କାହିଁକି ମାଟିରେ ମିଶିବ ଟ୍ବିନ ଟାୱାର ? ମାତ୍ର ୧୨ ସେକେଣ୍ଡରେ ଧୂଳିସାତ୍‌

ନୋଏଡା: ଦୀର୍ଘ ସମୟର ଆଇନଗତ ଲଢେଇ ପରେ ଆଜି ଭାଙ୍ଗିବ ୩୨ ମହଲା ବିଶିଷ୍ଟ ଟ୍ବିନ ଟାୱାର । ମାତ୍ର ୧୨ ସେକେଣ୍ଡରେ ମାଟିରେ ମିଶିବ ଟ୍ବିନ ଟାୱାର  । ୭୦୦ ରୁ ୮୦୦ କୋଟି ଟଙ୍କାରେ ନିର୍ମିତ ଟାୱାର କିଛି ସେକେଣ୍ଡରେ ହୋଇଯିବ ଧ୍ବସ୍ତ ବିଧ୍ବସ୍ତ  । ସରିଲାଣି ସମସ୍ତ ପ୍ରକ୍ରିୟା  ।  ନୋଏଡାର ସେକ୍ଟର ୯୩ ଏ ରେ ନିର୍ମିତ ସୁପରଟେକ ଟ୍ବିନ ଟାୱାରକୁ ଭାଙ୍ଗିବା ପାଇଁ ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ  କରାଯାଇଛି  । କେବଳ ଟାୱାର ଧ୍ବଂସ ହେବାକୁ ଖର୍ଚ୍ଚ ହେବ ୧୭.୫୫ କୋଟି ଟଙ୍କା  ।

ତେବେ କାହିଁକି ଭାଙ୍ଗିବ ଏହି ଉଚ୍ଚ ଅଟ୍ଟାଳିକା  । ଦେଢ ଦଶକରୁ ଚାଲିଥିବା ବିବାଦରେ କାହିଁକି ଲାଗିବାକୁ ଯାଉଛି ବ୍ରେକ  । ସୁପ୍ରିମକୋର୍ଟଙ୍କ ରାୟ ପରେ ଏ ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ  । ନଭେମ୍ବର ୨୩, ୨୦୦୪ରେ ନୋଏଡାର ସେକ୍ଟର ୯୩ ଏରେ ସୁପରଟେକ ଏମାରଲ୍ଡ କୋର୍ଟ ପାଇଁ ଜମି ଆବଣ୍ଟନ କରାଯାଇଥିଲା  । ଏହି ପ୍ରୋଜେକ୍ଟ ପାଇଁ ନୋଏଡା କର୍ତ୍ତୃପକ୍ଷ ସୁପରଟେକ୍‌କୁ ୮୪ ହଜାର ୨୭୩ ବର୍ଗମିଟର ଜମି ଯୋଗାଇ ଥିଲେ  । ସୁପରଟେକ ଏମରାଲ୍ଡ କୋର୍ଟ ମାମଲାରେ ମଧ୍ୟ ପ୍ଲଟ ନମ୍ବର ୪ରେ ଆବଣ୍ଟିତ ଜମି ନିକଟରେ ୬,୫୫୬.୬୧ ବର୍ଗମିଟରର ଏକ ଜମି ରହିଥିଲା  । ଯାହାକୁ ଅତିରିକ୍ତ ଲିଜ୍‌ ଦେଇ ୨୧ ଜୁନ ୨୦୦୬ରେ ବିଲ୍ଡର ନାମରେ କରି ଦିଆଯାଇଥିଲା  । ନକ୍ସା ପାଖରେ ଥାଇ ମଧ୍ୟ ଦୁଇଟି ଜମିକୁ ମିଶାଇ ଗୋଟିଏ କରି ଦିଆଯାଇଥିଲା । ଆଉ ଏହି ଜମିରେ ସୁପରଟେକ ଏମରାଲ୍ଡ କୋର୍ଟ ପ୍ରୋଜେକ୍ଟ ଲଞ୍ଚ କରିଥିଲା  ।

