ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ସମାବର୍ତ୍ତନ ଉତ୍ସବ

1 min read

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଥିବା ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧୀନରେ ଥିବା ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ୨୦୨୩-୨୪ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଦିନ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ସମାବର୍ତ୍ତନ ଉତ୍ସବରେ ପ୍ରତ୍ୟେକ ବିଭାଗରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ୍ ପଦକ ପ୍ରଦାନ କରାଯାଇଛି।

“ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ବିଭାଗର ଛାତ୍ରୀ ଅଞ୍ଜୁମ ଆର୍ ପରୱିନ ସ୍ୱର୍ଣ୍ଣ ପାଇଥିବା ବେଳେ ସୁସ୍ମିତା ନାଥ ରୌପ୍ୟ ଏବଂ ଏସ୍ ଗୌତମୀ ରାଓଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ସେହିପରି “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ବିଭାଗର ଅମ୍ରିତା ବିଶ୍ୱାଳଙ୍କୁ ସ୍ୱର୍ଣ୍ଣ, ସି ଏଚ୍ କୀର୍ତ୍ତାନିଆଙ୍କୁ ରୌପ୍ୟ ଏବଂ ବନଜ୍ୟୋତ୍ସ୍ନା ଆଇଚଙ୍କୁ ବ୍ରୋଞ୍ଜ ପଦକ ଦିଆଯାଇଛି। ସେହିପରି ଡମ୍ବରୁଧର ବାରିକଙ୍କୁ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ବେଷ୍ଟ ଟ୍ରେନି ଭାବେ ସମ୍ମାନିତ କରାଯାଇଛି। ପଦକ ବିଜେତା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମାବର୍ତ୍ତନ ଉତ୍ସବରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ଅଫ୍ ସର୍ଭିସେସ୍‌ର ନିର୍ଦ୍ଦେଶକ ଲିମ୍ ଲାଇ ସୁନ୍‌, ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ପିଚାଇନ୍ ଆନ୍ଥୋନିସାମି ପ୍ରମୁଖ ଯୋଗ ଦେଇଥିଲେ।