଚଳନ ପରଠାରୁ ରାଜ୍ୟମାନଙ୍କ ଆର୍ଥିକ କ୍ଷମତା ସଂକୁଚିତ ହୋଇଥିଲା । ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏବେ ରାଜ୍ୟମାନଙ୍କ ସାମ୍ବିଧାନିକ କ୍ଷମତା ମଜଭୁତ ହେବ । କେନ୍ଦ୍ର ଉପରେ ନିର୍ଭରଶୀଳତା ମଧ୍ୟ କମିବ ।