୧୬ ବର୍ଷ ପରେ ଅବସର ନେବେ ଚାନ୍ସଲର ଏଞ୍ଜେଲା ମର୍କେଲ, ଜାଣନ୍ତୁ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏହି ନିର୍ବାଚନ

1 min read

ବର୍ଲିନ୍‌: ୧୬ ବର୍ଷ ପରେ ବଦଳିବାକୁ ଯାଉଛି ଶାସନ ଭାର। ୧୬ ବର୍ଷ କାଳ ଏକଛତ୍ର ଶାସନ ପରେ ଅବସର ନେବାକୁ ଯାଉଛନ୍ତି ଜର୍ମାନୀ ଚାନ୍ସଲର ଏଞ୍ଜେଲ ମର୍କେଲ। ତେବେ ଏହାରି ଭିତରେ ୨୬ ସେପ୍ଟେମ୍ବରରେ ଜର୍ମାନୀରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ​​ଭୋଟରଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ୟୁରୋପର ବୃହତ୍ତମ ଅର୍ଥନୀତି ଉପରେ କିଏ ଆସିବ ବୋଲି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। ଜର୍ମାନୀର ଏହି ସାଧାରଣ ନିର୍ବାଚନ ଦେଶର ସ୍ଥିରତା ଏବଂ ୟୁରୋପୀୟ ସଂଘ ଉପରେ ମଧ୍ୟ ପ୍ରଭାବ ପକାଇବ। ଏଥର ନିର୍ବାଚନରେ ​​ଆଞ୍ଜେଲା ମର୍କେଲ ଛିଡା ହୋଇ ନାହାଁନ୍ତି। ଜର୍ମାନ ଇତିହାସରେ ପ୍ରଥମ ଥର ପାଇଁ ମର୍କେଲ ବୋର୍ପୋମର୍ନ-ରୁଗେନ-ବୋର୍ପୋମର୍ନ-ଗ୍ରିଫସୱାଲ୍ଡ ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ହେବେ ନାହିଁ। ଯଦି ଦେଖିବା ତେବେ ୧୯୯୦ରେ ପୂର୍ବ ଜର୍ମାନୀ ଯୋଡ଼ି ହେବା ପରେ ସେ କ୍ରମାଗତ ଭାବରେ ପ୍ରତିନିଧିତ୍ୱ କରିଆସୁଥିଲେ।

ରବିବାର ଦିନ ମତଦାନ ମର୍କେଲଙ୍କ ମଧ୍ୟ-ଦକ୍ଷିଣପନ୍ଥି ଦଳ ୟୁନିଅନ୍ ବ୍ଲକ୍ ଏବଂ ମଧ୍ୟ-ବାମପନ୍ଥି ଦଳ ସୋସିଆଲ୍ ଡେମୋକ୍ରାଟ୍ସ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ହେବ ବୋଲି ପରିଲକ୍ଷିତ କରାଯାଇଛି। ୟୁନିଅନ ବ୍ଲକର ଚାନ୍ସଲର ପଦ ପାଇଁ ଆରମିନ ଲାସ୍କେଟ୍ ନିର୍ବାଚନୀ ଦୌଡ଼ରେ ରହିଛନ୍ତି। ଅନ୍ୟପଟେ ବିଦାୟୀ ଅର୍ଥମନ୍ତ୍ରୀ ତଥା ଉପ ଚାନ୍ସଲର ଓଲାଫ ସ୍କୋଲଜ ଅନ୍ୟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

ଏକ ସର୍ଭେରୁ ଜଣାପଡିଛି ଯେ ସୋସିଆଲ୍ ଡେମୋକ୍ରାଟ୍ସ ସାମାନ୍ୟ ଆଗରେ ରହିଛି। ପ୍ରାୟ ୮.୩ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରାୟ ୬.୦୪ କୋଟି ଲୋକ ସଂସଦର ନିମ୍ନ ଗୃହର ସଦସ୍ୟ ଚୟନ କରିବାକୁ ଯୋଗ୍ୟ ଅଟନ୍ତି। ଯେଉଁମାନେ ସରକାରର ମୁଖ୍ୟଙ୍କ ଚୟନ କରିଥାନ୍ତି। ସେପଟେ ସର୍ଭେରେ ଜଣାପଡ଼ିଛି, ନିର୍ବାଚନରେ ​​କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁନାହିଁ। ଯଦି ସରକାର ହୁଏ ତେବେ ମିଳିତ ସରକାର ହିଁ ସମ୍ଭବ। ଏବଂ ଏହି କ୍ରମରେ ଏକ ନୂତନ ସରକାର ଗଠନ ପାଇଁ ଅନେକ ସପ୍ତାହ କିମ୍ବା ମାସ ସମୟ ମଧ୍ୟ ଲାଗିପାରେ। ତେଣୁ ନୂଆ ସରକାର ଗଠନ ନହେବା ପର୍ଯ୍ୟନ୍ତ ମର୍କେଲ କାର୍ଯ୍ୟନିର୍ବାହୀ ମୁଖ୍ୟ ରହିବେ।

ୟୁରୋପରେ ଜର୍ମାନୀ ହେଉଛି ଭାରତର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ। ଏହା ସବୁଠାରୁ ବଡ ବିଦେଶୀ ପ୍ରତ୍ୟକ୍ଷ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତରେ ୧୭୦୦ ରୁ ଅଧିକ ଜର୍ମାନ କମ୍ପାନୀ କାର୍ଯ୍ୟ କରୁଛନ୍ତି। ଜର୍ମାନୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରାୟ ୪ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିଛି। ଜର୍ମାନୀରେ ଶହ ଶହ ଭାରତୀୟ ବ୍ୟବସାୟ ସକ୍ରିୟ ରହିଛି। ଆଇଟି, ଅଟୋମୋବାଇଲ୍ ଏବଂ ଫାର୍ମା କ୍ଷେତ୍ରରେ କୋଟି କୋଟି ୟୁରୋ ବିନିଯୋଗ କରିଛି। ଯଦି ଦେଖିବା ତେବେ ଏପର୍ଯ୍ୟନ୍ତ ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇନାହିଁ। ଚଳିତ ବର୍ଷ ମେ ମାସରେ ୟୁରୋପୀୟ କମିଶନ ଏବଂ ଭାରତ ସରକାର ୨୦୧୩ ମସିହାରୁ ଅଟକି ରହିଥିବା FTA ଉପରେ ଆଲୋଚନା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅର୍ଥନୀତି ବ୍ୟତୀତ ଜର୍ମାନୀ ମଧ୍ୟ ଭାରତ ପାଇଁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ।

Leave a Reply