ସାରା ଓଡ଼ିଶାରେ ଭକ୍ତିମୟ ପରିବେଶ, ମନ୍ତ୍ରଧ୍ବନୀ ଭିତରେ ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

1 min read

ସମ୍ବଲପୁର: ପୂର୍ବରୁ ପଶ୍ଚିମ – ଓଡ଼ିଶାରେ ସୃଷ୍ଟି ହୋଇଛି ଦିବ୍ୟତା, ଆଧ୍ୟାତ୍ମିକତାର ଭାବମୟ ପରିବେଶ । ପଣ୍ଡିତ, ସାଧୁ ସନ୍ଥଙ୍କ ଗହଣରେ, ଯଜ୍ଞ ଓ ଚଣ୍ଡୀପାଠର ପବିତ୍ର  ଧ୍ଵନୀ ମଧ୍ୟରେ ସମଲେଇ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟମ । ୨୦୦ କୋଟି ବିନିଯୋଗରେ ପ୍ରାୟ  ୪୦ ଏକର ଅଞ୍ଚଳରେ ମନ୍ଦିରର ରୂପାନ୍ତରଣ ହୋଇଛି । ଏକ କିଲୋମିଟର ଦୀର୍ଘ ପରିକ୍ରମାର ସୁଯୋଗ ସହ ୪ଟି ପ୍ରବେଶ ଦ୍ୱାର, ପୂଜକ ବିଶ୍ରାମାଗାର, ଦୀପ ଘର, ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ମହାନଦୀ ଘାଟର ନୈସର୍ଗିକ ରୂପାନ୍ତର, ଆଳତି ସ୍ଥାନର ବିକାଶ କରାଯାଇଛି । ଦୈନିକ ୨୦ ହଜାରରୁ ଅଧିକ ଭକ୍ତ ଆସିବା ସହ ପାର୍ବଣ ଦିନରେ ଏକ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ଆସିବାର ସମ୍ଭାବନା  । ପ୍ରକଳ୍ପ ଦ୍ବାରା ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତିରେ ଆସିବ ଉନ୍ନତି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ, ଶହ ଶହ ସାଧୁସନ୍ଥ, ସେବକ, ପଣ୍ଡିଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନୀରେ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ଅବସରରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ ।

୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ । ୨୦୨୨ ମେ’ ୧୪ ତାରିଖରୁ କାମ ଆରମ୍ଭ ହୋଇଥିଲା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି । ଭୋଗ ମଣ୍ଡପ, ପୂଜକଙ୍କ ବିଶ୍ରାମ ଗୃହ, ଭକ୍ତଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଗୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର ଆଦି ନିର୍ମିତ ହୋଇଛି । ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳରେ ପରିକ୍ରମା କରିଡ଼ର ନିର୍ମାଣ କରାଯାଇଛି । ସମସ୍ତ ନିର୍ମାଣ ଖାଣ୍ଡେଲାଇଟ ପଥରରେ ନିର୍ମିତ ହୋଇଛି  ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି ।

ମହାନଦୀ ରିଭର୍ ଫ୍ରଣ୍ଟ ଦ୍ରୁଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି । ଆଳତି ପାଇଁ ୩୧ ମିଟରର ପ୍ଲାଟଫର୍ମ କରାଯାଇଛି । ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତିର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।

ନିର୍ଦ୍ଧାରିତ ଲଗ୍ନ ଠିକ୍ ସାଢେ ୧୨ଟାରେ ପ୍ରକଳ୍ପର ଶୁଭାରମ୍ଭ କରି ସମଲେଇ ପୀଠରେ ରୂପାନ୍ତରଣର ଶ୍ରେଷ୍ଠ କୀର୍ତ୍ତିସ୍ତମ୍ଭ ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ପୁଷ୍ପାଞ୍ଜଳି ପ୍ରଦାନ କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । ମୁଖମଣ୍ଡଳରେ ପ୍ରସ୍ଫୁଟିତ ହେଉଥିଲା ଆନନ୍ଦ ଲହରୀ, ହୃଦୟର ଗଭୀର ପ୍ରଦେଶରୁ ଢାଳି ହେଉଥିଲା ଅଜସ୍ର କୃତଜ୍ଞତା । ମୁଖ୍ୟମନ୍ତ୍ରୀଙ୍କ ହସ ବଖାଣୁଥିଲା ତାଙ୍କ ଅନ୍ତରର ଖୁସି ଓ ସନ୍ତୋଷତାକୁ । ଦିବ୍ୟ ପରିବେଶରେ ବେଶ୍ କିଛି ସମୟ ବସି ଚଣ୍ଡିପାଠକୁ ଶ୍ରବଣ କରି ଅବିଭୂତ ହୋଇଥିଲେ ନବୀନ । ଆଉ ଓଡ଼ିଶାର ବିକାଶ ଓ ସେବା ପାଇଁ ଶକ୍ତିମୟୀଙ୍କ ପାଖରେ ଶକ୍ତି ଓ ଉର୍ଜାର କାମନା କରିଥିଲେ । ସେଠାରୁ ସମଲେଇ ମନ୍ଦିର ଚତୁଃପାର୍ଶ୍ବ ପଦକ୍ଷିଣ କରିଥିଲେ । ଐତିହ୍ୟ, ସଂସ୍କୃତି ଭରା ପ୍ରତିଟି ନିର୍ମାଣ ଦେଖି ମୁଗ୍ଧ ହୋଇଯାଇଥିଲେ । ଦୀର୍ଘବର୍ଷ ଧରି ଅବହେଳିତ ହୋଇପଡ଼ିଥିବା ପୁଷ୍କରିଣୀର କମନୀୟ ରୂପକୁ ଅନୁଭବ କରିବାକୁ ଭୁଲି ନଥିଲେ ନବୀନ । ଏହାର ଦିବ୍ୟତା ଓ ଭବ୍ୟତା ଦେଖି ଖୁସି ପ୍ରକାଶ କରିବା ସହ ମା’ଙ୍କ ଇଚ୍ଛା ହିଁ ସବୁକିଛି ବୋଲି ଅବିହିତ କରିଥିଲେ ।

ଅନେକଙ୍କ ସେବା, ତ୍ୟାଗ, ସମର୍ପଣ ଫଳରେ ପ୍ରକଳ୍ପ ବାସ୍ତବତାର ରୂପ ହେଉଛି ସମଲେଇ ପ୍ରକଳ୍ପ । ଏଥିପାଇଁ ତ୍ୟାଗୀଙ୍କ ତ୍ୟାଗକୁ ଭୁଲି ନଥିଲେ ମୁଖ୍ୟମନ୍ତ୍ରୀ । ତ୍ୟାଗ, ସମର୍ପଣ, ଶ୍ରଦ୍ଧା ଓ ପରିଶ୍ରମ କରିଥିବା ବ୍ଯକ୍ତି ବିଶେଷଙ୍କୁ ମଞ୍ଚ ଉପରେ ସମ୍ମାନିତ କରିଥିଲେ ନବୀନ । ଖାଣ୍ଡେଲାଇଟ ଶିଳ୍ପୀ ଲିଙ୍ଗରାଜ ମହାରଣା, ନିର୍ମଳ ମହାରଣା,  ଡିଜାଇନ ଓ୍ବାର୍କର ଶିଶିର କୁମାର ସାହୁ, ସନ୍ତୋଷ ଡାଲୁଆ, ଭିଜୁଆଲ ଆର୍ଟିଷ୍ଟ ସାରଙ୍ଗ ମେହେର, ବିଦ୍ୟୁତ କର୍ମଚାରୀ ତପନ କୁମାର ମଲ୍ଲିକ, ପାଇପ ମିସ୍ତ୍ରୀ ସୋମନାଥ ସାହୁ, ଡ୍ରାଇଭର ହରିହର ପ୍ରଧାନ, ଲ୍ୟାଣ୍ଡସ୍କେପିଂ ମିସ୍ତ୍ରୀ ଶିବଚରଣ ମହାରଣା, ଗୋପାଳଜୀ ମଠ ମହନ୍ତ ହୃଷିକେଶ ଦାସଙ୍କୁ ସମ୍ମାନିତ କରିବା ସହ ୭ ଜଣ ପଦ୍ମଶ୍ରୀଙ୍କ ସହିତ ଫଟୋ ଉଠାଇଥିଲେ ମୁଖ୍ଯମନ୍ତ୍ରୀ ।