ଯୋଜନା ମୁତାବକ ବିଲ୍ଡରକୁ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ ୧୧ ମହଲା ବିଶିଷ୍ଟ ୧୬ଟି ଟାୱାର ନିର୍ମାଣ କରିବାର ଥିଲା । ନକ୍ସା ହିସାବରେ ଆଜି ଯେଉଁଠି ୩୨ ମହଲା ବିଶିଷ୍ଟ ଅଟ୍ଟାଳିକା ଛିଡା ହୋଇଛି ସେଠାରେ ସବୁଜ ପାର୍କର ପରିକଳ୍ପନା କରାଯାଇଥିଲା  । ଏହା ସହ ଏକ ଛୋଟ ବିଲ୍ଡିଂ ନିର୍ମାଣର ପ୍ରସ୍ତାବ ମଧ୍ୟ ଥିଲା  । କିନ୍ତୁ ଉତ୍ତର ପ୍ରଦେଶ ସରକାରଙ୍କ ଏକ ତତ୍କାଳୀନ ନିଷ୍ପତ୍ତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା  । ୨୮ ଫେବୃଆରୀ ୨୦୦୯ରେ ନୂଆ ଆବଣ୍ଟନକୁ ନେଇ ଏଫଏଆର ବୃଦ୍ଧି ପାଇଁ ନିର୍ଣ୍ଣୟ ନେଇଥିଲେ  । ଏହା ସହ ପୁରୁଣା ଆବଣ୍ଟନର ମୋଟ ୩୩ ପ୍ରତିଶତ କିଣିବାକୁ ବିକଳ୍ପ ମଧ୍ୟ ଦିଆଯାଇଥିଲା  ।

ଏଫଏଆର ବଢିବା ଯୋଗୁଁ ସେହି ଜମିରେ ବିଲ୍ଡର ଅଧିକ ଫ୍ଲାଟ ନିର୍ମାଣ କରିପାରିବେ  । ଯେଉଁଥିପାଇଁ ସୁପରଟେକ ଗ୍ରୁପକୁ ସେଠାରେ ୨୪ ମହଲା ଉଚ୍ଚ ଓ ୭୩ ମିଟର ବୃଦ୍ଧି ପାଇଁ ଅନୁମତି ମିଳିଥିଲା  । ସେପଟେ ତୃତୀୟ ଥର ପାଇଁ ନକ୍ସାରେ ସଂଶୋଧନ କରାଯାଇଥିଲା  । ଏହି ସଂଶୋଧନରେ ବିଲ୍ଡିଂର ଉଚ୍ଚତା ବଢି ୪୦ ମହଲାରେ ପହଞ୍ଚିଥିଲା  । ଆବେଦନକାରୀ ଯେତେବେଳେ ଏହି ମାମଲାରେ ହସ୍ତକ୍ଷେପ କରି ବିଲ୍ଡର ଓ ନୋଏଡା କର୍ତ୍ତୃପକ୍ଷଙ୍କୁ ନକ୍ସା ପାଇଁ ଦାବି କରିଥିଲେ ଉଭୟ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ  ।

ସମାଧାନ ନ ମିଳିବା ପରେ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ  । ୨୦୧୨ରେ ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ସମୟରେ ମାତ୍ର ୧୩ ମହଲା କାମ ସମ୍ପୂର୍ଣ୍ଣ ହୋଇଥିଲା  । କିନ୍ତୁ ଏହାର ଠିକ ଦେଢବର୍ଷ ମଧ୍ୟରେ ସୁପରଟେକ୍‌ ୩୨ ମହଲା ବିଲ୍ଡିଂ ନିର୍ମାଣ କରିସାରିଥିଲେ  । ୨୦୧୪ରେ ହାଇକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେବା ପରେ ୩୨ ମହଲାରେ ହି କାମ ଅଟକିଥିଲା  ।

ବିଲ୍ଡର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ  । କିନ୍ତୁ ବେଆଇନ ନିର୍ମାଣକୁ ବିରୋଧ କରି ସୁପ୍ରିମକୋର୍ଟ ଏହା ଭାଙ୍ଗିବା ପାଇଁ ଗ୍ରୀନ ସିଗନାଲ ପ୍ରଦାନ କରିଥିଲେ  ।