ମହାନଦୀ ତଟଦେଶରେ ମହାଆଳତି

ସମ୍ବଲପୁର: ମା’ ସମଲେଶ୍ବରୀ ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତିମୟ ପରିବେଶ । ମହାନଦୀ ତଟଦେଶରେ ହୋଇଛି ମହାଆଳତି । ସାରା ସମ୍ବଲପୁରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ମହାଆଳତିରେ ସାମିଲ ହୋଇଛନ୍ତି । ଆଳତି ଅବସରରେ ରଙ୍ଗାରଙ୍ଗ ଆଲୋକସଜ୍ଜା ସମଗ୍ର ପରିବେଶକୁ କରିଥିଲା ମନୋରମ । ମହାନଦୀ ତଟରେ ସୃଷ୍ଟି ହୋଇଥିଲା ଅନନ୍ୟ ଆଧ୍ୟାତ୍ମିକ ପରିବେଶ ।

ପ୍ରକଳ୍ପରେ ମହାନଦୀ ରିଭର୍ ଫ୍ରଣ୍ଟ ଦୃଶ୍ୟ ହୋଇଛି ଅତୀବ ରମଣୀୟ । ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି । ଆଳତି ପାଇଁ ୩୧ ମିଟରର ପ୍ଲାଟଫର୍ମ କରାଯାଇଛି । ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି । ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତିର ବ୍ୟବସ୍ଥା କରାଯାଇଛି । ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି । ମହାନଦୀ ଘାଟକୁ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେସ୍କ ନିର୍ମାଣ କରାଯାଇଛି । ଯେଉଁଠାରୁ କି ଉଭୟ ମହାନଦୀ ଓ ମା’ ସମଲେଶ୍ବରୀଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯାଉଛି ।